ଛୁରୀ-ଡ୍ରମ୍-ସିମେଣ୍ଟ, ମାର୍ଚେଣ୍ଟ ନେଭି ଅଧିକାରୀଙ୍କୁ ପ୍ରେମିକ ସହ ମିଶି ହତ୍ୟା କଲା ମୁସ୍କାନ; ବିଚଳିତ କରିବ ପୂରା ଘଟଣା

Published By : Prameya-News7 Bureau | March 19, 2025 IST

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ମିରଟରେ ସୌରଭ ରାଜପୁତ ହତ୍ୟାକାଣ୍ଡ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ସ୍ତ୍ରୀ ମୁସ୍କାନ ଯେପରି ଭାବେ ପ୍ରେମିକ ସାହିଲ ସହ ମିଶି ସ୍ୱାମୀ ସୌରଭଙ୍କୁ ହତ୍ୟା କଲେ ତାହା ପୋଲିସକୁ ବି ଆଶ୍ଚର୍ଯ୍ୟ କରିଛି । ମୁସ୍କାନ ଓ ତାଙ୍କ ପ୍ରେମିକ କେବଳ ସୌରଭଙ୍କୁ ଛୁରୀ ଭୁସି ହତ୍ୟା କରିନାହାନ୍ତି ବରଂ ଶବକୁ ଖଣ୍ଡ ଖଣ୍ଡ କରି ପ୍ଲାଷ୍ଟିକ୍ ଡ୍ରମରେ ଭର୍ତ୍ତି କରି ସିମେଣ୍ଟ ପକାଇ ଦେଇଥିଲେ । ପୋଲିସ ସୂଚନା ଅନୁସାରେ, ଏହି ହତ୍ୟାକାଣ୍ଡକୁ ପୂରା ପ୍ଲାନିଂ ସହ କରାଯାଇଥିଲା । ମୁସ୍କାନ୍ ନିଜ ପରିବାର ଲୋକଙ୍କ ସହ ପୋଲିସକୁ ଭ୍ରମିତ କରିବା ପାଇଁ ଉଦ୍ୟମ କରିଥିଲା । 

ସୂଚନା ଅନୁସାରେ, ସୌରଭ ୨୦୧୬ରେ ମୁସ୍କାନ ପ୍ରେମ ବିବାହ କରିଥିଲେ । ସୌରଭଙ୍କ ପରିବାର ଏହି ବିବାହକୁ ବିରୋଧ କରୁଥିଲେ । କିନ୍ତୁ ମୁସ୍କାନଙ୍କ ହାତ ଛାଡ଼ି ନଥିଲେ ସୌରଭ । ବିବାହ ପରେ ସୌରଭ ମୁସ୍କାନଙ୍କ ସହିତ ଘରଠାରୁ ଦୂରରେ ଏକ ଭଡା ଘରେ ରହିବା ଆରମ୍ଭ କଲେ । ତେବେ ୨୦୧୯ ମସିହାରେ ସାହିଲ, ମୁସ୍କାନଙ୍କ ଜୀବନକୁ ଆସିଥିଲେ । ଏହି ସମୟରେ ସୌରଭ ଲଣ୍ଡନରେ ତାଙ୍କ ଚାକିରିରେ ବ୍ୟସ୍ତ ଥିଲେ । ସାହିଲ ଏବଂ ମୁସ୍କାନ ପୂର୍ବରୁ ଏକାଠି ପଢ଼ୁଥିଲେ । ସେମାନଙ୍କୁ ମଝିରେ ଅଲଗା କରାଯାଇଥିଲା । କିଛି ବର୍ଷ ପରେ ଯେତେବେଳେ ସେମାନେ ଦ୍ୱିତୀୟ ଥର ପାଇଁ ଭେଟିଲେ ସେତେବେଳେ ତାଙ୍କ ମଧ୍ୟରେ ଘନିଷ୍ଠତା ବୃଦ୍ଧି ପାଇଥିଲା ।  

ମୁସ୍କାନ ଏବଂ ସାହିଲଙ୍କ ପ୍ରେମ ସମ୍ପର୍କ ବିଷୟରେ ସୌରଭ ମଧ୍ୟ ଜାଣିବାକୁ ପାଇଥିଲେ । ସୌରଭ ବିଦେଶରେ ଥିବା ସମୟରେ ମୁସକାନ ଏବଂ ସାହିଲଙ୍କ ସମ୍ପର୍କ ଆହୁରି ଗଭୀର ହୋଇଗଲା । ମୁସ୍କାନଙ୍କୁ ବିବାହ କରିବାକୁ ସାହିଲ ଚାହୁଁଥିଲା । କିନ୍ତୁ ସୌରଭଙ୍କ ଯୋଗୁଁ ତାହା ସମ୍ଭବ ହୋଇପାରୁନଥିଲା । ଏପରି ପରିସ୍ଥିତିରେ ସୌରଭଙ୍କୁ ହଟାଇବା ପାଇଁ ମୁସ୍କାନଙ୍କ ଉପରେ ସାହିଲ ଚାପ ପକାଇଲା । ଅନ୍ୟପଟେ ସୌରଭ ଛାଡପତ୍ର ପାଇଁ ପ୍ରସ୍ତୁତ ନଥିଲେ । ତେଣୁ ଦୁହେଁ ମିଶି ସୌରଭଙ୍କୁ ହତ୍ୟା କରିବା ପାଇଁ ଏକ ଷଡ଼ଯନ୍ତ୍ର ରଚିଲେ ।  

ଫେବୃଆରୀ ୨୬ ତାରିଖରେ ସୌରଭ ଲଣ୍ଡନରୁ ମିରଟ୍ ଆସିଥିଲେ । ମାର୍ଚ୍ଚ ୪ ରାତିରେ ମୁସ୍କାନ ତାଙ୍କ ଖାଦ୍ୟରେ ନିଜ ବଟିକା ଦେଇଥିଲେ । ସୌରଭ ଚେତାଶୂନ୍ୟ ହୋଇଗଲା ପରେ ସାହିଲକୁ ଡାକି ସ୍ୱାମୀକୁ ହତ୍ୟା କରିଥିଲେ ମୁସ୍କାନ । ହତ୍ୟା ପରେ ମୃତଦେହକୁ ଖଣ୍ଡ ଖଣ୍ଡ କରି ଏକ ପ୍ଲାଷ୍ଟିକ୍ ଡ୍ରମରେ ଭର୍ତ୍ତି କରାଯାଇଥିଲା । ଉପରେ ତରଳ ସିମେଣ୍ଟ ଢାଳି ଦିଆଯାଇଥିଲା । ଯେଉଁଥି ପାଇଁ ମୃତ ଦେହଟି ସିମେଣ୍ଟରେ କଠିନ ହୋଇଗଲା । ଘଟଣା ପରେ ଦୁଇ ଅଭିଯୁକ୍ତ ବୁଲିବା ପାଇଁ ହିମାଚଳ ଚାଲିଯାଇଥିଲେ ।

ମୁସ୍କାନ ଏଚେ ଚତୁର ଥିଲେ ଯେ ନିଜ ସ୍ୱାମୀକୁ ହତ୍ୟା କରିବା ପୂର୍ବରୁ ପରିବାର ଓ ପଡ଼ୋଶୀଙ୍କୁ ଭ୍ରମରେ ରଖିବା ଆରମ୍ଭ କରିଥିଲେ । ନିଜ ସ୍ୱାମୀ ସହ ବୁଲିବାକୁ ଯାଉଥିବା ସେ ସମସ୍ତଙ୍କୁ କହିଥିଲେ । ଲୋକେ ଭାବୁଥିଲେ ଯେ ମୁସ୍କାନ-ସୌରଭ ସହ ବାହାରକୁ ଯାଇଛି । କେବଳ ଏତିକି ନୁହେଁ ମୁସକାନ ସୌରଭଙ୍କ ମୋବାଇଲ୍ ଫୋନ୍ ମଧ୍ୟ ସାଙ୍ଗରେ ନେଇଗଲା । ହିମାଚଳରେ ଥିବା ବେଳେ ସେ ନିଜେ ତାଙ୍କ ସ୍ୱାମୀଙ୍କ ମୋବାଇଲରୁ ସମ୍ପର୍କୀୟମାନଙ୍କୁ ମେସେଜ୍ ପଠାଉଥିଲେ । 

ମୁସ୍କାନଙ୍କ ବାପା ପ୍ରମୋଦ ଏବଂ ମାଆ କବିତା କହିଛନ୍ତି ଯେ ତାଙ୍କ ଝିଅର ଆଉ ବଞ୍ଚିବାର ଅଧିକାର ନାହିଁ । ତାକୁ ଫାଶୀ ଦିଆଯିବା ଦରକାର । ମୁସ୍କାନଙ୍କ ମାଆ କବିତା କହିଛନ୍ତି ୧ ମାର୍ଚ୍ଚରେ ସୌରଭ ତାଙ୍କ ୬ ବର୍ଷର ଝିଅକୁ ଆମ ଘରେ ଛାଡି ଆସିଥିଲେ । ମାର୍ଚ୍ଚ ୪ ରାତିରେ ମୁସକାନ ସୌରଭଙ୍କ ଖାଦ୍ୟରେ ଔଷଧ ମିଶାଇ ତାଙ୍କୁ ଚେତାଶୂନ୍ୟ କରିଦେଇଥିଲା । ତା'ପରେ ସେ ତାଙ୍କୁ ଏକ ଛୁରୀରେ ଆକ୍ରମଣ କରି ହତ୍ୟା କଲେ ଏବଂ ମୃତଦେହକୁ ଏକ ଡ୍ରମରେ ପ୍ୟାକ୍ କଲେ । 

ମୁସ୍କାନଙ୍କ ବାପାମାଆ କହିଛନ୍ତି ଯେ ମାର୍ଚ୍ଚ ୧ ପରେ ସୌରଭ କେଉଁଠିକୁ ଗଲେ ସେ ଭାବୁଥିଲେ । ସେ ଆଦୌ କଥା ହେଉନଥିଲେ ଏବଂ ମୁସ୍କାନ ତାଙ୍କୁ ସୌରଭଙ୍କ ସହ କଥା ହେବାକୁ ମଧ୍ୟ ଦେଉନଥିଲେ । ସେ ସବୁବେଳେ କିଛି ନା କିଛି ବାହାନା କରୁଥିଲା । ଏହା ପରେ ମାର୍ଚ୍ଚ ୧୭ ସକାଳେ ମୁସ୍କାନ ଫୋନ୍ କରି କହିଥିଲେ ଯେ ସୌରଭଙ୍କ ସହ ତାଙ୍କର ଝଗଡ଼ା ହୋଇଛି । ଘରକୁ ଫେରିବା ପରେ ସେ ସବୁକିଛି କହିବ । 

ମୁସ୍କାନଙ୍କ ବାପାମାଆ କୁହନ୍ତି ଯେ ତାଙ୍କ ଝିଅ ଶୀଘ୍ର ଘରକୁ ଫେରି ଆସିଲା ଏବଂ ପହଞ୍ଚିବା ମାତ୍ରେ କାନ୍ଦିବାକୁ ଲାଗିଲା । ଝିଅ କହିଲା ଯେ ସୌରଭଙ୍କୁ ତାଙ୍କ ପରିବାର ଲୋକେ ହତ୍ୟା କରିଛନ୍ତି । ମୁସ୍କାନର ବାପାମାଆ ଏହା ବିଶ୍ୱାସ କରିପାରିଲେ ନାହିଁ । କିନ୍ତୁ ଏଥର ମୁସ୍କାନର ବାପା ତାଙ୍କ ଝିଅର କାହାଣୀ ଉପରେ ସନ୍ଦେହ କଲେ । ସେ ତାଙ୍କ ଝିଅକୁ ପୋଲିସ ଷ୍ଟେସନକୁ ନେଇଯିବା ଆରମ୍ଭ କଲେ । କିନ୍ତୁ ବାଟରେ ଝିଅ ତାଙ୍କୁ ସବୁ ସତ କହିଥିଲା । ବର୍ତ୍ତମାନ ସାହିଲ ଏବଂ ମୁସ୍କାନଙ୍କୁ ଗିରଫ କରାଯାଇ କୋର୍ଟରେ ହାଜର କରାଯାଇଥିଲା, ଯେଉଁଠାରୁ ସେମାନଙ୍କୁ ଜେଲକୁ ପଠାଇ ଦିଆଯାଇଥିଲା ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.