ନିଜ ଇଚ୍ଛାରେ ସରକାର ଚଳାଉଥିଲେ ୟୁନୁସ୍, ଶୀର୍ଷ ପଦବୀରେ ରହିବାକୁ ଚାହୁଁଥିଲେ; ଅଭିଯୋଗ ଆଣିଲେ ବାଂଲାଦେଶ ରାଷ୍ଟ୍ରପତି

NEWS7
operation-sindoor-why-indian-army-choose-muridke-for-airstrikes-hafiz-saeed

ଢ଼ାକା: ବାଂଲାଦେଶ ରାଷ୍ଟ୍ରପତି ମହମ୍ମଦ ଶାହବୁଦ୍ଦିନ ପୂର୍ବତନ ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ଶାହବୁଦ୍ଦିନଙ୍କ ଅନୁଯାୟୀ, ୟୁନୁସ ତାଙ୍କୁ ହଟାଇବା ପାଇଁ ତିନିଥର ଷଡଯନ୍ତ୍ର କରିଥିଲେ । କିନ୍ତୁ ବିଫଳ ହୋଇଥିଲେ। ୟୁନୁସ ନିଜେ ବାଂଲାଦେଶର ସର୍ବୋଚ୍ଚ ପଦବୀ ପାଇଁ ଆଶା ରଖିଥିଲେ, କିନ୍ତୁ ମୁଁ ତାଙ୍କର ଷଡ଼ଯନ୍ତ୍ରକୁ ବିଫଳ କରିଥିଲି ବୋଲି ଶାହବୁଦ୍ଦିନ ଦାବି କରିଛନ୍ତି । ଶାହାବୁଦ୍ଦିନଙ୍କ ମନ୍ତବ୍ୟ ଏପରି ଏକ ସମୟରେ ଆସିଛି, ଯେତେବେଳେ ୟୁନୁସ ଏବଂ ତାଙ୍କ ସରକାର ସେମାନଙ୍କ କାର୍ଯ୍ୟ ପାଇଁ ଯାଞ୍ଚର ସମ୍ମୁଖୀନ ହେଉଛନ୍ତି।

ଏକ ସାକ୍ଷାତକାରରେ ଶାହବୁଦ୍ଦିନ୍ କହିଛନ୍ତି, ‘ମୋତେ ହଟାଇବା ପାଇଁ ପ୍ରଥମ ପ୍ରୟାସ ଅକ୍ଟୋବର ୨୦୨୪ରେ କରାଯାଇଥିଲା। ୟୁନୁସ୍ ବାଂଲାଦେଶରେ କୌଣସି ସାମ୍ବିଧାନିକ ଗଠନ ଚାହୁଁ ନଥିଲେ। ମୁଁ ସମସ୍ତ ଦଳ ସହିତ ଯୋଗାଯୋଗ କରିଥିଲି। ଏହା ପରେ, ମୁଁ ପଦ ଛାଡିବାକୁ ନିଷ୍ପତ୍ତି ନେଇଥିଲି।’ଶାହାବୁଦ୍ଦିନଙ୍କ ଅନୁସାରେ, ତାଙ୍କୁ ବିଚାରପତିମାନଙ୍କ ମାଧ୍ୟମରେ ହଟାଇବା ପାଇଁ ଚେଷ୍ଟା କରାଯାଇଥିଲା, କିନ୍ତୁ ସେ ସେହି ଯୋଜନାକୁ ମଧ୍ୟ ବିଫଳ କରିଥିଲେ। ସେ କହିଛନ୍ତି, ଶେଷରେ ସେମାନେ ସେନା ମୁଖ୍ୟଙ୍କ ପାଖକୁ ଯାଇଥିଲେ, କିନ୍ତୁ ସେ ମଧ୍ୟ ତାଙ୍କୁ ହଟାଇବାକୁ ମନା କରିଥିଲେ। ଏହା ପରେ ୟୁନୁସ ଶାନ୍ତ ପଡ଼ିଥିଲେ।

ରାଷ୍ଟ୍ରପତି ଶାହାବୁଦ୍ଦିନଙ୍କ ଅନୁସାରେ, ଯେତେବେଳେ ଜଣେ ନେତା ବିଦେଶରୁ ଫେରିଥାନ୍ତି, ସେ ରାଷ୍ଟ୍ରପତିଙ୍କୁ ସମ୍ପୂର୍ଣ୍ଣ ସୂଚନା ପ୍ରଦାନ କରନ୍ତି। ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ କିମ୍ବା ମୁଖ୍ୟ ପରାମର୍ଶଦାତା ନିର୍ବିଶେଷରେ ଏହା ଏକ ଦୀର୍ଘକାଳୀନ ପରମ୍ପରା। ୟୁନୁସ୍ ଏହି ପରମ୍ପରା ଏବଂ ନିୟମ ଭାଙ୍ଗିଛନ୍ତି। ଶାହାବୁଦ୍ଦିନ କହିଛନ୍ତି, ‘ସେ ବିଦେଶ ଯାଇ ନିଜର ନିଷ୍ପତ୍ତି ନିଜେ ନେଇଥିଲେ। ଫେରିବା ପରେ ସେ ମୋତେ କୌଣସି ସୂଚନା ଦେଇ ନଥିଲେ। ୟୁନୁସ୍ କେବେ ମୋତେ ଭେଟି ନଥିଲେ, ଏବଂ ସେ ମୋତେ ଏକ ବୋଝ ବୋଲି ଭାବୁଥିଲେ ।’

ସେ ଆହୁରି କହିଛନ୍ତି, ‘ମୁଁ ଏକ ପ୍ରେସ୍ ରିଲିଜ୍ ଜାରି କରିବା ପରେ, ମୋ କାର୍ଯ୍ୟାଳୟରେ ସାମ୍ବାଦିକଙ୍କ ପ୍ରବେଶ ଉପରେ ରୋକ ଲଗାଇ ଦିଆଗଲା । ବାଂଲାଦେଶର ଇତିହାସରେ ଏହା କେବେ ଘଟିନଥିଲା।’ ବାଂଲାଦେଶ ସମ୍ପ୍ରତି ଆମେରିକା ସହିତ ଏକ ଶୁଳ୍କ ଚୁକ୍ତିନାମା ସ୍ୱାକ୍ଷର କରିଛି। ଏ ବିଷୟରେ ରାଷ୍ଟ୍ରପତି କହିଛନ୍ତି, ‘ମୋତେ ଏହା ବିଷୟରେ ସୂଚନା ମଧ୍ୟ ଦିଆଯାଇ ନଥିଲା। ଏହି ଚୁକ୍ତିନାମା ଶୀଘ୍ର କରାଯାଇଥିଲା। ସମ୍ପୂର୍ଣ୍ଣ ପ୍ରକ୍ରିୟା ଗୁପ୍ତ ଭାବରେ କରାଯାଇଥିଲା।’

ଏକ ପ୍ରଶ୍ନର ଉତ୍ତରରେ ଶାହାବୁଦ୍ଦିନ କହିଛନ୍ତି, ‘ମୁଁ ମୁଖ୍ୟ ପରାମର୍ଶଦାତାଙ୍କୁ ନିଯୁକ୍ତ କରିଥିଲି, କିନ୍ତୁ ସରକାର ଭିତରେ ମୋତେ ଗରୁତ୍ବ ମିଳିନଥିଲା । ମୁଁ କତାର ଏବଂ କୋସୋଭୋ ଗସ୍ତ କରିବାକୁ ଚାହୁଁଥିଲି। ମୁଁ ଉଭୟ ଦେଶରୁ ନିମନ୍ତ୍ରଣ ପାଇଥିଲି, କିନ୍ତୁ ମୋତେ ଚିଠି ମଧ୍ୟ ଦିଆଯାଇ ନଥିଲା। ମୋତେ କାହା ସହିତ କଥା ହେବା କିମ୍ବା ସାକ୍ଷାତ କରିବାର ଅଧିକାରରୁ ବଞ୍ଚିତ କରାଯାଇଥିଲା। ମୋର ଚିଠିର ଉତ୍ତର ଦିଆଯାଇ ନଥିଲା। ୟୁନୁସ୍ ବାଂଲାଦେଶରେ ତାଙ୍କ ଇଚ୍ଛା ଅନୁସାରେ ସରକାର ଚଳାଉଥିଲେ। ଯଦି ମୁଁ ରାଷ୍ଟ୍ରପତି ନ ଥାନ୍ତି, ତେବେ ସେମାନେ ଏବେ ନିର୍ବାଚନ ମଧ୍ୟ କରିନଥାନ୍ତେ।’