ନୂଆଦିଲ୍ଲୀ ୦୪/୦୬: ପାକ୍ ସେନା ମୁଖ୍ୟ ଜେନେରାଲ ଅସୀମ ମୁନିରଙ୍କ ବିରୋଧରେ ଥମୁନି ଅଭିଯୋଗ । ଗମ୍ଭୀର ଅଭିଯୋଗ ଆଣିଛନ୍ତି ପାକିସ୍ତାନର ଜେଲରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ଇମ୍ରାନ କହିଛନ୍ତି ଯେ ମୁନିର କେବଳ ରାଜନୈତିକ ନୁହେଁ ବରଂ ବ୍ୟକ୍ତିଗତ ଶତ୍ରୁତା ପାଇଁ ମଧ୍ୟ ମୋ ପତ୍ନୀ ବୁଶରା ବିବିଙ୍କୁ ଟାର୍ଗେଟ କରିଛନ୍ତି। ସୋମବାର ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଏକ ପୋଷ୍ଟ ମାଧ୍ୟମରେ ଜେନେରାଲ ମୁନିରଙ୍କ 'ପ୍ରତିଶୋଧ' ବିଷୟରେ ଇମ୍ରାନ ଖାନ ଲେଖିଛନ୍ତି ।
ଯେତେବେଳେ ମୁଁ ପ୍ରଧାନମନ୍ତ୍ରୀ ଥିଲି ସେତେବେଳେ ମୁଁ ଜେନେରାଲ ଅସୀମ ମୁନିରଙ୍କୁ ଇଣ୍ଟର-ସର୍ଭିସେସ୍ ଇଣ୍ଟେଲିଜେନ୍ସ (ISI) ର ମହାନିର୍ଦ୍ଦେଶକ ପଦରୁ ହଟାଇଥିଲି । ସେ ଏହି ବିଷୟରେ ଆଲୋଚନା କରିବା ପାଇଁ କିଛି ଉପାୟରେ ମୋ ପତ୍ନୀ ବୁଶରା ବିବିଙ୍କ ସହିତ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ବୁଶରା ବିବି ସ୍ପଷ୍ଟ ଭାବରେ ମନା କରିଦେଇଥିଲେ । ସେ କହିଥିଲେ ଯେ ସେ ଏହି ମାମଲାରେ ଜଡିତ ନୁହଁନ୍ତି ଓ କାହାକୁ ଭେଟିବେ ନାହିଁ ।
ଇମ୍ରାନ କହିଛନ୍ତି ଯେ ଏହିଠାରୁ ଜେନେରାଲ ମୁନିରଙ୍କ ତାଙ୍କ ପ୍ରତି ଅସନ୍ତୋଷ ଆରମ୍ଭ ହୋଇଥିଲା । ସେ ଅଭିଯୋଗ କରିଛନ୍ତି, ଜେନେରାଲ ଅସୀମ ମୁନିରଙ୍କ ଏହି ପ୍ରତିଶୋଧ ଯୋଗୁଁ ବୁଶରା ବିବିଙ୍କୁ ୧୪ ମାସର ଅନ୍ୟାୟ ଜେଲ ଭୋଗିବାକୁ ପଡିଲା । ଇମ୍ରାନ ଖାନ ଆହୁରି ଲେଖିଛନ୍ତି, ବ୍ୟକ୍ତିଗତ ପ୍ରତିଶୋଧ ପାଇଁ ମୋ ପତ୍ନୀଙ୍କୁ ଯେପରି ଟାର୍ଗେଟ କରାଯାଇଥିଲା ତାହା ପାକିସ୍ତାନର ଇତିହାସରେ କେବେବି ହୋଇନାହିଁ ।
ଏକଛତ୍ରବାଦ ଯୁଗରେ ମଧ୍ୟ ନୁହେଁ। ତାଙ୍କ ବିରୋଧରେ ଏପରି ଅଭିଯୋଗ ଲଗାଯାଇଥିଲା ଯାହାର କୌଣସି ପ୍ରମାଣ ଆଜି ପର୍ଯ୍ୟନ୍ତ ମିଳିନାହିଁ। ତାଙ୍କୁ ମିଥ୍ୟା ମାମଲାରେ ବାରମ୍ବାର ଗିରଫ କରାଯାଇଥିଲା। ସେ ଜଣେ ଗୃହିଣୀ ଯାହାଙ୍କର ରାଜନୀତି ସହିତ କୌଣସି ସମ୍ପର୍କ ନାହିଁ। ଇମ୍ରାନ କହିଛନ୍ତି ଯେ ଗତ ଚାରି ସପ୍ତାହ ଧରି ମୋତେ ମୋ ସ୍ତ୍ରୀଙ୍କୁ ଭେଟିବାକୁ ମଧ୍ୟ ଅନୁମତି ଦିଆଯାଇନାହିଁ। ଜେଲ ନିୟମ ଅନୁଯାୟୀ, ମୋର ସାକ୍ଷାତ ଜୁନ୍ ୧ ତାରିଖରେ ସ୍ଥିର କରାଯାଇଥିଲା । କିନ୍ତୁ କୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ, ସେହି ସାକ୍ଷାତକୁ ମଧ୍ୟ ବନ୍ଦ କରିଦିଆଯାଇଥିଲା।
ଇମ୍ରାନ ୯ ମେ ୨୦୨୩ର ଘଟଣା ଉଲ୍ଲେଖ କରିଥିଲେ । ଦାବି କରିଥିଲେ ଯେ ପାକିସ୍ତାନରେ ସାମରିକ ଘାଟି ଉପରେ ଆକ୍ରମଣ ହୋଇଥିବା ଦିନଟି ଏକ ପୂର୍ବ ଯୋଜନାବଦ୍ଧ ଷଡ଼ଯନ୍ତ୍ର ଥିଲା। ଏସବୁ 'ଲଣ୍ଡନ ଯୋଜନା'ର ଏକ ଅଂଶ ଥିଲା, ଯାହାର ଲକ୍ଷ୍ୟ କେବଳ ପାକିସ୍ତାନ ତେହେରିକ୍-ଏ-ଇନସାଫ୍ (PTI)କୁ ସମାପ୍ତ କରିବା ଥିଲା।
ସେ ଅଭିଯୋଗ କରିଥିଲେ ଯେ ଏହି ଷଡ଼ଯନ୍ତ୍ର ଅଧୀନରେ, ମୋତେ, ମୋ ଦଳର ନେତା ଏବଂ କର୍ମୀମାନଙ୍କୁ ବେଆଇନ ଭାବରେ ଜେଲରେ ରଖାଯାଇଥିଲା। ନିର୍ବାଚନୀ ଜନାଦେଶ ଚୋରି କରାଯାଇଥିଲା ଏବଂ ଶରିଫ୍ ଏବଂ ଜର୍ଦ୍ଦାରୀ ଭଳି ଦୁର୍ନୀତିଗ୍ରସ୍ତ ଲୋକଙ୍କୁ ଦେଶ ଉପରେ ଲଦି ଦିଆଯାଇଥିଲା।