‘ପାକିସ୍ତାନ ଜାଣିଶୁଣି ଶିଖ୍‌ଙ୍କୁ ଟାର୍ଗେଟ୍ କରି ହତ୍ୟା କରୁଛି, ଲୋକଙ୍କୁ ଉସ୍‌କାଇବାକୁ ଧର୍ମକୁ ଅସ୍ତ୍ର କରୁଛି’

Published By : Prameya-News7 Bureau | May 08, 2025 IST

indiatoday

ନୂଆଦିଲ୍ଲୀପାକିସ୍ତାନ ଲୋକଙ୍କୁ ଉତ୍ତେଜିତ କରିବା ପାଇଁ ଧର୍ମର ବ୍ୟବହାର କରୁଛି। ଶିଖ୍‌ ସମ୍ପ୍ରଦାୟର ଲୋକଙ୍କ ଉପରେ ଆକ୍ରମଣ କରି ସେମାନଙ୍କୁ ଉସ୍‌କାଇବାକୁ ଚାହୁଁଛି ବୋଲି ଗୁରୁବାର ବୈଦେଶିକ ସଚିବ ବିକ୍ରମ ମିଶ୍ରୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ପାକିସ୍ତାନ ଶିଖ୍ ସମ୍ପ୍ରଦାୟଙ୍କୁ ଟାର୍ଗେଟ୍ କରି ବୁଧବାର ପୁଞ୍ଚରେ ଏକ ଗୁରୁଦ୍ୱାର ଏବଂ ଶିଖ ଲୋକଙ୍କ ଅନେକ ଘର ଉପରେ ଆକ୍ରମଣ କରିଛି। ଯେଉଁଥିରେ ୧୬ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଛି। ଏବଂ ଅନେକ ଆହତ ହୋଇଛନ୍ତି ବୋଲି ମିଶ୍ରୀ ସୂଚନା ଦେଇଛନ୍ତି। 

ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି “ଗତକାଲି, ପାକିସ୍ତାନ ଜାମ୍ମୁ-କାଶ୍ମୀରର ଶିଖ ସମ୍ପ୍ରଦାୟଙ୍କୁ ଟାର୍ଗେଟ୍ କରି ପୁଞ୍ଚର ଏକ ଗୁରୁଦ୍ୱାରକୁ ଆକ୍ରମଣ କରିବା ସହିତ ଶିଖ ସମ୍ପ୍ରଦାୟର ସଦସ୍ୟଙ୍କୁ ଆକ୍ରମଣ କରିଥିଲା। ଆକ୍ରମଣରେ ତିନି ଜଣ ବ୍ୟକ୍ତି ପ୍ରାଣ ହରାଇଥିଲେ। ପୁଞ୍ଚରେ ମୋଟ ୧୬ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି ଏବଂ ଅନେକ ଆହତ ହୋଇଛନ୍ତି।” 

ପଢନ୍ତୁ- ଅଜିତ ଡୋଭାଲଙ୍କ ସହ ଆଲୋଚନା କଲେ ପାକିସ୍ତାନ ଜାତୀୟ ସୁରକ୍ଷା ପରାମର୍ଶ ଦାତା: ପାକିସ୍ତାନ ବୈଦେଶିକ ମନ୍ତ୍ରୀଙ୍କ ସୂଚନା

ଏପ୍ରିଲ ୨୨ ତାରିଖରେ ପହଲଗାମ ଆତଙ୍କବାଦୀ ଆକ୍ରମଣର ଜବାବ ଦେଇ ଭାରତ ପିଓକେ ଓ ପାକିସ୍ତାନରେ ଅପରେସନ ସିନ୍ଦୂର ଆରମ୍ଭ କରି ଆତଙ୍କବାଦୀଙ୍କୁ ଟାର୍ଗେଟ୍ କରିଥିଲା। ୯ଟି ଆତଙ୍କବାଦୀଙ୍କ ଠିକଣାକୁ ଟାର୍ଗେଟ୍ କରାଯାଇଥିଲା। ସିନ୍ଦୂର ଅପରେସନ ପରେ ପାକିସ୍ତାନ ଭାରତ ଉପରେ ଆକ୍ରମଣ କରିଦେଇଛି। 

ଅପରେସନ ସିନ୍ଦୂରରେ ମରିଥିବା ଆତଙ୍କବାଦୀଙ୍କୁ ପାକିସ୍ତାନ କିଭଳି ରାଷ୍ଟ୍ରୀୟ ମର୍ଯ୍ୟାଦା ଦେଉଥିଲା ସେ କଥା ବି ଉଠାଇଛନ୍ତି ମିଶ୍ରୀ। ସେ କହିଛନ୍ତି “ଅଦ୍ଭୁତ କଥା ହେଉଛି ସାଧାରଣ ନାଗରିକଙ୍କ ଅନ୍ତିମ ସଂସ୍କାର ସେମାନଙ୍କ ଜାତୀୟ ପତାକାରେ କଫିନ ଗୁଡ଼ାଇ କରାଯାଉଛି। ଏବଂ ରାଷ୍ଟ୍ରୀୟ ସମ୍ମାନ ପ୍ରଦାନ କରାଯାଉଛି। ଏହି ଅପରେସନରେ ଯେଉଁମାନଙ୍କର ମୃତ୍ୟୁ ହେଲା ସେମାନେ ଆତଙ୍କବାଦୀ ଥିଲେ। ଆତଙ୍କବାଦୀଙ୍କ ଅନ୍ତିମ ସଂସ୍କାର ରାଷ୍ଟ୍ରୀୟ ମର୍ଯ୍ୟାଦା ଦେବା ପାକିସ୍ତାନରେ ଏକ ଅଭ୍ୟାସ ହୋଇପାରେ। କିନ୍ତୁ ଭାରତ ପାଇଁ ଏହାର କୌଣସି ଅର୍ଥ ନାହିଁ।”

ମିଶ୍ରୀ ଦୃଢ଼ତାର ସହିତ କହିଛନ୍ତି ଯେ ପାକିସ୍ତାନ ପରିସ୍ଥିତିକୁ ଆହୁରି ବିଗାଡ଼ି ଦେଇଛି ଏବଂ ଭାରତର କାର୍ଯ୍ୟାନୁଷ୍ଠାନ, ଅପରେସନ ସିନ୍ଦୂର, ବଡ଼ ସଂଯମତା ସହ କରାଯାଇ କେବଳ ଆତଙ୍କବାଦୀ ଭିତ୍ତିଭୂମିଙ୍କୁ ଟାର୍ଗେଟ୍ କରିବା ପର୍ଯ୍ୟନ୍ତ ସୀମିତ ଥିଲା। ହେଲେ ଏହାକୁ ଆହୁରି ବିଗାଡ଼ି ଦେଉଛି ବୋଲି ସେ କହିଛନ୍ତି। କେବଳ ସେତିକି ନୁହେଁ, ପାକିସ୍ତାନର ମିଛ ଦାବିକୁ ମଧ୍ୟ ସେ ଖଣ୍ଡନ କରିଛନ୍ତି। 
ପଢ଼ନ୍ତୁ- ଭାରତର ଧୈର୍ଯ୍ୟର ପରୀକ୍ଷା ନେଲେ, ଏମିତି କ୍ୱାଲିଟି ଜବାବ ପାଇଁ ପ୍ରସ୍ତୁତ ରୁହ: ପାକିସ୍ତାନକୁ ରାଜନାଥଙ୍କ ଚେତାବନୀ

ଭାରତ ସାଧାରଣ ଲୋକଙ୍କୁ ଆକ୍ରମଣ କରୁଛି ବୋଲି ପାକିସ୍ତାନ ଯେଉଁ ଅଭିଯୋଗ ଆଣିଛି ତାହା ସମ୍ପୂର୍ଣ୍ଣ ମିଛ ଓ ମନଗଢ଼ା ବୋଲି ଶ୍ରୀ ମିଶ୍ରି କହିଛନ୍ତି। ବିଶେଷକରି ନୀଲମ-ଝେଲମ ଡ୍ୟାମ୍ ଉପରେ ଆକ୍ରମଣ କରିବା ଅଭିଯୋଗ ପାକିସ୍ତାନ ମନଗଢ଼ା ବୋଲି ସେ କହିଛନ୍ତି। 

 

  • Operation Sindoor
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.