ଭାରତ ପାକିସ୍ତାନ ମ୍ୟାଚ ପୂର୍ବରୁ ବଢ଼ିଲା ବିମାନ ଭଡ଼ା, ହୋଟେଲ ବି ମହଙ୍ଗା

NEWS7
paika-bidroha-film-in-mumbai-short-film

ନୂଆଦିଲ୍ଲୀ: ଫେବୃଆରୀ ୧୫ରେ ଶ୍ରୀଲଙ୍କାର କଲମ୍ବୋରେ ଖେଳାଯିବ ଭାରତ ଏବଂ ପାକିସ୍ତାନ ମଧ୍ୟରେ ୨୦୨୬ ଟି୨୦ କ୍ରିକେଟ ବିଶ୍ୱକପ୍ ମ୍ୟାଚ୍। ବହୁ ବାଦ ବିବାଦ ଭିତରେ ଏହି ମ୍ୟାଚ ହେବାକୁ ଯାଉଥିବାବେଳେ, ଦୁଇ ପାରମ୍ପରିକ ଟିମକୁ ଲଢ଼ିବାର ଦେଖିବାକୁ ଫ୍ୟାନ୍ସମାନେ ବି ଖୁବ୍ ଉତ୍କଣ୍ଠିତ। ହେଲେ ଏହି ମ୍ୟାଚକୁ କଲମ୍ବୋ ଯାଇ ଦେଖିବାକୁ ଚାହୁଥିବା ଫ୍ୟାନ୍ସଙ୍କୁ କିନ୍ତୁ ଅସୁବିଧାର ସାମ୍ନା କରିବାକୁ ପଡ଼ିପାରେ। କାରଣ କଲୋମ୍ବୋ ଯାଇ ଏହି ମ୍ୟାଚ ଦେଖିବା ପୂର୍ବାପେକ୍ଷା ଅଧିକ ବ୍ୟୟବହୁଳ ହୋଇପାରେ। କେବଳ ଭଡ଼ା ପାଇଁ ପାଞ୍ଚ ଗୁଣ ଖର୍ଚ୍ଚ କରିବାକୁ ପଡ଼ିପାରେ।

ରିପୋର୍ଟ ଅନୁସାରେ, ଏବେ କଲୋମ୍ବୋକୁ ଫ୍ଲାଇଟ ଟିକେଟ ପ୍ରାୟ ୫ ଗୁଣ ବଢ଼ିଛି। ସାଧାରଣ ଦିନରେ କଲୋମ୍ବୋକୁ ୩୦ ହଜାର ରହୁଥିବା ବିମାନ ଟିକେଟ ଏବେ ସର୍ବାଧିକ ୧. ୪୫ ଲକ୍ଷ ଟଙ୍କାରେ ପହଞ୍ଚିଛନ୍ତି। ଅବଶ୍ୟ ଏହି ରେଟ୍ ୧୪ ଏବଂ ୧୫ ଫେବୃଆରୀ ପାଇଁ। ଆହୁରି ମଧ୍ୟ ଜାଣିଲେ ଚକିତ ହେବେ ଯେ, ବର୍ତ୍ତମାନ କଲମ୍ବୋରେ ଉଚ୍ଚମାନର ହୋଟେଲଗୁଡ଼ିକର ମୂଲ୍ୟ ବି ୧.୧୪ ଲକ୍ଷ ଟଙ୍କାରେ ପହଞ୍ଚିଛି।

ସୂଚନାଯୋଗ୍ୟ, ଶ୍ରୀଲଙ୍କାର ପର୍ଯ୍ୟଟନ ଶିଳ୍ପ ବର୍ତ୍ତମାନ ସଙ୍କଟର ସମ୍ମୁଖୀନ ହେଉଛି। ଶ୍ରୀଲଙ୍କା କେନ୍ଦ୍ରୀୟ ବ୍ୟାଙ୍କର ଏକ ରିପୋର୍ଟ ଅନୁଯାୟୀ, ଶ୍ରୀଲଙ୍କାକୁ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇବା ସତ୍ତ୍ୱେ ରାଜସ୍ୱ ହ୍ରାସ ପାଇଛି। ରିପୋର୍ଟରେ କୁହାଯାଇଛି ଯେ, ଜାନୁଆରୀ ୨୦୨୬ରେ ଶ୍ରୀଲଙ୍କା ବୁଲିବାକୁ ଆସୁଥିବା ପର୍ଯ୍ୟଟକଙ୍କ ରାଜସ୍ୱ ବାର୍ଷିକ ତୁଳନାରେ ପ୍ରାୟ ୫.୬% ହ୍ରାସ ପାଇଛି।

୨୦୨୫ ଜାନୁଆରୀରେ ଶ୍ରୀଲଙ୍କା, ପର୍ଯ୍ୟଟନରୁ ୪୦୦ ମିଲିୟନ ଡଲାର ଆୟ କରିଥିଲା। ତଥାପି, ଜାନୁଆରୀ ୨୦୨୬ରେ ଏହି ରାଜସ୍ୱ ୩୭୮ ମିଲିୟନ ଡଲାରକୁ ହ୍ରାସ ପାଇଛି। ଏମିତିରେ ଭାରତ-ପାକିସ୍ତାନ ମ୍ୟାଚରେ ବହୁ ସଂଖ୍ୟକ ଦର୍ଶକଙ୍କୁ ଆକର୍ଷିତ କରିବ ଏବଂ ଏହାର ପର୍ଯ୍ୟଟନ ଶିଳ୍ପକୁ ସମର୍ଥନ କରିବା ନେଇ ଆଶା ବାନ୍ଧିଛି ଶ୍ରୀଲଙ୍କା।