OTET ପ୍ରଶ୍ନ ପତ୍ର କେଳେଙ୍କାରୀ, ଗିରଫ ବୋର୍ଡ଼ ଉପସଭାପତି ସସ୍‌ପେଣ୍ଡ

Published By : Prameya-News7 Bureau | August 05, 2025 IST

ଭୁବନେଶ୍ଵର: OTET  ପ୍ରଶ୍ନ ପତ୍ର କେଳେଙ୍କାରୀରେ ଗିରଫ ହୋଇଥିବା ବୋର୍ଡ଼ ଉପସଭାପତି ନିହାର ରଞ୍ଜନ ମହାନ୍ତି ସସ୍‌ପେଣ୍ଡ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଉପସଭାପତି ପଦରୁ ନିହାରଙ୍କୁ ସସ୍‌ପେଣ୍ଡ କରିଛନ୍ତି ବୋର୍ଡ଼ ସଭାପତି ଶ୍ରୀକାନ୍ତ ତରାଇ । OTET  ପ୍ରଶ୍ନ ପତ୍ର ଲିକ୍‌ ଘଟଣାରେ ଗତ ରବିବାର ନିହାର ମହାନ୍ତିଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ । ନିହାରଙ୍କ ଆର୍ଥିକ କାରବାର ଖୋଳତାଡ଼ ଆରମ୍ଭ ହୋଇଥିବା ବେଳେ ତାଙ୍କୁ ରିମାଣ୍ଡରେ ଆଣିବାକୁ ଯୋଜନା କରିଛି କ୍ରାଇମବ୍ରାଞ୍ଚ ।   

ଫାଶରେ ପଡ଼ିବେ କି ବୋର୍ଡ ସଭାପତି ? OTET ପ୍ରଶ୍ନପତ୍ର ଲିକ୍ ଘଟଣାରେ ସଭାପତି ଶ୍ରୀକାନ୍ତ ତରାଙ୍କୁ ୪ ଥର ଜେରା କରିସାରିଲାଣି କ୍ରାଇମବ୍ରାଞ୍ଚ । ଏହି ମାମଲାରେ ତାଙ୍କର ସଂପୃକ୍ତି ରହିଛି କି ନା ତାର ଖୋଳତାଡ଼ ଜାରି ରଖିଛି କ୍ରାଇମବ୍ରାଞ୍ଚ । ଆଗକୁ ମଧ୍ୟ ତାଙ୍କୁ ପୁନର୍ବାର ଡକା ଯାଇପାରେ ବୋଲି ସୂଚନା ମିଳିଛି । ସେପଟେ କ୍ରାଇମ୍ ବ୍ରାଞ୍ଚକୁ ମିଳିଛି ସଂଘାତିକ ତଥ୍ୟ। ୨୦୨୨ ଓ ଟି ଇ ଟି ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ବୋର୍ଡ ପକ୍ଷରୁ କୌଣସି ଅଭିଯୋଗ ହୋଇନଥିଲା। 

Also read: କ୍ରାଇମବ୍ରାଞ୍ଚକୁ ମିଳିଛି ସାଙ୍ଘାତିକ ତଥ୍ୟ : ୨୦୨୨ ଓଟିଇଟି ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ବୋର୍ଡ ପକ୍ଷରୁ ହୋଇନଥିଲା ଅଭିଯୋଗ

ସେହି ପରୀକ୍ଷାରେ ମାଲକାନଗିରି ସେଣ୍ଟରକୁ ବାତିଲ କରାଯାଇଥିଲେ ସୁଦ୍ଧା ସେଣ୍ଟର୍ ପକ୍ଷରୁ ମଧ୍ୟ କୌଣସି ଅଭିଯୋଗ କରାଯାଇନଥିଲା। ସବୁଠାରୁ ବଡ଼ କଥା ହେଲା ସେତେବେଳେ ବୋର୍ଡ ପକ୍ଷରୁ ଅଭିଯୋଗ ହୋଇଥିବା କଥା ଗଣମାଧ୍ୟମକୁ କୁହାଯାଇଥିଲା। ହେଲେ ନା ତଦନ୍ତ ହେଲା ନା କିଏ ଧରାପଡ଼ିଲେ । ସେହିଭଳି ପୂର୍ବରୁ ଆଉ କେଉଁ କେଉଁ ପରୀକ୍ଷାରେ ଅନିୟମିତତା ହୋଇଥିଲା ତାହାର ମଧ୍ୟ ଖୋଳତାଡ଼ କରୁଛି କ୍ରାଇମବ୍ରାଞ୍ଚ । ସେ ସବୁଥିରେ କାହାର ସଂପୃକ୍ତି ରହିଛି କି ନାଁ ତାର ବି ଖିଅ ଖୋଜା ଚାଲିଛି । 

ଏବେ ହୋଇଥିବା ପ୍ରଶ୍ନପତ୍ର ଲିକ୍ ଘଟଣାରେ ଯେହେତୁ ଆର୍ଥିକ କାରବାରର ଖୋଳତାଡ଼ ଚାଲିଛି ତେଣୁ ପୂର୍ବ ଅନିୟମିତତାକୁ ମଧ୍ୟ ଯାଞ୍ଚର ପରିସରଭୁକ୍ତ କରାଯାଇଛି । କ୍ରାଇମବ୍ରାଞ୍ଚ୍ ବି ଆର୍ଥିକ କାରବାର ସମ୍ବନ୍ଧୀୟ କିଛି ଦସ୍ତାବିଜ୍ ପାଇଛି । ସେହି ଅନୁସାରେ ତଥ୍ୟ ହାସଲ କରି ତଦନ୍ତ ଜାରି ରଖିଛି ତଦନ୍ତକାରୀ ସଂସ୍ଥା । କେବେ ଉପ ସଭାପତି ନିହାର ରଞ୍ଜନ ମହାନ୍ତି ଓ ଅନ୍ୟ ଅଭିଯୁକଙ୍କୁ ରିମାଣ୍ଡରେ ଅଣାଯିବ ସେନେଇ  କ୍ରାଇମ୍ ବ୍ରାଞ୍ଚ କିଛି ସ୍ପଷ୍ଟ କରିନଥିଲେ ବି ଖୁବଶୀଘ୍ର ସେମାନଙ୍କୁ ରିମାଣ୍ଡରେ ଅଣାଯାଇପାରେ ବୋଲି ସୂଚନା ମିଳିଛି । ଏହି ଘଟଣାରେ ଆଗକୁ ଆହୁରି ଗିରଫଦାରୀ ବଢିବା ସମ୍ଭାବନା ଥିବା କ୍ରାଇମବ୍ରାଞ୍ଚ ସୁତ୍ରରୁ ଜଣା ପଡ଼ିଛି।  

୬ ଜିଲ୍ଲାରେ ଡକ୍ଟର ମହାନ୍ତିଙ୍କ ପରୋକ୍ଷ ସହଯୋଗରେ ପ୍ରଶ୍ନପତ୍ର ବିକ୍ରି ହୋଇଥିଲା। ଯେଉଁମାନଙ୍କ ନିକଟକୁ ଏହି ପ୍ରଶ୍ନପତ୍ର ଯାଇଛି, ସେମାନଙ୍କୁ ମଧ୍ୟ କ୍ରାଇମବ୍ରାଞ୍ଚ ତଦନ୍ତ ପରିସରଭୁକ୍ତ କରିବ ବୋଲି ଜଣାପଡ଼ିଛି । ସମସ୍ତଙ୍କ ବ୍ୟାଙ୍କ ଆକାଉଣ୍ଟ୍‌ ଯାଞ୍ଚ ପାଇଁ କ୍ରାଇମବ୍ରାଞ୍ଚ ପକ୍ଷରୁ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖାଯାଇଛି।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.