ବୀମା ଟଙ୍କା ପାଇଁ ମିଛ ଦୁର୍ଘଟଣା : ଗାଡ଼ି ଗୋଟିଏ, କିନ୍ତୁ ଅଲଗା ଅଲଗା ସ୍ଥାନରେ ଦୁର୍ଘଟଣାରେ ସଂପୃକ୍ତ

NEWS7
paddy-could-not-taken-from-farmers-due-to-various-problems

କଟକ ୧୭।୨: ଗାଡ଼ି ଗୋଟିଏ । କିନ୍ତୁ ଅଲଗା ଅଲଗା ସ୍ଥାନରେ ହୋଇଥିବା ଦୁର୍ଘଟଣାରେ ସଂପୃକ୍ତ । ଇନସ୍ୟୁରାନ୍ସ ସହାୟତା ପାଇଁ ଏଭଳି ମିଛ ଦୁର୍ଘଟଣା ନାଟକ । କେନ୍ଦ୍ରାପଡ଼ା ମହିପାଳ ଛକ ନିକଟରେ ହୋଇଥିବା ଦୁର୍ଘଟଣାର ଏସ୍ଆଇଟି ତଦନ୍ତ ପରେ ଜାଲିଆତିର ପର୍ଦ୍ଦାଫାସ୍ ହୋଇଛି । କ୍ରାଇମବ୍ରାଞ୍ଚ ପକ୍ଷରୁ ସୁପ୍ରିମକୋର୍ଟରେ ଦାଖଲ ସତ୍ୟପାଠରେ ଏଭଳି ସୂଚନା ଦିଆଯାଇଛି । ଗାଡ଼ି ଦୁର୍ଘଟଣାରେ ଇନ୍ସ୍ୟୁରାନ୍ସ କମ୍ପାନୀରୁ ସହାୟତା ରାଶି ହାତେଇବା ପାଇଁ କରାଯାଉଥିବା ଏଭଳି ମିଛ ଦୁର୍ଘଟଣା ମାମଲାରେ ଏକ ସ୍ୱତନ୍ତ୍ର ରାକେଟ୍ କାର୍ଯ୍ୟ କରୁଛି ବୋଲି ଓଡ଼ିଶାର ଆଡଭୋକେଟ୍ ଜେନେରାଲ ତଥା ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ ସର୍ବୋଚ୍ଚ ଅଦାଲତଙ୍କୁ ଅବଗତ କରିଥିଲେ । ଏଭଳି ମାମଲାରେ ଅନେକଙ୍କୁ ଇତିମଧ୍ୟରେ ଗିରଫ କରାଯାଇଛି । ଆଗକୁ ଆହୁରି ଗିରଫଦାରୀ ବଢ଼ିବ ।

ତେବେ ଏଭଳି କାର୍ଯ୍ୟକୁ ନେଇ ସୁପ୍ରିମ୍କୋର୍ଟ ମଧ୍ୟ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି । ଏହି ଘଟଣା କେବଳ ଓଡ଼ିଶାରେ ସୀମିତ ନଥାଇ ପାରେ । ପରବର୍ତ୍ତୀ ଶୁଣାଣିରେ ଏହା ଉପରେ ବିସ୍ତୃତ ଶୁଣାଣି ହେବ ବୋଲି ଦ’ ଓରିଏଣ୍ଟାଲ ଇନସ୍ୟୁରାନ୍ସ କମ୍ପାନୀ ପକ୍ଷରୁ ଆଗତ ମାମଲାର ଶୁଣାଣି ପରିପ୍ରେକ୍ଷୀରେ ସୁପ୍ରିମ୍କୋର୍ଟ ବିଚାରପତି ଜଷ୍ଟିସ୍ ଆସାଉଦ୍ଦିନ୍ ଅମ୍ନୁଲ୍ଲା ଏବଂ ଜଷ୍ଟିସ୍ ପ୍ରସନ୍ନ ବି. ଭାରଲେଙ୍କୁନେଇ ଗଠିତ ଖଣ୍ଡପୀଠ କହିଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ୧୮ ତାରିଖକୁ ଧାର୍ଯ୍ୟ ହୋଇଛି ।

କେନ୍ଦ୍ରାପଡ଼ାର ମହିପାଳ ଛକ ନିକଟରେ ହୋଇଥିବା ଏକ ଦୁର୍ଘଟଣାରେ ଇନସ୍ୟୁରାନ୍ସ ସହାୟତା ଦାବି କରି ରୁଜୁ ମାମଲାରେ ବୀମା କମ୍ପାନୀକୁ ସନ୍ଦେହ ହୋଇଥିଲା । ଏନେଇ କମ୍ପାନୀ ସୁପ୍ରିମ୍କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା । କମ୍ପାନୀର ଅଭିଯୋଗ ଥିଲା ଯେ, ବୀମା ଅର୍ଥ ହାତେଇବା ପାଇଁ ମିଛ ମାମଲା କରାଯାଉଛି । ଏହି ଘଟଣାରେ ସୁପ୍ରିମ୍କୋର୍ଟ କ୍ରାଇମବ୍ରାଞ୍ଚକୁ ଏସ୍ଆଇଟି ଗଠନ କରି ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏସଆଇଟି ପକ୍ଷରୁ ଗତ ୨୦୧୯ରୁ ୨୦୨୫ ମସିହା ମଧ୍ୟରେ ସାତ ବର୍ଷ ମଧ୍ୟରେ ଇନ୍ସ୍ୟୁରାନ୍ସ ସହାୟତା ରାଶି ପାଇଁ କରାଯାଇଥିବା ଦାବି ଉପରେ ସନ୍ଦେହ ହୋଇଥିବା ୧୦୪ଟି କେସ୍ ଉପରେ ତଦନ୍ତ କରାଯାଇଥିଲା । ଏଥିରୁ ୫ଟି କେସ୍ ଉପରେ ସାନି ତଦନ୍ତ ପାଇଁ କୁହାଯାଇଛି । ୨୫ଟି କେସ୍ର ପୁନର୍ବାର ତଦନ୍ତ ଲାଗି ନିର୍ଦ୍ଦେଶ ଦିଆଯାଇଛି । ୪୦ଟି କେସ୍ରେ ଏଫ୍ଆଇଆର୍ ରୁଜୁ ପାଇଁ କୁହାଯାଇଛି । ବାକି ୩୪ଟି କେସ୍ରେ ଇନସ୍ୟୁରାନ୍ସ କମ୍ପାନୀଗୁଡ଼ିକର ଅଭିଯୋଗ ପ୍ରମାଣିତ ହୋଇପାରିନି ବୋଲି କ୍ରାଇମବ୍ରାଞ୍ଚ ପକ୍ଷରୁ ସତ୍ୟପାଠରେ ସୁପ୍ରିମ୍କାର୍ଟଙ୍କୁ ଅବଗତ କର।ଯ।ଇଥିଲ। । ଏଥିରେ ଆହୁରି କୁହାଯାଇଥିଲା ଯେ, ଗୋଟେ ଗାଡ଼ି ଏକାଧିକ ଦୁର୍ଘଟଣାରେ ଥିବା ଦର୍ଶାଯାଉଛି । ଅର୍ଥାତ ସମାନ ନମ୍ବର ଧାରି ଗାଡ଼ି ବିଭିନ୍ନ ଜାଗାରେ ଦୁର୍ଘଟଣା ଘଟାଉଛି । ଏନେଇ ତଦନ୍ତ ପରେ କଟକର ଜଣେ ଆଇନଜୀବୀ, ଜଣେ ଗାଡ଼ି ମାଲିକ, ଡ୍ରାଇଭରଙ୍କୁ ଗିରଫ କରାଯାଇଛି । ଏହି ତଦନ୍ତ ଆଗକୁ ମଧ୍ୟ ଜାରି ରହିବ ବୋଲି କୁହାଯାଇଛି । କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର ଏହି ସତ୍ୟପାଠ ଦାଖଲ କରିଛନ୍ତି ।