ଅପରେସନ ସିନ୍ଦୂର ପରେ ଭୟରେ ପାକିସ୍ତାନ, ୪୮ ଘଣ୍ଟା ପାଇଁ ବନ୍ଦ କଲା ଏୟାରସ୍ପେଶ

Published By : Prameya-News7 Bureau | May 07, 2025 IST

ନୂଆଦିଲ୍ଲୀ: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ଜବାବରେ ଭାରତ କରିଛି ଅପରେସନ ସିନ୍ଦୂର। ଏହି ବଡ଼ ସାମରିକ ଅପରେସନରେ ପାକିସ୍ତାନ ଏବଂ ପାକ୍ ଅଧିକୃତ କାଶ୍ମୀରରେ ନଅଟି ଆତଙ୍କୀ ଆଡ୍ଡା ଧ୍ବଂସ କରିଛି ଇଣ୍ଡିଆନ୍ ଆର୍ମି।ସେପଟେ ଏହି ଅପରେସନ ପରେ ଭୟରେ ପାକିସ୍ତାନ। ବୁଧବାର ପାକିସ୍ତାନ ଏବଂ ପିଓକେରେ ଆତଙ୍କବାଦୀ ଆଡ୍ଡା ଉପରେ ହୋଇଥିବା ସାମରିକ ଅପରେସନ୍ ପରେ ଭୟରେ ପାକିସ୍ତାନ ଏହାର ଏୟାରସ୍ପେଶକୁ ବନ୍ଦ କରିଛି। ମିଳିଥିବା ସୂଚନା ଅନୁଯାୟୀ ପାକିସ୍ତାନ ଏହାର ଏୟାରସ୍ପେଶକୁ ପ୍ରାୟ ୪୮ ଘଣ୍ଟା ପାଇଁ ବନ୍ଦ ଘୋଷଣା କରିଛି। 

ସୂଚନା ଅନୁଯାୟୀ, କର୍ତ୍ତୃପକ୍ଷ ପ୍ରଥମେ ଇସଲାମାବାଦ ଏବଂ ଲାହୋର ଏୟାରସ୍ପେଶରେ କଟକଣା ଲଗାଇଥିଲେ। ହେଲେ ପରବର୍ତ୍ତୀ ସମୟରେ, ସୁରକ୍ଷା ଦୃଷ୍ଟିରୁ ୪୮ ଘଣ୍ଟା ପାଇଁ ସମ୍ପୂର୍ଣ୍ଣ ଏୟାରସ୍ପେଶକୁ ବନ୍ଦ କରାଯାଇଛି। 

ଏହି କଟକଣା କାରଣରୁ କରାଚୀର ଜିନ୍ନା ବିମାନବନ୍ଦରରେ ବହୁ ଉଡ଼ାଣ ବିଳମ୍ବ ହୋଇଥିଲା। FlightRadar24ର ରିପୋର୍ଟ ଅନୁଯାୟୀ, ବୁଧବାର ସକାଳ ସୁଦ୍ଧା ସ୍ଥାନୀୟ ସମୟ ସୁଦ୍ଧା, ପାକିସ୍ତାନକୁ କିମ୍ବା ପାକିସ୍ତାନରୁ ୫୨ଟି ବିମାନ ଉଡ଼ାଣକୁ ସ୍ଥଗିତ ରଖାଯାଇଛି।

ନେଦରଲ୍ୟାଣ୍ଡର ବିମାନ କମ୍ପାନି KLM, ପରବର୍ତ୍ତୀ ସୂଚନା ପର୍ଯ୍ୟନ୍ତ ପାକିସ୍ତାନ ଉପରେ କାର୍ଯ୍ୟ ସ୍ଥଗିତ ରଖିବା ନିଶ୍ଚିତ କରିଛି। ସିଙ୍ଗାପୁର ଏୟାରଲାଇନ୍ସ ମଧ୍ୟ ୬ ତାରିଖରୁ ପାକିସ୍ତାନୀ ଏୟାରସ୍ପେଶ ବ୍ୟବହାର ବନ୍ଦ କରିଛି। କୋରିଆନ୍ ଏୟାରଲାଇନ୍ସ ମଧ୍ୟ ସିଓଲ୍ ଇଞ୍ଚିଅନ୍-ଦୁବାଇ ରୁଟ ପରିବର୍ତ୍ତନ କରିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.