ନୂଆଦିଲ୍ଲୀ: ଏସିଆ କପ୍ ୨୦୨୫କୁ ଆଉ କିଛି ଦିନ ବାକି ରହିଛି। ଟୁର୍ଣ୍ଣାମେଣ୍ଟରେ ଭାରତ ଓ ପାକିସ୍ତାନ ମ୍ୟାଚ୍କୁ ନେଇ ପ୍ରଶଂସକଙ୍କ ମଧ୍ୟରେ ନାହିଁ ନ ଥିବା ଉତ୍ସାହ ଦେଖିବାକୁ ମିଳିଛି। ପ୍ରତିଥର ପରି ଏଥର ବି ପାକିସ୍ତାନ ପକ୍ଷରୁ ଟିମ୍ ଇଣ୍ଡିଆକୁ ପରାସ୍ତ କରିବାର ବଡ଼ ବଡ଼ କଥା କୁହାଗଲାଣି। ଏଥର ଏହି ଦାବି ପାକିସ୍ତାନ ଦଳର ପ୍ରଦର୍ଶନ ନିର୍ଦ୍ଦେଶକ ଆକିବ ଜାଭେଦ କରିଛନ୍ତି। ସେ କହିଛନ୍ତି ତାଙ୍କର ବିଶ୍ୱାସ ଯେ ବାବର ଆଜମ ଏବଂ ମହମ୍ମଦ ରିଜୱାନଙ୍କ ବିନା ପାକିସ୍ତାନ ଦଳ ଏସିଆ କପ୍ରେ ଭାରତକୁ ପରାସ୍ତ କରିପାରିବ।
ଗତ ଚାରି ଥର ପାକିସ୍ତାନ ଦଳ ବହୁ-ରାଷ୍ଟ୍ରୀୟ ଟୁର୍ଣ୍ଣାମେଣ୍ଟରେ ଭାରତକୁ ପରାସ୍ତ କରିପାରିନାହିଁ। ପାକ୍ ଦଳର ଏହି ଚାରୋଟି ପରାଜୟ ୨୦୨୩ ଏସିଆ କପ୍, ୨୦୨୩ ଦିନିକିଆ ବିଶ୍ୱକପ୍, ୨୦୨୪ ଟି୨୦ ବିଶ୍ୱକପ୍ ଏବଂ ୨୦୨୫ ଚାମ୍ପିଅନ୍ସ ଟ୍ରଫିରେ ଆସିଛି। ଏସିଆ କପ୍ ପାଇଁ ଚୟନ ହୋଇଥିବା ପାକିସ୍ତାନ ଦଳରେ ବାବର ଆଜମ, ମହମ୍ମଦ ରିଜୱାନ, ନସୀମ ଶାହ ଏବଂ ଶାଦାବ ଖାନଙ୍କ ପରି ବଡ଼ ନାମ ନାହିଁ।
ଆକିବ ଜାଭେଦ ଏସିଆ କପ୍ ପାଇଁ ପାକ୍ ଦଳ ଘୋଷଣା କରିଛନ୍ତି। ଦଳ ଘୋଷଣା କରିବା ସମୟରେ ସେ କହିଛନ୍ତି, "ଏହି ଦଳ ଏସିଆ କପରେ ଭାରତକୁ ପରାସ୍ତ କରିବାର କ୍ଷମତା ରଖିଛି। ବିଶ୍ୱାସ କରନ୍ତୁ କି ନକରନ୍ତୁ, ଭାରତ ବନାମ ପାକିସ୍ତାନ ବିଶ୍ୱ କ୍ରିକେଟର ସବୁଠାରୁ ବଡ଼ ମ୍ୟାଚ୍। ସମସ୍ତେ ଏହା ଜାଣନ୍ତି। ଆମର ଦଳ ଯେକୌଣସି ଦଳକୁ ପରାସ୍ତ କରିପାରିବ। ଆମର ପ୍ରତ୍ୟେକ ଖେଳାଳି ପ୍ରସ୍ତୁତ।"
ଯଦି ଏସିଆ କପରେ ଭାରତ ବନାମ ପାକିସ୍ତାନ ମ୍ୟାଚ୍ ହୁଏ, ତେବେ ଏହା କେବଳ ଏକ କ୍ରିକେଟ ମ୍ୟାଚ୍ ହେବ ନାହିଁ। ପ୍ରକୃତରେ, ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତୀୟ ସେନା ଦ୍ୱାରା କରାଯାଇଥିବା ଅପରେସନ ସିନ୍ଦୁର ପରେ ଏହା ପ୍ରଥମ ଥର ହେବ ଯେତେବେଳେ ଉଭୟ ଦେଶର କ୍ରିକେଟ ଦଳ ପରସ୍ପରର ମୁହାଁମୁହିଁ ହେବେ। ଏହି କାରଣଗୁଡ଼ିକ ପାଇଁ, ଭାରତୀୟ ପ୍ରଶଂସକଙ୍କ ଭାବନା ଏହି ଭାରତ-ପାକିସ୍ତାନ ମ୍ୟାଚ୍ ସହିତ ବିଶେଷ ଭାବରେ ଜଡିତ ହେବ।
ଭାରତ ଏବଂ ପାକିସ୍ତାନକୁ ଏସିଆ କପ୍ ୨୦୨୫ ର ଗ୍ରୁପ୍ ଏ ରେ ରଖାଯାଇଛି, ଯେଉଁଥିରେ ଓମାନ ଏବଂ ୟୁଏଇ ରହିଛି। ଟିମ୍ ଇଣ୍ଡିଆ ଏବଂ ପାକିସ୍ତାନ ମଦ୍ୟରେ ସେପ୍ଟେମ୍ବର ୧୪ ରେ ମ୍ୟାଚ୍ ଖେଳାଯିବ। ଯଦି ଉଭୟ ଦଳ ସୁପର-୪ ପାଇଁ ଯୋଗ୍ୟତା ଅର୍ଜନ କରନ୍ତି, ତେବେ ଏସିଆ କପରେ ଦୁଇ ଦଳ ମଧ୍ୟରେ ଦ୍ୱିତୀୟ ମ୍ୟାଚ୍ ସେପ୍ଟେମ୍ବର ୨୧ ରେ ଖେଳାଯାଇପାରିବ।