ଭାରତରେ ରାବିଜ ଟିକା ନେଇଥିଲେ ସାବଧାନ! ସାର୍ବଜନିକ ସ୍ୱାସ୍ଥ୍ୟ ଚେତାବନୀ ଜାରି କଲା ଅଷ୍ଟ୍ରେଲିଆ

NEWS7
ott-platforms-abuse-in-the-name-of-creativity-will-not-be-tolerated-union-minister

ନୂଆଦିଲ୍ଲୀ ୨୬।୧୨: ଅଷ୍ଟ୍ରେଲିୟ ସ୍ୱାସ୍ଥ୍ୟ ଅଧିକାରୀ ଭାରତରେ ୧ ନଭେମ୍ବର ୨୦୨୩ରୁ ନକଲୀ ରାବିଜ ଭାକ୍ସିନ ‘ଅଭୟରାବ’ର ପ୍ରଚଳନ ସମ୍ପର୍କରେ ଜଣାପଡିବା ପରେ ସାର୍ବଜନିକ ସ୍ୱାସ୍ଥ୍ୟ ଚେତାବନୀ ଜାରି କରିଛନ୍ତି। ଏଣୁ ଅଷ୍ଟ୍ରେଲିଆ ଯାତ୍ରା କାଳରେ ପଶୁ କାମୁଡିଲେ ଅଥବା ଆଞ୍ଚୁଡିଲେ ଲୋକଙ୍କ ସ୍ୱାସ୍ଥ୍ୟ ବିପଦରେ ପଡିପାରେ ବୋଲି ସତର୍କ କରିଛନ୍ତି। ଅଷ୍ଟ୍ରେଲିଆ ଟିକାକରଣ ଟେକନିକ୍ ପରାମର୍ଶଦାତା (ଏଟିଏଜିଆଇ) ସମୂହ ଯେଉଁ ଯାତ୍ରୀମାନେ ଭାରତରେ ଅଭୟରାବର ଗୋଟିଏ ଅଥବା ଅଧିକ ଡୋଜ ନେଇଛନ୍ତି ଅଥବା ସେମାନେ କେଉଁ ରାବିଜ ଇଞ୍ଜେକ୍ସନ ନେଇଛନ୍ତି ପୁଷ୍ଟି କରିପାରୁନାହାନ୍ତି ତେବେ ସେମାନଙ୍କୁ ପୋଷ୍ଟ ଏକ୍ସପୋଜର ପ୍ରୋଫେଲିକ୍ସିସ (ପିଇପି)ର ଅତିରିକ୍ତ ଡୋଜ ଆବଶ୍ୟକ ପଡିପାରେ ବୋଲି କହିଛନ୍ତି।

ତେବେ ଅଭୟରାବର ନକଲୀ ଉତ୍ପାଦ ଅଷ୍ଟ୍ରେଲିଆରେ ନାହିଁ ବୋଲି କୁହାଯାଇଛି। ହେଲେ ଅଧିକାରୀମାନେ କହିଛନ୍ତି ଯେ ଏହା ସେହି ଲୋକଙ୍କୁ ପ୍ରଭାବିତ କରିପାରେ ଯେଉଁମାନେ ଭାରତରୁ ଫେରିବା ପୂର୍ବରୁ ନିଜର ରାବିଜ ଟିକାକରଣ କୋର୍ସ ପୁରା କରିଥିଲେ। ଏଟିଏଜିଆଇ ସୁପାରିଶ ଅନୁସାରେ ପ୍ରଭାବିତ ଲୋକଙ୍କ ସନ୍ଦିଗ୍ଧ ଡୋଜକୁ ଅଷ୍ଟ୍ରେଲିଆରେ ପଞ୍ଜିକୃତ ରାବିଜ ଟିକା ଯେପରି ରେବିପୁର ଅଥବା ୱେରୋରାବରେ ପରିବର୍ତ୍ତିତ କରିବାକୁ ନଚେତ ରାବିଜ ଆଣ୍ଟିବଡ଼ି ସ୍ତର ଆକଳନ କରିବାକୁ ରକ୍ତପରୀକ୍ଷଣ ନିମନ୍ତେ ପରାମର୍ଶ ଦେଇଛନ୍ତି।

ଏଥିରେ ଯେଉଁ ଲୋକଙ୍କ ଠାରେ ଆଣ୍ଟିବଡ଼ି ସ୍ତର ଅପର୍ଯ୍ୟାପ୍ତ ମିଳିବ, ସେମାନଙ୍କ ଲାଗି ଅତିରିକ୍ତ ଚିକିତ୍ସା ଆବଶ୍ୟକତା ପଡିବ। ଭାରତରେ ଅନ୍ୟ ରାବିଜ ଭେକ୍ସିନ ବ୍ରାଣ୍ଡର ସତ୍ୟାପିତ ଡୋଜ ପ୍ରାପ୍ତ କରିଥିବା ଲୋକଙ୍କୁ ଏହି ପରାମର୍ଶ ଅନୁସାରେ କୌଣସି ରିସ୍କ ନଥିବା କୁହାଯାଇଛି। ତେବେ ଅଷ୍ଟ୍ରେଲିଆ ସ୍ୱାସ୍ଥ୍ୟ ବିଭାଗର ଏହି ଚେତାବନୀ ଭାରତରେ ବଢୁଥିବା ରାବିଜ ମାମଲା ଆଡକୁ ଧ୍ୟାନ ଆକର୍ଷିତ କରିଛି। ବୈଶ୍ୱିକ ସ୍ତରରେ ରାବିଜ ଯୋଗୁ ହେଉଥିବା ମୃତ୍ୟୁ ହାରରେ ଭାରତର ଉଲ୍ଲେଖନୀୟ ଯୋଗଦାନ ରହିଛି, ଯେଉଁଠି ବାର୍ଷିକ ୧୮ରୁ ୨୦ ହଜାର ଲୋକେ ରାବିଜ ଯୋଗୁ ମରୁଛନ୍ତି।

ସରକାରୀ ତଥ୍ୟ ଅନୁସାରେ ୨୦୨୪ରେ ଭାରତୀୟ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶମାନଙ୍କରେ ୧୩ କୋଟିରୁ ଅଧିକ ମାନବ ରାବିଜ ରୋଧି ଟିକା କିଣା ଯାଇଥିଲା। ଏଥିରୁ ୧୨ କୋଟିରୁ ଅଧିକ ଡୋଜ ଲୋକଙ୍କୁ ଦିଆଯାଇଛି। ଭାରତରେ ପ୍ରତି ବର୍ଷ ଲକ୍ଷଲକ୍ଷ ଲୋକେ ରାବିଜ ସମ୍ପର୍କରେ ଆସିଥାନ୍ତି। ସେମାନେ କୁକୁର କାମୁଡିବା ପରେ ଟିକାକରଣ କରାନ୍ତି। ଏଣୁ ବିଶ୍ୱସ୍ତରରେ ଭାରତ ରାବିଜ ଟିକାର ଏକ ବଡ଼ ବଜାର ଭାବେ ଜଣାଯାଏ। ଉଦ୍ୟୋଗ ଜଗତ ଅନୁସାରେ ଭାରତରେ ମାନବ ରାବିଜ ଭେକ୍ସିନର ବଜାର ପ୍ରାୟ ୫୦୦ କୋଟିର। ଏଥିରେ ସାର୍ବଜନିକ ସ୍ୱାସ୍ଥ୍ୟ ସେବା ଓ ଘରୋଇ ହସ୍ପିଟାଲ ଏହି ଚାହିଦାରେ ନିୟମିତ ଯୋଗଦାନ କରୁଛନ୍ତି।

ଭାରତରେ ରାବିଜ ଟିକାର ବ୍ୟାପକ ଉପଲବ୍ଧତା ସତ୍ତ୍ୱେ ବିଶେଷ ଗୁରୁତର ସଂକ୍ରମଣ ଚିକିତ୍ସାରେ ଗୁରୁତ୍ୱପୂର୍ଣ୍ଣ ରାବିଜ ଇମ୍ୟୁନୋଗ୍ଲୋବୁଲିନ(ଆରଆଇଜି) ର କମ୍ ଉପଲବ୍ଧତା ଆଡକୁ ଇସାରା କରିଛନ୍ତି। ଅନେକ ପ୍ରାଥମିକ ଓ ଜିଲ୍ଲାସ୍ତରୀୟ ସ୍ୱାସ୍ଥ୍ୟ କେନ୍ଦ୍ରମାନଙ୍କୁ ଆରଆଇଜି ନିୟମିତ ଯୋଗାଇ ଦିଆଯାଉ ନାହିଁ। ଏଣୁ ହାଇ ରିସ୍କ ମାମଲାରେ ଅପୂର୍ଣ୍ଣ ସୁରକ୍ଷାକୁ ଏବେବି ଚିନ୍ତାର କାରଣ ହୋଇ ରହିଛି।