ହସି ହସି ଆରମ୍ଭ କରିଥିଲେ ଦାମ୍ପତ୍ୟ ଜୀବନ, ହଠାତ୍ ଜୀବନରେ ଘୋଟି ଆସିଲା ଦୁଃଖର ପାହାଡ

Published By : Prameya-News7 Bureau | April 23, 2025 IST

ନୂଆଦିଲ୍ଲୀ ୨୩/୦୪: ଦୁଇ ମାସ ପୂର୍ବେ, ଧୂମ୍‌ଧାମ୍‌ରେ ପଡିଥିଲା ହାତଗଣ୍ଠି । ଘର କାନ୍ଥରୁ ଲିଭିନି ବାହାଚିତା । ଏବେ ବି କାନ୍ଥରେ ଝଟକିବ ଶୁଭମଙ୍କ ଫଟୋ । ଐଶନ୍ୟାଙ୍କ ହାତ ଧରି ସାଥୀ ହୋଇ ଚାଲିବାର ଶପଥ ନେଇଥିଲେ । କିନ୍ତୁ ଅଧାବାଟରେ ଛାଡିଚାଲିଗଲେ ସ୍ୱାମୀ । ଦୁଇ ମାସ ତଳେ ଶେରୱାନି ପିନ୍ଧି, ଘୋଡା ଚଢି, ମଞ୍ଚ ଉପରେ ନାଚିବା ସହ ଐଶନ୍ୟାଙ୍କ ହାତ ଧରିଥିଲେ ଶୁଭମ । ଘରେ ପ୍ରତିଟି ମୁହୂର୍ତ୍ତର ଥିଲା ଉତ୍ସବର ଆସର । 

ଫଟୋ ଦେଖିଲେ ଲାଗୁଥିଲା କେତେ ଖୁସି ଥିଲେ ସମସ୍ତେ । ହେଲେ ମାତ୍ର ଦୁଇ ମାସ ପରେ, ଏହି ସମାନ ଫଟୋରେ ଲାଗିଛି ଗ୍ରହଣ । କାରଣ ଏବେ ଫଟୋରେ ସାଇତା ସ୍ମୃତି ଛଡା କିଛି ନାହିଁ । ଲୁହରେ ଭିଜୁଛି ଘର ଅଗଣା । ଶୁଭମ ଓ ଐଶନ୍ୟାଙ୍କ ବିବାହ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । 


ଫଟୋରେ କନ୍ୟା ଲାଲ ଲେହେଙ୍ଗା ପିନ୍ଧିଛି, ମୁଣ୍ଡରେ ପଗଡ଼ି ପିନ୍ଧିଛନ୍ତି ବର । ଫୁଲମାଳରେ ସଜାଯାଇଛି ମଣ୍ଡପ । ଏବେ ଏହି ସବୁ ଜିନିଷ ପରିବାର ସଦସ୍ୟଙ୍କ ପାଇଁ ଅଭୁଲା ସ୍ମୃତି । ଅସହ୍ୟ ଯନ୍ତ୍ରଣା ପାଲଟିଛି । ଯେଉଁ ଆଲବମଗୁଡ଼ିକ ଦିନେ ସ୍ମୃତି ଥିଲା । ସେଗୁଡ଼ିକ ଏବେ ଐଶନ୍ୟାଙ୍କ ପାଇଁ ନୀରବତାରେ ପରିଣତ ହୋଇଛି। 

ପହଲଗାମ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା କାନପୁରର ଶୁଭମ ଦ୍ୱିବେଦୀଙ୍କ ସମ୍ପର୍କୀୟ ଭାଇ କହିଛନ୍ତି ତାଙ୍କ ଭାଇ ଓ ଭାଉଜ ମ୍ୟାଗି ଖାଉଥିଲେ । ଏହି ସମୟରେ ହଠାତ୍ ୟୁନିଫର୍ମ ପିନ୍ଧି ଦୁଇଜଣ ଲୋକ ସେମାନଙ୍କ ପାଖକୁ ଆସି ପଚାରିଲେ । ତୁମେ କ'ଣ ମୁସଲମାନ?" ଯଦି ହଁ, ତେବେ କଲମା ପଡ । କିନ୍ତୁ ଯେତେବେଳେ ଉତ୍ତର କିଛି ନମିଳିଲା ତାଙ୍କୁ ସେଠାରେ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି ।  

ଘଟଣାରେ ସରକାର ଉଚିତ ଜବାବ ଦେବା ଉଚିତ । ଯାହା ଦ୍ଵାରା ଆତଙ୍କବାଦୀମାନେ ଏପରି କାପୁରୁଷତା କାର୍ଯ୍ୟ କରିବାକୁ ସାହାସ କରିବେନି । କୌଣସି ଭାରତୀୟଙ୍କ ଉପରେ ଗୁଳି ଚଳାଇବା ପୂର୍ବରୁ ଶହେଥର ଭାବିବେ । 

ସମ୍ପର୍କୀୟ ଭାଇ ଆହୁରି କହିଛନ୍ତି କି, ଭାଉଜ ଏବେ ମାନସିକ ଯନ୍ତ୍ରଣାରେ । ସରକାର ଯଥାଶୀଘ୍ର ଭାଇର ମୃତଦେହ ପଠାଇବାର ବ୍ୟବସ୍ଥା କରନ୍ତୁ । କହି ରଖୁଛୁ ଯେ ଶୁଭମଙ୍କ ବାପା ସଞ୍ଜୟ ଦ୍ୱିବେଦୀ କାନପୁରରେ ଜଣେ ସିମେଣ୍ଟ ବ୍ୟବସାୟୀ । ଆଜି ଶୁଭମ ଜମ୍ମୁ କାଶ୍ମୀରରୁ ଫେରିବାର ଥିଲା । କିନ୍ତୁ ଶୁଭମ ତ ଆସିଲେନି ଘରକୁ ଆସିଲା ତାଙ୍କର ମୃତ୍ୟୁ ଖବର ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.