‘ହେରାଫେରି-୩’ ଛାଡ଼ିବାକୁ ନେଇ ପରେଶଙ୍କୁ ମିଳିଥିଲା ନୋଟିସ୍‌, ଅକ୍ଷୟଙ୍କୁ ଫେରାଇଲେ ୧୧ ଲକ୍ଷ ଟଙ୍କା

Published By : Prameya-News7 Bureau | May 26, 2025 IST

ମୁମ୍ବାଇ ୨୬/୦୫: ଅଭିନେତା ପରେଶ ରାୱଲ ‘ହେରାଫେରି-୩’ ଛାଡ଼ିବାକୁ ନେଇ ମିଳିଥିବା ଲିଗାଲ ନୋଟିସ୍‌ ଉପରେ ମୁହଁ ଖୋଲିଛନ୍ତି । ତାଙ୍କ ଓକିଲ ଅମିତ ନାଇକ ଫିଲ୍ମ ନିର୍ମାତାଙ୍କୁ ଫିଲ୍ମ ଛାଡ଼ିବାକୁ ନେଇ ଉଚିତ ଆଇନଗତ ଜବାବ ପଠାଇଦେଇଛନ୍ତି। ଜବାବ ପଢ଼ିବା ପରେ ମାମଲା ଶାନ୍ତ ପଡ଼ିଯିବ ବୋଲି ପରେଶ ଏକ୍ସରେ ପୋଷ୍ଟ କରିଛନ୍ତି ।

‘ହେରାଫେରି-୩’ ଫିଲ୍ମରୁ ଓହରିବାକୁ ନେଇ ପରେଶ ଏବେ ବେଶ୍‌ ଚର୍ଚ୍ଚାରେ ଅଛନ୍ତି । ଫିଲ୍ମକୁ ଅଭିନେତା ଅକ୍ଷୟ କୁମାର ପ୍ରଯୋଜନା ଦେଉଛନ୍ତି । ପରେଶ ଫିଲ୍ମ ଛାଡ଼ିବା ପରେ ଅକ୍ଷୟ ତାଙ୍କୁ ଲିଗାଲ ନୋଟିସ୍‌ ପଠାଇଥିଲେ । ଏବେ ଆହୁରି କଥା ସାମ୍‌ନାକୁ ଆସିଛି ଯେ,ପରେଶ ରାୱଲ ଫିଲ୍ମ ସାଇନ୍‌ କରିବା ଲାଗି ନେଇଥିବା ୧୧ ଲକ୍ଷ ଟଙ୍କା ଫେରାଇ ଦେଇଛନ୍ତି । ପରେଶଙ୍କ ଓକିଲ ଏହି ସୂଚନା ଦେଇଥିବା ଜଣାପଡ଼ିଛି । 

ରିପୋର୍ଟ ଅନୁସାରେ, ପରେଶ ୧୧ ଲକ୍ଷ ଟଙ୍କା ବାର୍ଷିକ ସୁଧ ୧୫% ସହ ଫେରାଇଛନ୍ତି । ଏପରିକି ଏହା ସହ ସେ ଆଉ କିଛି ଅତିରିକ୍ତ ଟଙ୍କା ମଧ୍ୟ ଫେରାଇଛନ୍ତି । ଫିଲ୍ମ ବାବଦରେ ତାଙ୍କୁ ୧୫ କୋଟି ଟଙ୍କା ମିଳିବାର ଥିଲା । କିନ୍ତୁ ଫିଲ୍ମ ମୁକ୍ତିଲାଭ କରିବାର ମାସକ ପରେ ହିଁ ବାକି ୧୪.୮୯ କୋଟି ଟଙ୍କା ପରେଶଙ୍କୁ ଦିଆଯିବ ବୋଲି ସର୍ତ୍ତ ରଖାଯାଇଥିଲା । ଏହି ସର୍ତ୍ତକୁ ନେଇ ପରେଶଙ୍କ ଆପତ୍ତି ରହିଥିଲା । ଆହୁରି ରିପୋର୍ଟ ପ୍ରକାଶ ପାଇଛି ଯେ, ଫିଲ୍ମର ମୁଖ୍ୟ ସୁଟିଂ ଆସନ୍ତା ବର୍ଷ ଆରମ୍ଭ ହେବାର ଥିଲା । ୨୦୨୬ ଶେଷ ଆଡ଼କୁ କିମ୍ବା ୨୦୨୭ ଆରମ୍ଭରେ ଫିଲ୍ମ ମୁକ୍ତିଲାଭ କରିଥାନ୍ତା । ଅର୍ଥାତ୍‌ ପରେଶଙ୍କୁ ବାକି ଫି’ ପାଇବା ଲାଗି ପ୍ରାୟ ୨ ବର୍ଷ ଅପେକ୍ଷା କରିବାକୁ ପଡ଼ିଥାନ୍ତା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.