କଟକ ୫।୮: ଓଟିଇଟି ପ୍ରଶ୍ନପତ୍ର କେଳେଙ୍କାରୀ ମାମଲାରେ କ୍ରାଇମବ୍ରାଞ୍ଚକୁ ମିଳିଛି ସାଙ୍ଘାତିକ ତଥ୍ୟ । ୨୦୨୨ରେ ଓଟିଇଟି ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ବୋର୍ଡ ପକ୍ଷରୁ କୌଣସି ଅଭିଯୋଗ ହୋଇନଥିଲା । ଉକ୍ତ ପରୀକ୍ଷାରେ ମାଲକାନଗିରି ସେଣ୍ଟରକୁ ବାତିଲ କରାଯାଇଥିଲେ ସୁଦ୍ଧା ସେଣ୍ଟର ପକ୍ଷରୁ ମଧ୍ୟ କୌଣସି ଅଭିଯୋଗ କରାଯାଇନଥିଲା । ସବୁଠାରୁ ବଡ଼ କଥା ହେଲା ସେତେବେଳେ ବୋର୍ଡ ପକ୍ଷରୁ ଗଣମାଧ୍ୟମକୁ ଅଭିଯୋଗ ହୋଇଥିବା କଥା କୁହାଯାଇଥିଲା । ସେହିଭଳି ପୂର୍ବରୁ କେଉଁ ପରୀକ୍ଷାରେ ଅନିୟମିତତା ହୋଇଥିଲା ତାହାର ମଧ୍ୟ ଖୋଳତାଡ଼ ଚାଲିଛି । ଯେହେତୁ ଆର୍ଥିକ କାରବାରର ଖୋଳତାଡ଼ ଚାଲିଛି ତେଣୁ ପୂର୍ବର ଅନିୟମିତତାକୁ ଯାଞ୍ଚର ପରିସରଭୁକ୍ତ କରାଯାଇଥିବା ବେଳେ ଏହି ତଥ୍ୟ ସାମ୍ନାକୁ ଆସିଛି । ସେପଟେ କ୍ରାଇମବ୍ରାଞ୍ଚ ଆର୍ଥିକ କାରବାର ସମ୍ବନ୍ଧୀୟ କିଛି ଦସ୍ତାବିଜ ହାସଲ କରି ତଦନ୍ତ ଜାରି ରଖିଛି । ସେହିଭଳି ବୋର୍ଡର ସଭାପତି ଶ୍ରୀକାନ୍ତ ତରାଇଙ୍କୁ ମଧ୍ୟ ପୂର୍ବରୁ ୪ଥର କ୍ରାଇମବ୍ରାଞ୍ଚ ଡାକି ପଚରା ଉଚରା କରିଥିଲା ବେଳେ ଆଗକୁ ମଧ୍ୟ ତାଙ୍କୁ ପୁନର୍ବାର ଡକା ଯାଇପାରେ । ଅନ୍ୟପଟେ ସବୁ କିଛି ତଥ୍ୟ ଯାଞ୍ଚ କରିବା ପରେ ଆଉ କାହାର ସମ୍ପୃକ୍ତି ରହିଛି ତାହାର ଖୋଳତାଡ଼ ଜାରି ରହିଛି । କେବେ ଉପ ସଭାପତି ନିହାର ରଞ୍ଜନ ମହାନ୍ତିଙ୍କୁ ରିମାଣ୍ଡରେ ଅଣାଯିବ ସେ ନେଇ କୌଣସି ସ୍ପଷ୍ଟ କରିନାହିଁ କ୍ରାଇମବ୍ରାଞ୍ଚ । ତେବେ ଆଗକୁ ଗିରଫଦାରୀ ବୃଦ୍ଧି ପାଇବ ବୋଲି କ୍ରାଇମବ୍ରାଞ୍ଚ ମୁଖ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।
You Can Read:
ଝାରସୁଗୁଡ଼ା ବିମାନବନ୍ଦର ନିର୍ଦ୍ଦେଶକଙ୍କ ନାଁରେ ଏତଲା, ସହଯୋଗୀ କର୍ମଚାରୀଙ୍କୁ ମାଡ଼ ମାରିବା ସହ ଗାଳିଗୁଲଜ ଅଭିଯୋଗ