ନୂଆଦିଲ୍ଲୀ: ଭାରତର ପ୍ରତିଆକ୍ରମଣରେ ମାଟି କାମୁଡ଼ିଲାଣି ପାକିସ୍ତାନ, ହେଲେ ତଥାପି ଛାଡ଼ୁନି ମୁହିଁ । ଭାରତକୁ ବଦନାମ୍ କରିବାକୁ ନୂଆ ନୂଆ ତରିକା ଆପଣାଉଛି । ଭାରତୀୟ ସେନା ଆଫଗାନିସ୍ତାନକୁ ମିସାଇଲ୍ ମାଡ଼ କରିଥିବା ନେଇ ମିଛ ପ୍ରଚାର କରିଥିଲା । ମାତ୍ର ଏହାକୁ ଖାରଜ୍ କରିଛନ୍ତି ଖୋଦ୍ ତାଲବାନ ସରକାର । ଆଫଗାନିସ୍ତାନର ପ୍ରତିରକ୍ଷା ମନ୍ତ୍ରାଳୟ ମୁଖପାତ୍ର ଇନାୟତୁଲ୍ଲାହ ଖାଭରିଜମୀ 'ହୁରିୟତ ରେଡ଼ିଓ'କୁ ସାକ୍ଷାତକାର ଦେଇ ମିସାଇଲ୍ ଆକ୍ରମଣକୁ ଖାରଜ କରିଛନ୍ତି । ପାକିସ୍ତାନର ଦାବିରେ କୌଣସି ଆଧାର ନାହିଁ ବୋଲି ସେ କହିଛନ୍ତି ।
ଖାରଜ କଲା ଆଫଗାନିସ୍ତାନ:
ସୂଚନା ଅନୁଯାୟୀ, ପାକିସ୍ତାନର ସୈନ୍ୟ ଅଧିକାରୀ ଦାବି କରିଥିଲେ ଯେ, ଭାରତ ଦ୍ବାରା ହୋଇଥିବା ମିସାଇଲ ହମଲା ଆଫଗାନିସ୍ତାନ କ୍ଷେତ୍ରକୁ ପ୍ରଭାବିତ କରିଛି । ମାତ୍ର ଆଫଗାନିସ୍ତାନର ତାଲିବାନ ସରକାର ଏହାକୁ ଆଧାର ହୀନ ବୋଲି କହିଛନ୍ତି । ପାକିସ୍ତାନର ଏହି ଦାବି ଦେଶ ଭିତରେ ଉତ୍ତେଜନା ବୃଦ୍ଧି କରିବାକୁ ସଙ୍କେତ ଦେଉଛି ବୋଲି କୁହାଯାଉଛି । ଅନ୍ୟପଟେ ଭାରତୀୟ ବିଦେଶ ମନ୍ତ୍ରାଳୟ ମିସାଇଲ୍ ମାଡ଼ ଘଟଣାକୁ ମଧ୍ୟ ଖାରଜ କରିଛି । ମନ୍ତ୍ରାଳୟ ପକ୍ଷରୁ କୁହାଯାଉଛି, ଆଫଗାନିସ୍ତାନର ଜନସାଧାରଣ ଭଲ ଭାବେ ଜାଣିଛନ୍ତି ଯେ, ସେମାନଙ୍କର ସଂପ୍ରଭୁତାକୁ କିଏ ବାରମ୍ବାର ଉଲ୍ଲଙ୍ଘନ କରିଆସୁଛି ।
ମିଛ ପ୍ରଚାର କରୁଛି ପାକିସ୍ତାନ:
ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତଜେନା ବଢ଼ୁଛି । ଗତ ୩ ଦିନ ହେଲାଣି ଦୁଇ ଦେଶ ମଧ୍ୟରେ ଏକ ପ୍ରକାର ଅଘୋଷିତ ଯୁଦ୍ଧ ଚାଲିଛି । ଏହାରି ଭିତରେ ପାକିସ୍ତାନ ନିଜର ମିଛ ମତ ପ୍ରଚାର ମଧ୍ୟ କରୁଛି । ପୂର୍ବରୁ ପାକ୍ ମିଛ ପ୍ରୋପାଗେଣ୍ଡା ପ୍ରଚାର କରିଥିଲା ଯେ, ଭାରତ ଅତ୍ୟାଧୁନିକ ଯୁଦ୍ଧ ବିମାନ ରାଫେଲକୁ ମାରି ଖସାଇଥିଲା । ମାତ୍ର ଭାରତର ବିଦେଶ ସଚିବ ବିକ୍ରମ ମିଶ୍ରି ଏହାକୁ ଖଣ୍ଡନ କରିଥିଲେ । ସେ କହିଥିଲେ, ସମୟ ଆସିଲେ ସରକାରୀ ଭାବେ ଏହା ଉପରେ ସୂଚନା ଦିଆଯିବ ।...