BMC ନିର୍ବାଚନ ପାଇଁ ବିଜେପି-ଶିବସେନା ଜାରି କଲେ ଘୋଷଣା ପତ୍ର, BESTରେ ମହିଳାଙ୍କ ପାଇଁ ୫୦% ରିହାତି

NEWS7
pakistan-army-in-turmoil-cjcsc-reportedly-detains-army-chief-asim-munir-officers-demand-resignation

ମୁମ୍ବାଇ ୧୧।୧: ବୃହନ୍ମୁମ୍ବାଇ ମହାନଗର ପାଳିକା (ବିଏମସି) ନିର୍ବାଚନ ନିମନ୍ତେ ବିଜେପି ଓ ଶିବସେନା ରବିବାର ମହାଯୁତିର ଘୋଷଣାପତ୍ର ଜାରି କରିଛନ୍ତି। ବିଜେପି ଓ ଶିବସେନା ହାତକୁ ବିଏମସି ଆସିଲେ ମହିଳାଙ୍କୁ ବେଷ୍ଟ ବସ ଭଡ଼ାରେ ୫୦ ପ୍ରତିଶତ ରିହାତି ଦିଆଯିବାର ପ୍ରତିଶ୍ରୁତି ଦିଆଯାଇଛି। ମୁମ୍ବାଇ ବିଏମସି ନିର୍ବାଚନରେ ବିଜେପି-ଶିବସେନା ସହିତ ରାମଦାସ ଅଠାବଲେଙ୍କ ପାର୍ଟି ମଧ୍ୟ ମେଣ୍ଟ କରିଛି। ତେବେ ନିର୍ବାଚନରେ ମୁଖ୍ୟ ବିରୋଧୀ ଠାକରେ ଭ୍ରାତାଙ୍କ ମାରାଠା କାର୍ଡ କୁ ଦୁର୍ବଳ କରିବା ପାଇଁ ବିଜେପି ଓ ଶିବସେନା ଅନେକ ବଡ଼ବଡ଼ ଘୋଷଣା କରିଛନ୍ତି।

ଘୋଷଣାପତ୍ରରେ କୁହାଯାଇଛି ଯେ ମରାଠୀ ଭାଷାକୁ ମଜଭୁତ କରିବା ପାଇଁ ନଗର ପାଳିକାରେ ଅଲଗା ମରାଠୀ ଡିପାର୍ଟମେଣ୍ଟ, ମରାଠୀ ଆର୍ଟ ସେଣ୍ଟର ଓ ଅଭ୍ୟାସ କେନ୍ଦ୍ର ସ୍ଥାପନା କରାଯିବ। ଜାନୁୟାରୀ ୧୫ ତାରିଖରେ ବିଏମସି ନିର୍ବାଚନ ଅନୁଷ୍ଠିତ ହେବ ଓ ଏହାର ଭୋଟଗଣତି ୧୬ ତାରିଖରେ ହେବ। ମହାଯୁତୀ ଘୋଷଣାପତ୍ରକୁ ‘ବଚନନାମା’ ନାମ ଦିଆଯାଇଛି। ଘୋଷଣାପତ୍ରର ପ୍ରଥମ ପୃଷ୍ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ବାଲଠାକରେ ଓ ଆନନ୍ଦ ଦିଘେଙ୍କ ଫଟୋ ରହିଛି। ତେବେ ଠାକରେ ଭ୍ରାତା ପୂର୍ବରୁ ସେମାନଙ୍କ ମେଣ୍ଟର ଘୋଷଣାପତ୍ର ଜାରି କରିସାରିଛନ୍ତି।

ମହାଯୁତୀର ଘୋଷଣାପତ୍ରରେ ମୁମ୍ବାଇ କୁ ୨୦୩୪ ସୁଦ୍ଧା ଏକ ବିକଶିତ ମହାନଗରରେ ପରିଣତ କରିବାର ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ପାଣି, ବିଇଏସଟି, ମାର୍କେଟ, ଇଣ୍ଡଷ୍ଟ୍ରି, ଟୁରିଜିମ ଓ ସାଂସ୍କୃତିକ ବିକାଶ ଉପରେ ଶାସକ ମେଣ୍ଟ ଫୋକସ କରିଛି। ଆଗାମୀ ୫ ବର୍ଷରେ ଗରଗଇ, ପିଞ୍ଜଲ ଓ ଦାମନଗଙ୍ଗା ପ୍ରୋଜେକ୍ଟ ସମ୍ପୂର୍ଣ୍ଣ କରିବାକୁ ପ୍ରତିଶ୍ରୁତି ଦିଆଯାଇଛି। ପରିବେଶ ସଂରକ୍ଷଣ ନିମନ୍ତେ ବିଶେଷ ଯୋଜନାରେ ୧୭ ହଜାର କୋଟି ଟଙ୍କାର ବଜେଟ ଅଣାଯିବ ବୋଲି କୁହାଯାଇଛି।

ସେହିପରି ବିଏମସି ବଜାରମାନଙ୍କରେ ମାଛ ବିକ୍ରି କରୁଥିବା ବ୍ୟବସାୟୀଙ୍କ ନିମନ୍ତେ କୋଲ୍ଡ ଷ୍ଟୋର ବ୍ୟବସ୍ଥା, ବିଇଏସଟିରେ ମହିଳାଙ୍କୁ ୫୦ ପ୍ରତିଶତ ରିହାତି ପ୍ରତିଶ୍ରୁତି ସହିତ ୨୦୨୯ ସୁଦ୍ଧା ବିଇଏସଟିକୁ ସମ୍ପୂର୍ଣ୍ଣ ଇଲେକ୍ଟ୍ରିକ କରିବା ଓ ବସ୍ ସଂଖ୍ୟା ୫ ହଜାରରୁ ବଢାଇ ୧୦ ହଜାର କରିବାର ପ୍ରତିଶ୍ରୁତି ରହିଛି। ମୁମ୍ବାଇ ମହାନଗରପାଳିକା ଅର୍ଥାତ ବିଏମସି ହେବାକୁ ଥିବା ନିର୍ବାଚନ ନିମନ୍ତେ ମହାଯୁତୀ ଭୋଟ ଗ୍ରହଣର ଠିକ ୪ ଦିନ ପୂର୍ବରୁ ଘୋଷଣାପତ୍ର ଜାରି କରିଛି। ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିଶ, ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଓ ଭାରତୀୟ ରିପବ୍ଲିକା ପାର୍ଟି ମୁଖ୍ୟ ରାମଦାସ ଅଠାବଲେଙ୍କ ଉପସ୍ଥିତିରେ ଏହି ଘୋଷଣାପତ୍ର ଜାରି ହୋଇଛି।ଏହି ଘୋଷଣାପତ୍ରରେ ମୁମ୍ବାଇକୁ ରୋହିଙ୍ଗ୍ୟା ଓ ବାଂଲାଦେଶୀଙ୍କଠୁ ମୁକ୍ତ କରିବାକୁ ମଧ୍ୟ ପ୍ରତିଶ୍ରୁତି ଦିଆଯାଇଛି।