LIVE TV

ହିନ୍ଦୀ ଶିକ୍ଷକ ନିଯୁକ୍ତି ବିଜ୍ଞପ୍ତି ରଦ୍ଦ କଲେ ହାଇକୋର୍ଟ, ସାନି ବିଜ୍ଞପ୍ତି ସହ ପ୍ରିଲିମିନାରୀ ପରୀକ୍ଷା କରାଇବ OSSC

NEWS7
pandiyan-at-puri

କଟକ ୧୦: ହିନ୍ଦୀ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ ରୋକ୍ ଲାଗିଲା । ନିଯୁକ୍ତି ପ୍ରକ୍ରିୟାରେ ରୋକ୍ ଲଗାଇଛନ୍ତି ହାଇକୋର୍ଟ । ୭୧୧ ପଦବୀ ପାଇଁ ପ୍ରକାଶ ପାଇଥିବା ବିଜ୍ଞାପ୍ତିକୁ ହାଇକୋର୍ଟ ରଦ୍ଦ କରିଛନ୍ତି । ଏହାସହ ସାନି ବିଜ୍ଞପ୍ତି ପ୍ରକାଶ କରିବା ଲାଗି ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନକୁ ନିର୍ଦ୍ଦେଶ ହୋଇଛି । ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ଓଏସ୍‌ଏସ୍‌ସି ପ୍ରଲିମିନାରୀ ପରୀକ୍ଷା କରାଇବ । ପ୍ରଶ୍ନପତ୍ର ଇଂରାଜୀ ଓ ହିନ୍ଦୀ ଭାଷାରେ ପ୍ରକାଶିତ କରିବ । ସମସ୍ତ ପ୍ରକ୍ରିୟା ୩ ମାସ ଭିତରେ ଶେଷ କରିବା ଲାଗି ନିର୍ଦ୍ଦେଶ ହୋଇଛି ।

ସୂଚନାଯୋଗ୍ୟ ଯେ, ଗତବର୍ଷ ଅକ୍ଟୋବର ମାସରେ ୭୧୧ ହିନ୍ଦୀ ଶିକ୍ଷକ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଯଦି ଧାର୍ଯ୍ୟ ପଦବୀର ୫ ଗୁଣା ପ୍ରାର୍ଥୀ ଆବେଦନ କରିବେ ତେବେ ପ୍ରଲିମିନାରୀ ପରୀକ୍ଷା କରାଯିବ ବୋଲି ଏକ ଅଜବ ସର୍ତ୍ତ ରହିଥିଲା । ତେବେ ୫ ଗୁଣାରୁ ଅଧିକ ଆବେଦନ ହୋଇଥିଲେ ସୁଦ୍ଧା କମିଶନ ପ୍ରଲିମିନାରୀ ପରୀକ୍ଷା କରାଇବା ପରିବର୍ତ୍ତେ ସିଧା ମେନ୍ ପରୀକ୍ଷା କରାଇଥିଲା । ସେହିପରି ପ୍ରଶ୍ନପତ୍ରକୁ ନେଇ ମଧ୍ୟ ଅନେକ ଦ୍ୱନ୍ଦ୍ୱ ରହିଥିଲା । ଯାହାକୁ ଚ୍ୟାଲେଞ୍ଜ କରି କିଛି ପରୀକ୍ଷାର୍ଥୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ସମସ୍ତ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ, ହିନ୍ଦୀ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଲାଗି ପୂର୍ବରୁ ପ୍ରକାଶିତ ହୋଇଥିବା ବିଜ୍ଞାପ୍ତିକୁ ହାଇକୋର୍ଟ ରଦ୍ଦ କରିଦେଇଛନ୍ତି ।