ସାଇବର ଠକଙ୍କୁ ଅମିତ ଶାହଙ୍କ କଡ଼ା ଚେତାବନୀ, କହିଲେ- ଚାଲିବ CBI-14Cର ଚାବୁକ୍

NEWS7
pakistan-train-attacked-in-balochistan-militant-group-claims-over-100-hostages

ନୂଆଦିଲ୍ଲୀ ୧୧।୨: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ ସାଇବର ଓ ଡିଜିଟାଲ ଠକେଇ ଉପରେ ଖୁବ୍ ଶୀଘ୍ର ଅଂକୁଶ ଲାଗିବ ଓ ସିବିଆଇର ନୂଆ ଅସ୍ତ୍ର ୧୪-ସି (ଇଣ୍ଡିଆନ ସାଇବର କ୍ରାଇମ କୋଅର୍ଡିନେସନ ସେଣ୍ଟର) ମାଧ୍ୟମରେ ଠକେଇ ଉପରେ ଲଗାମ ଲଗାଯିବ। ଏବେ ଯେପରି ଦେଶରୁ ନକ୍ସଲ ସଫେଇ ଚାଲିଛି ସେହିଭଳି ସାଇବର କ୍ରାଇମ ଓ ସମ୍ପର୍କିତ ସବୁ ଅପରାଧ ଉପରେ ଅଙ୍କୁଶ ଲାଗିବ। ଏହି ଅବସରରେ ଇଣ୍ଡିଆନ ସାଇବର କ୍ରାଇମ କୋଅର୍ଡିନେସନ ସେଣ୍ଟର ମାଧ୍ୟମରେ S4C ପୋର୍ଟାଲକୁ ଲଞ୍ଚ କରାଯାଇଛି।

ଦେଶରେ ଏହି ସଣ୍ଟର ପ୍ରଥମକରି ଲଞ୍ଚ ହୋଇଛି। ଏହାର ଉଦ୍ଦେଶ୍ୟ ସାଇବର ଓ ଡିଜିଟାଲ ଠକଙ୍କ ଉପରେ ନଜର ରଖିବା। ଖୁବ୍ ଶୀଘ୍ର ଭାରତର ଅଧିକାଂଶ ଏଜେନ୍ସୀ ସିବିଆଇ ଅଧିନରେ ଏହି ସେଣ୍ଟର ସହ ଯୋଡି ହୋଇ ଏକାଠି କାମ କରିବେ। ସାଇବର ସ୍କାମ ଓ ଠକେଇର ଇକୋ ସିଷ୍ଟମକୁ ସମାପ୍ତ କରିବା ପାଇଁ ସିବିଆଇ ଦ୍ୱାରା ଆୟୋଜନ କରାଯାଇଥିବା ସେମିନାରରେ କେନ୍ଦ୍ର ଗୃହମନ୍ତ୍ରୀ ଡିଜିଟାଲ ଯୁଗର ଚ୍ୟାଲେଞ୍ଜ ଓ ଏହା ବିରୋଧରେ ସିବିଆଇର ପଦକ୍ଷେପକୁ ଉଚ୍ଚ ପ୍ରଶଂସା କରିଛନ୍ତି। ଏହି ଦୁଇ ଦିବସୀୟ କାର୍ଯ୍ୟକ୍ରମ ଦିଲ୍ଲୀ ଭାରତ ମଣ୍ଡପମରେ ଅନୁଷ୍ଠିତ ହେଉଛି।

ଏହି ଅବସରରେ କେନ୍ଦ୍ର ଗୃହମନ୍ତ୍ରୀ ୮ହଜାର କୋଟି ଟଙ୍କାରୁ ଅଧିକ ବ୍ୟାଙ୍କ ଠକେଇ ପଇସା ଫ୍ରିଜ କରିବା,ଏଜେନ୍ସୀ ୧୨ଲକ୍ଷ ସିମକାର୍ଡ ବ୍ଲକ୍ କରିବା , ମ୍ୟୁଲ ଆକାଉଣ୍ଟ ହଣ୍ଟର ଆପ ଆପଣେଇବା ଯୋଗୁ ଏଜେନ୍ସୀକୁ ତାରିଫ କରିଛନ୍ତି। ସେହିପରି ୧୯୩୦ ହେଲପଲାଇନ ନମ୍ବରକୁ ଆହୁରି ମଜଭୁତ କରିବା ଏବଂ ଅନ୍ତର୍ଜାତୀୟ ସହଯୋଗ ଉପରେ ଗୁରୁତ୍ୱ ଦେଇଛନ୍ତି। ଗୃହମନ୍ତ୍ରୀ କହିଛନ୍ତି ଯେ ୩୦ ନଭେମ୍ବର ୨୦୨୫ ସୁଦ୍ଧା ୨୩ଲକ୍ଷ ୬୧ ହଜାର ସାଇବର ଠକେଇ ଅଭିଯୋଗ ମିଳିଛି। ଏଥିରେ ଏକ ଏପରି ମାମଲା ବି ଥିଲା ଯେଉଁଥିରେ ୨୦ ହଜାର କୋଟି ଟଙ୍କା ଫ୍ରଡ ହୋଇଥିଲା। ସେଥିରୁ ଆମେ ୮ ହଜାର କୋଟି ଟଙ୍କା ଫ୍ରିଜ କରିପାରିଛୁ।

ଆମ ଏଜେନ୍ସୀମାନେ ଡିସେମ୍ବର ୨୦୨୫ ସୁଦ୍ଧା ୧୨ଲକ୍ଷ ସିମ କାର୍ଡ ବ୍ଲକ୍ କରିଛନ୍ତି। ଆଜିର ସମୟରେ ମ୍ୟୁଲ ଆକାଉଣ୍ଟ ସର୍ଭିସ ଭଳି କିଣାବିକା ହେଉଛି। ଏଣୁ ଆରବିଆଇ ଓ ଗୃହମନ୍ତ୍ରାଳୟ ମିଳିତ ଯେଉଁ ମ୍ୟୁଲ ଆକାଉଣ୍ଟ ହଣ୍ଟର ଆପ ତିଆରି କରିଛନ୍ତି ତାକୁ ସବୁ ସରକାରୀ ଓ ପ୍ରାଇଭେଟ ବ୍ୟାଙ୍କ ଆପଣେଇବା ଉଚିତ। ଏଥି ପାଇଁ ଖୁବ୍ ଶୀଘ୍ର ଏସଓପି ଅଣାଯିବ। ଏହା ଦ୍ୱାରା ଦେଶରେ ୭୦% ସାଇବର ଅପରାଧକୁ ନିୟନ୍ତ୍ରଣ କରାଯାଇ ପାରିବ ବୋଲି ଗୃହମନ୍ତ୍ରୀ କହିଛନ୍ତି।

S4C କ’ଣ?
ଏସ-ଫୋର-ସି ଏକ ନ୍ୟାସନାଲ ଡ୍ୟାସବୋର୍ଡ, ଯାହାର କାମ ସାଇବର ଫ୍ରଡକୁ ରୋକିବା ଲାଗି ତୁରନ୍ତ ତାହାକୁ ଡିଟେକ୍ଟ ଓ ଟ୍ରେସ୍ କରିବ। ଏସ୍ ଫୋର ସିର ପୁରା ନାମ ହେଉଛି ଷ୍ଟେଟ୍ ସାଇବର କ୍ରାଇମ କୋଅର୍ଡିନେସନ ସେଣ୍ଟର। ଏହା ଏକ ନ୍ୟାସନାଲ ସାଇବର ଇଣ୍ଟେଲିଜେନ୍ସ ଆଣ୍ଡ ମନିଟରିଂ ପ୍ଲାଟଫର୍ମ, ଯାହାକୁ ଇଣ୍ଡିଆନ ସାଇବର କ୍ରାଇମ କୋଅର୍ଡିନେସନ ସେଣ୍ଟର ବିକଶିତ କରିଛି। ଏହି ୧୪-ସି ଏଜେନ୍ସୀ ଗୃହମନ୍ତ୍ରାଳୟ ଅଧିନରେ କାମ କରୁଛି। ଏବେ ଏହା ଅଧିନରେ ଦେଶର ସବୁ ରାଜ୍ୟଙ୍କ ସାଇବର ସେଣ୍ଟର ସିଧା ସମ୍ପର୍କରେ ରହିବେ।