ପହଲଗାମ ଆକ୍ରମଣ ଦୁର୍ଭାଗ୍ୟପୂର୍ଣ୍ଣ ଥିଲା, ହେଲେ ଅସ୍ଥିରତା ସୃଷ୍ଟି କରିବାକୁ ଭାରତ ଏହାକୁ ବ୍ୟବହାର କରୁଛି: ପାକିସ୍ତାନ

Published By : Prameya-News7 Bureau | July 05, 2025 IST

indiatoday

ନୂଆଦିଲ୍ଲୀଦୁର୍ଭାଗ୍ୟପୂର୍ଣ୍ଣ ପହଲଗାମ ଆକ୍ରମଣକୁ ନେଇ ଭାରତ ଦେଶର ଉକ୍‌ସାଇବା ଭଳି ସ୍ଥିତି ସୃଷ୍ଟି କରି ଅଞ୍ଚଳରେ ଅସ୍ଥିରତା ସୃଷ୍ଟି କରୁଛି ବୋଲି ପାକିସ୍ତାନ ଅଭିଯୋଗ କରିଛି। ଅପରେସନ ସିନ୍ଦୂର ବେଳେ ପାକିସ୍ତାନକୁ ସମର୍ଥନ କରିଥିବା ଆଜରବାଇଜାନରେ ଆର୍ଥିକ ସହଯୋଗ ସଂଗଠନ (ECO) ସମ୍ମିଳନୀରେ ଭାଷଣ ଦେଇ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଏଭଳି ଅଭିଯୋଗ ଆଣିଛନ୍ତି। ପୁଣି ଥରେ କାଶ୍ମୀର ପ୍ରସଙ୍ଗ ଉଠାଇବା ସହ କେନ୍ଦ୍ର ଶାସିତ ଅଞ୍ଚଳରେ ନିର୍ଦ୍ଦୋଷ ଲୋକଙ୍କ ଉପର ହୋଇଥିବା ବର୍ବରତାକୁ ସେ ନିନ୍ଦା କରିଛନ୍ତି। ଏଥିସହିତ ଇରାନ ଓ ଗାଜାରେ ନିର୍ଦ୍ଦୋଷଙ୍କ ଉପରେ ହେଉଥିବା ଆକ୍ରମଣକୁ ମଧ୍ୟ ଶେହବାଜ ନିନ୍ଦା କରିଛନ୍ତି।

ଭାରତ ବିରୁଦ୍ଧରେ ଅଭିଯୋଗ କରି ସେ କହିଛନ୍ତି “ଜମ୍ମୁ ଏବଂ କାଶ୍ମୀରରେ ଦୁର୍ଭାଗ୍ୟଜନକ ଘଟଣା ପରେ ଭାରତ ଅକାରଣ ଏବଂ ଜାଣିଶୁଣି ଶତ୍ରୁତା ସୃଷ୍ଟି କରି ଆଂଚଳିକ ଶାନ୍ତି ଭଙ୍ଗ କରି ଅସ୍ଥିରତା ସୃଷ୍ଟି କରିବାକୁ ଚେଷ୍ଟା କରିଥିଲା।” 

ଏପ୍ରିଲ ୨୨ ତାରିଖରେ, ପହଲଗାମର ବୈସାରଣ ଉପତ୍ୟକାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨୫ ଜଣ ପର୍ଯ୍ୟଟକ ଏବଂ ଜଣେ ସ୍ଥାନୀୟ ଲୋକଙ୍କ ମୃତ୍ୟୁ ହୋଇଥିଲା। ଏଇ କିଛି ବର୍ଷ ମଧ୍ୟରେ ଏହା କାଶ୍ମୀରରେ ହୋଇଥିବା ସବୁଠାରୁ ଭୟଙ୍କର ଆତଙ୍କବାଦୀ ଆକ୍ରମଣ ମଧ୍ୟରୁ ଗୋଟିଏ ଥିଲା। ପାକିସ୍ତାନ ସ୍ଥିତ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୈବାର ଏକ ଶାଖା, ରେଜିଷ୍ଟାନ୍ସ ଫ୍ରଣ୍ଟ (TRF) ଏହି ଆକ୍ରମଣ ଘଟାଇଥିଲା। 

ଏହାର ଜବାବରେ ଭାରତ ପାକିସ୍ତାନ ସ୍ଥିତ ୯ଟି ଆତଙ୍କବାଦୀ ସଂଗଠନର କ୍ୟାମ୍ପ ଉପରେ ଟାର୍ଗେଟ୍ କରିଥିଲା। ଏହାପରେ ପାକିସ୍ତାନ-ଭାରତ ଉପରେ ଆକ୍ରମଣ କରିଥିଲା। ଫଳରେ ଦୁଇ ଦେଶ ମଧ୍ୟରେ କିଛି ଦିନ ପାଇଁ ଯୁଦ୍ଧ ଆରମ୍ଭ ହୋଇଥିଲା। ତେବେ ଆଜରବାଇଜାନରେ ଦେଇଥିବା ଭାଷଣରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ପହଲଗାମ ଆକ୍ରମଣକୁ ନିନ୍ଦା କରିଛନ୍ତି। ବିଶ୍ୱରେ ଯେଉଁସ୍ଥାନରେ ନିର୍ଦ୍ଦୋଷଙ୍କର ହତ୍ୟା ହେଉଛି ପାକିସ୍ତାନ ତାଙ୍କ ସହ ଛିଡ଼ା ହୋଇଛି ବୋଲି କହିଛନ୍ତି ଶେହବାଜ। 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.