ପାକିସ୍ତାନରେ ଉଦ୍ଧାର କାର୍ଯ୍ୟ ବେଳେ MI-17 ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ୫ ଜଣଙ୍କ ମୃତ୍ୟୁ

Published By : Prameya-News7 Bureau | August 15, 2025 IST

ନୂଆଦିଲ୍ଲୀ : ପାକିସ୍ତାନର ଖୈବର ପଖତୁନଖ୍ୱା ପ୍ରଦେଶରେ ଏକ ହେଲିକପ୍ଟର ଶୁକ୍ରବାର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ୫ଜଣ କ୍ରୁ ମେମ୍ୱରଙ୍କ ମୃତ୍ୟୁ ହୋଇଛି। ନ୍ୟୁଜ୍ ଏଜେନ୍ସି ଏଏଫପି ଖୈବର ପଖତୁନଖ୍ୱା ପ୍ରଦେଶର ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତିର ଉଲ୍ଲେଖ କରି ଏହି ସୂଚନା ଦେଇଛି। ସିଏମ୍‌ ଅଲି ଅମିନ ଗଣ୍ଡାପୁର କହିଛନ୍ତି ଯେ, ଖରାପ ପାଗ କାରଣରୁ ଏହି ଦୁର୍ଘଟଣା ହୋଇଥାଇ ପାରେ। ମୋହମନ୍ଦ ଜିଲ୍ଲାର ପାଣ୍ଡିଆଲି ଅଞ୍ଚଳରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। 

ଅଲି ଅମିନ ଗଣ୍ଡାପୁର ନିଜର ବିବୃତ୍ତିରେ କହିଛନ୍ତି, ରାଜ୍ୟ ସରକାରଙ୍କ ଏମଆଇ-୧୭ ହେଲିକପ୍ଟର, ଯାହାକି ବାଜୌରର ବନ୍ୟା ପ୍ରଭାବିତ ଅଞ୍ଚଳ ପାଇଁ ରିଲିଫ୍‌ ସାମଗ୍ରୀ ନେଇ ଯାଉଥିଲା, ଖରାପ ପାଗ କାରଣରୁ ମୋହମନ୍ଦ ଜିଲ୍ଲାର ପାଣ୍ଡିଆଲି ଅଞ୍ଚଳରେ ଏହି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ୫ଜଣ କ୍ରୁ ମେମ୍ୱରଙ୍କ ମୃତ୍ୟୁ ହୋଇଛି, ଯେଉଁଥିରେ ଦୁଇ ଜଣ ପାଇଲଟ ସାମିଲ ଥିଲେ।  

ନ୍ୟୁଜ୍‌ ଏଜେନ୍ସି ପିଟିଆଇ ଅନୁସାରେ , ଖୈବର ପଖତୁନଖ୍ୱା ସରକାରଙ୍କ ଏମଆଇ-୧୭ ହେଲିକପ୍ଟର ପେଶାୱରରୁ ବାଜୌର ପାଇଁ ଉଡ଼ାଣ ଭରି ଥିଲା , ଯାହାର ମୋହମନ୍ଦ ଆଦିବାସୀ ଜିଲ୍ଲା ଉପରେ ପହଞ୍ଚିବା କ୍ଷଣି ସଂପର୍କ କଟି ଯାଇଥିଲା। ଅଧିକାରୀମାନେ କହିଛନ୍ତି ଯେ, ଏହା ସ୍ଥିର କରିବା ବାକି ରହିଛି ଯେ, ଦୁର୍ଘଟଣାର କାରଣ କେବଳ ପାଣିପାଗ ଥିଲା ବା ଦ୍ୱିତୀୟ କାରଣ ମଧ୍ୟ ହୋଇପାରେ। ଖବରରେ କୁହାଯାଇଛି ଯେ, ଉଦ୍ଧାର ଅଧିକାରୀଙ୍କ ଟିମ୍‌କୁ ଦୁର୍ଘଟଣା ସ୍ଥଳକୁ ପଠାଯାଇଛି।

ପାକିସ୍ତାନ ଓ ଏହାର କବଜାରେ ଥିବା କାଶ୍ମୀର (ପିଓକେ) ର ବିଭିନ୍ନ ଭାଗରେ ଗତ ୨୪ ଘଣ୍ଟା ଭିତରେ ଖୁବ୍‌ ବର୍ଷା ହୋଇଛି। ଏଥି ସହ ଜଡ଼ିତ ଘଟଣାରେ ୧୬୪ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଆହୁରି ଅନେକ ନିଖୋଜ ଅଛନ୍ତି। ଖୈବର ପଖତୁନଖ୍ୱା ପ୍ରଦେଶରେ ଅଧିକାଂଶ ମୃତ୍ୟୁ ହୋଇଛି , ସେଠାରେ ପ୍ରବଳ ବର୍ଷା ଯୋଗୁଁ ବିଭିନ୍ନ ଜିଲ୍ଲାରେ ହଠାତ୍‌ ବନ୍ୟା ଆସିଛି। ବନ୍ୟାରେ ଅନେକ ଅନେକ କୋଠା କ୍ଷତିଗ୍ରସ୍ତ ହୋଇଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.