ଦିନିକିଆ ମହିଳା ବିଶ୍ୱକପ ଖେଳିବାକୁ ଭାରତ ଆସିବନି ପାକିସ୍ତାନ: ପିସିିବି

Published By : Prameya-News7 Bureau | April 19, 2025 IST

indiatoday

ନୂଆଦିଲ୍ଲୀ: ପୁରୁଣା କଥାକୁ ପୁଣି ଥରେ ଦୋହରାଇଲେ ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ଅଧ୍ୟକ୍ଷ ମୋହସିନ୍ ନକଭି। ଆଇସିସି ମହିଳା ବିଶ୍ୱକପ୍ ୨୦୨୫ ପାଇଁ ପାକିସ୍ତାନ ଦଳ ଭାରତ ଆସିବ ନାହିଁ ବୋଲି ନକବି କହିଛନ୍ତି। ଭାରତ ଦିନିକିଆ ମହିଳା ବିଶ୍ୱକପ ୨୦୨୫ର ଆୟୋଜନ କରିବ। ହେଲେ ପାକିସ୍ତାନ ବିଶ୍ୱକପ ଖେଳିବାକୁ ଭାରତ ନ ଆସି ହାଇବ୍ରିଡ୍ ମଡେଲକୁ ଆପଣାଇବ ବୋଲି ନକବି କହିଛନ୍ତି। ଚଳିତ ବର୍ଷ ପ୍ରାରମ୍ଭରେ ହୋଇଥିବା ଚୁକ୍ତି ଅନୁଯାୟୀ ଏକ ନିରପେକ୍ଷ ସ୍ଥାନରେ ପାକିସ୍ତାନ ମ୍ୟାଚ୍ ଖେଳିବ।
ଭାରତ ଚଳିତ ବର୍ଷ ସେପ୍ଟେମ୍ବର ୨୯ ରୁ ଅକ୍ଟୋବର ୨୬ ପର୍ଯ୍ୟନ୍ତ ଯୋଗ୍ୟତା ହାସଲ କରିଥିବା ୮ ଦଳକୁ ନେଇ ମହିଳା ଏକଦିବସୀୟ ବିଶ୍ୱକପ୍ ଆୟୋଜନ କରିବାକୁ ଯାଉଛି। ମାର୍ଚ୍ଚ ମାସରେ ଲାହୋରରେ ଅନୁଷ୍ଠିତ କ୍ୱାଲିଫାୟର୍ସରେ ଶୀର୍ଷ ସ୍ଥାନ ଅଧିକାର କରି ପାକିସ୍ତାନ ସମସ୍ତ ପାଞ୍ଚଟି ମ୍ୟାଚ୍ ଜିତି ବିଶ୍ୱକପ ପାଇଁ ଯୋଗ୍ୟତା ହାସଲ କରିଥିଲା। ବାଂଲାଦେଶ ମଧ୍ୟ ସମାନ ଇଭେଣ୍ଟରୁ ଯୋଗ୍ୟତା ହାସଲ କରିଥିଲା।

ପିଟିଆଇ ରିପୋର୍ଟ ଅନୁସାରେ, ପାକିସ୍ତାନ ଭାରତ ନ ଆସିବା ନେଇ ନକବି କହିଛନ୍ତି “ଯେପରି ଭାରତ ଚାମ୍ପିଅନ୍ସ ଟ୍ରଫି ସମୟରେ ପାକିସ୍ତାନରେ ଖେଳିନଥିଲା ଏବଂ ଏକ ନିରପେକ୍ଷ ସ୍ଥାନରେ ପ୍ରତିଯୋଗିତା କରିବାକୁ ଅନୁମତି ପାଇଥିଲା, ଆମେ ମଧ୍ୟ ସେହିପରି କରିବୁ। ଯେତେବେଳେ ଏକ ଚୁକ୍ତି ହୁଏ, ତାହାକୁ ସମ୍ମାନ କରାଯିବା ଉଚିତ" ନକଭି ଏହା ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ଭାରତ ମହିଳା ବିଶ୍ୱକପର ଆନୁଷ୍ଠାନିକ ଆୟୋଜକ ହୋଇଥିବାରୁ, ସେମାନେ ହିଁ ନିରପେକ୍ଷ ସ୍ଥାନ ଚୟନ କରିବେ। 

ପଢନ୍ତୁ- ଶେଷ ଓଭରରେ ‘ସମାଦ’ ବିସ୍ଫୋରଣ; ଲକ୍ଷ୍ନୌ ଆଗରେ ୧୮୧ରନ୍‌ର ଟାର୍ଗେଟ୍

ପ୍ରକୃତରେ ଏହା ପୂର୍ବରୁ ଭାରତ, ପାକିସ୍ତାନ ଏବଂ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ହାଇବ୍ରିଡ ମୋଡେଲ୍ ନେଇ ସହମତି ପ୍ରକାଶ କରିଥିଲେ। ଏହି ଅନୁସାରେ ୨୦୨୮ ପର୍ଯ୍ୟନ୍ତ ଉଭୟ ଦେଶରେ ଅନୁଷ୍ଠିତ ପ୍ରମୁଖ ବିଶ୍ୱସ୍ତରୀୟ ଟୁର୍ଣ୍ଣାମେଣ୍ଟ ପାଇଁ ଏକ ହାଇବ୍ରିଡ୍ ହୋଷ୍ଟିଂ ମଡେଲ୍ରେ ଖେଳ ହେବ। ଭାରତ ଫେବୃଆରୀରେ ଚାମ୍ପିଅନ୍ସ ଟ୍ରଫି ପାଇଁ ପାକିସ୍ତାନ ଯାତ୍ରା କରିବାକୁ ମନା କରିଦେଇଥିଲା, ଯାହା ଫଳରେ ବିସ୍ତୃତ ଆଲୋଚନା ପରେ ସେମାନଙ୍କର ମ୍ୟାଚ୍ ଦୁବାଇକୁ ସ୍ଥାନାନ୍ତରିତ କରାଯାଇଥିଲା। ହାଇବ୍ରିଡ ମୋଡେଲ୍‌ରେ ଏପରି କରାଯାଇଥିଲା। 

ଯଦିଓ ଆରମ୍ଭରେ ହାଇବ୍ରିଡ ମୋଡେଲ୍‌ ନେଇ ପାକିସ୍ତାନ ଅସହମତି ପ୍ରକାଶ କରିଥିଲା ତେବେ ଆଇସିସି ସହ ବୈଠକ ପରେ ରାଜି ହୋଇଥିଲା। ତେଣୁ ୨୦୨୬ରେ ଭାରତ ଓ ଶ୍ରୀଲଙ୍କା ଦ୍ୱାରା ଆୟୋଜିତ ହେବାକୁ ଥିବା ପୁରୁଷ ଟି-୨୦ ବିଶ୍ୱକପ୍ ପାଇଁ ସମାନ ବ୍ୟବସ୍ଥା ଆପଣଯାଇପାରେ ବୋଲି କୁହାଯାଉଛି। 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.