ଭୁବନେଶ୍ବର ୨୨।୬: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଅସ୍ତ୍ରୋପଚାର ସଫଳ ହୋଇଛି । ମୁମ୍ବାଇରେ ସର୍ଭାଇକାଲ୍ ଆର୍ଥରାଇଟିସ୍ର ସଫଳ ଅସ୍ତ୍ରୋପଚାର ହୋଇଛି ବୋଲି ସୂଚନା ମିଳିଛି । ମୁମ୍ବାଇ ସ୍ଥିତ କୋକିଳା ବେନ୍ ଧୀରୁଭାଇ ଅମ୍ବାନୀ ହସ୍ପିଟାଲ୍ରେ ନବୀନଙ୍କର ଅସ୍ତ୍ରୋପଚାର ହୋଇଛି । ଦୁଇ ଦିନ ପାଇଁ ଅବଜରଭେସନରେ ରହିବେ ବୋଲି ଡାକ୍ତର ରମାକାନ୍ତ ପଣ୍ଡା ସୂଚନା ଦେଇଛନ୍ତି ।
ସର୍ଭାଇକାଲ୍ ଆର୍ଥରାଇଟିସ୍ର ଚିକିତ୍ସା ପାଇଁ ଗତ ୨୦ ତାରିଖରେ ମୁମ୍ବାଇ ଯାଇଥିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ନବୀନ ନିବାସରୁ ଏୟାରପୋର୍ଟ ଅଭିମୁଖେ ବାହାରିବା ବେଳେ ବିଜେଡି ନେତା ଓ କର୍ମୀ ନବୀନଙ୍କୁ ଜଗନ୍ନାଥଙ୍କ ଖଣ୍ଡୁଆ ପାଟ ପିନ୍ଧାଇବା ସହ ଆଶୁ ଆରୋଗ୍ୟ କାମନା କରିଥିଲେ । ସେହିଭଳି ମହିଳା କର୍ମୀମାନେ କଳସ ବସାଇ ବନ୍ଦାପନା କରିବା ସହ ହୁଳହୁଳି ପକାଇ ନବୀନଙ୍କ ଶୁଭ ମନାସି ଥିଲେ । ନବୀନଙ୍କୁ ମହାପ୍ରଭୁ ଶ୍ରୀଜଗନ୍ନାଥ ଆଶୀର୍ବାଦ କରନ୍ତୁ ବୋଲି ପ୍ରାର୍ଥନା କରିଥିଲେ । ନବୀନ ବାହାରିବା ସମୟରେ ବିଜୁ ପଟ୍ଟନାୟକ ବିମାନ ବନ୍ଦର ଛକରୁ ବିମାନ ବନ୍ଦର ପର୍ଯ୍ୟନ୍ତ ବିଜେଡି ନେତା କର୍ମୀଙ୍କ ପ୍ରବଳ ଗହଳି ଦେଖିବାକୁ ମିଳିଥିଲା । ଭୁବନେଶ୍ବର ଓ ଆଖପାଖ ଅଂଚଳରୁ ବହୁ ଶୁଭେଚ୍ଛୁ ନିଜର ପ୍ରିୟ ନେତାଙ୍କୁ ଟିକେ ଭେଟିବା ଲାଗି ଆସିଥିଲେ । ସମସ୍ତେ ନିଜ ପ୍ରିୟ ନେତା ନବୀନଙ୍କ ଆଶୁ ଆରୋଗ୍ୟ କାମନା କରୁଥିଲେ ।
ନବୀନଙ୍କ ଅସ୍ତ୍ରୋପଚାର ପୂର୍ବରୁ ଦିଲ୍ଲୀ ସମେତ ବିଭିନ୍ନ ସ୍ଥାନରେ ନବୀନଙ୍କ ଆଶୁ ଆରୋଗ୍ୟ କାମନା କରି ପୂଜାର୍ଚ୍ଚନା କରାଯାଇଥିଲା । ଦିଲ୍ଲୀରେ ଓଡ଼ିଆ କମ୍ୟୁନିଟି ପକ୍ଷରୁ ଜଗନ୍ନାଥ ମନ୍ଦିରରେ ଅଖଣ୍ଡ ଦୀପ ପ୍ରଜ୍ୱଳନ କରାଯାଇଥିଲା । ସେହିପରି ଶନିବାର ଭୁବନେଶ୍ୱର ସ୍ଥିତ ରାମ ମନ୍ଦିରରେ ବରିଷ୍ଠ ନାଗରିକ ପୂଜାର୍ଚ୍ଚନା କରିଥିଲେ । ପୁରୀ ଶ୍ରୀମନ୍ଦିର ସମ୍ମୁଖରେ ମଧ୍ୟ ଦଳୀୟ କର୍ମୀ ଓ ନେତା ପ୍ରଦୀପ ପ୍ରଜ୍ୱଳନ କରିଥିଲେ । ବିଭିନ୍ନ ନିର୍ବାଚନମଣ୍ଡଳୀ ଓ ଜିଲ୍ଲାରେ ନବୀନଙ୍କ ସୁସ୍ଥତା କାମନା କରି ନାଗରିକ ସମାଜ ଓ ଜନପ୍ରତିନିଧି ପ୍ରଦୀପ ପ୍ରଜ୍ୱଳନ କରିଥିଲେ ।
ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ସଂଯୋଜନାରେ ବରିଷ୍ଠ ନାଗରିକଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ୱଳନ ସହ ହନୁମାନ ଚାଳିଶା ପାଠ କରାଯାଇଥିଲା । ସମୂହ ପ୍ରାର୍ଥନା କରାଯାଇଥିଲା । ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର, ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା, ଅଶୋକ ପଣ୍ଡା, ଅତନୁ ସବ୍ୟସାଚୀ ନାୟକ, ସ୍ନେହାଙ୍ଗିନୀ ଛୁରିଆ, ଉତ୍ତର ବିଧାୟକ ସୁଶାନ୍ତ ରାଉତ, ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ, ମେୟର ସୁଲୋଚନା ଦାସ, ପ୍ରଣବ ବଳବନ୍ତରାୟ, ବିଜୟ ନାୟକ, ମନ୍ମଥ ରାଉତରାୟ, ସୁମିତ୍ରା ଜେନା, କସ୍ତୁରୀ ମହାପାତ୍ର, ପ୍ରୀତିନନ୍ଦା ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ ।
You Can Read:
ଚରମ୍ପାରେ ବ୍ୟବସାୟୀଙ୍କୁ ଗୁଳିମାଡ଼ ଘଟଣା : ଘଟଣାସ୍ଥଳରେ ଡିଆଇଜିଙ୍କ ତନାଘନା