ଶାହଜହାନପୁର: ୟୁପିର ଶାହଜହାନପୁର ମେଡିକାଲ କଲେଜରେ ପାଇପ୍ ଲାଇନରୁ ଅକ୍ସିଜେନ ଗ୍ୟାସ୍ ଲିକ୍ ଘଟଣା ସାମ୍ନାକୁ ଆସିଛି।ଗ୍ୟାସ୍ ଲିକ୍ ହେବା ପରେ ଏହାର ଦୁର୍ଗନ୍ଧରେ ହସ୍ପିଟାଲରେ ଆତଙ୍କ ଖେଳି ଯାଇଥିଲା। ଲୋକେ ପ୍ରାଣ ଭୟରେ ଧାଁ ଦୌଡ଼ କରିଦେବାକୁ ଦଳାଚକଟା ଘଟଣା ଘଟିଥିବା ଅଭିଯୋଗ ହୋଇଛି। ଗ୍ୟାସ୍ ଲିକ୍ ପରେ ହସ୍ପିଟାଲରେ ଲୋକଙ୍କ ନିଃଶ୍ୱାସ ନେବାରେ ଅସୁବିଧା ହୋଇଥିଲା। ଟ୍ରମା ସେଣ୍ଟରରେ ଭର୍ତ୍ତି କରାଯାଇ ଥିବା ରୋଗୀଙ୍କୁ ତରବରରେ ତୁରନ୍ତ ବାହାରକୁ ଅଣାଯାଇଥିଲା। ଏହି ସମୟରେ ଜଣେ ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ହେଲେ ପ୍ରଶାସନ ଗ୍ୟାସ୍ ଲିକ୍ କି ଦଳାଚକଟାରେ ମୃତ୍ୟୁ ହୋଇଥିବା ନେଇ ମନା କରିଛି।
ଘଟଣାଟି ରବିବାର ସମୟ ପାଖାପାଖି ସନ୍ଧ୍ୟା ୫ଟାରେ ଘଟିଥିବା କୁହାଯାଉଛି। ସୂଚନା ଅନୁସାରେ , ମେଡିକାଲ କଲେଜରେ ଅକ୍ସିଜେନ ଗ୍ୟାସ୍ ପାଇପ୍ ଲାଇନ୍ରୁ ଲିକ୍ ହୋଇଥିଲା।
ସୂଚନା ପାଇଁ ହସ୍ପିଟାଲରେ ଦମକଳ ବାହିନୀ ପହଞ୍ଚି ପାଣି ଛିଞ୍ଚନ କରିଥିଲା। ସମୟ ପାଖାପାଖି ଦେଢ ଘଣ୍ଟା ପରେ ମେଡିକାଲ କଲେଜ ସ୍ଥିତି ସାଧାରଣ ସ୍ତରକୁ ଆସିଥିଲା। ସେତେବେଳେ ଲୋକେ ଆଶ୍ୱସ୍ତିର ନିଃଶ୍ୱାସ ନେଇଥିଲେ। ହେଲେ ଏହି ସମୟରେ ଜଣେ ରୋଗୀଙ୍କ ଜୀବନ ଚାଲିଯାଇ ଥିଲା। ପରିବାର ଲୋକଙ୍କ ଅଭିଯୋଗ ଯେ , ଦଳାଚକଟାରେ ତାଙ୍କ ରୋଗୀଙ୍କର ମୃତ୍ୟୁ ହୋଇଛି।
ଅନ୍ୟପଟେ ଡିଏମ୍ ଓ ପ୍ରିନ୍ସିପାଲ ଏହି ଘଟଣାରେ କୌଣସି ମୃତ୍ୟୁ ହୋଇଥିବା ମନା କରିଛନ୍ତି। ଡିଏମ୍ଙ୍କ କହିବା ହେଲା ଯେ, ଯେଉଁ ରୋଗୀଙ୍କର ମୃତ୍ୟୁ ହୋଇଛି, ତାଙ୍କର ପୂର୍ବରୁ ସ୍ୱାଥ୍ୟ ବହୁତ ଖରାପ ଥିଲା। ତଥାପି ହୋଇଥିବା ଅଭିଯୋଗର ଯାଞ୍ଚ କରାଯିବ ବୋଲି କହିଛନ୍ତି ପ୍ରିନ୍ସିପାଲ।