ନୂଆଦିଲ୍ଲୀ ୧୨।୦୫ : ଭାରତ ‘ଅପରେସନ୍ ସିନ୍ଦୂର’ ଜରିଆରେ ପାକିସ୍ତାନକୁ କଡ଼ା ଜବାବ ଦେଇଛି। ଇତିମଧ୍ୟରେ ଫିଲ୍ମ ନିର୍ମାତା ନିକ୍କି ଭଗନାନୀ ‘ଅପରେସନ୍ ସିନ୍ଦୂର’ ଉପରେ ଫିଲ୍ମ ନିର୍ମାଣ ଘୋଷଣା କରିଛନ୍ତି । ସେତିକି ନୁହେଁ, ଫିଲ୍ମର ପୋଷ୍ଟର୍ ମଧ୍ୟ ଜାରି କରିଛନ୍ତି । ଏହାକୁ ନେଇ ଲୋକଙ୍କ ଆକ୍ରୋଶ ବଢ଼ିଛି । ନିର୍ମାତାଙ୍କୁ ସମାଲୋଚନା କରିଛନ୍ତି । ତେବେ ନିକ୍କି ଭଗନାନୀ ଏ ମାମଲାରେ କ୍ଷମା ପ୍ରାର୍ଥନା କରିଛନ୍ତି ଏବଂ କହିଛନ୍ତି, କିଛି ସମୟ ତଳେ ମୁଁ ସୋସିଆଲ ମିଡିଆରେ ‘ଅପରେସନ୍ ସିନ୍ଦୂର’ ନାମରେ ଏକ ଫିଲ୍ମ ଘୋଷଣା କରିଥିଲି । ଏହା ଆମ ସେନା ଓ ଏକ ସାହସିକ ମିଶନ ଦ୍ୱାରା ପ୍ରେରିତ । ଯଦି ଏଥିରେ କେହି ଆହତ ହୋଇଥାନ୍ତି, ତେବେ ମୁଁ କ୍ଷମା ପ୍ରାର୍ଥନା କରୁଛି। ମାମଲାଟି ଏମିତି ।
ନିକ୍କି ଭିକ୍କି ଭଗନାନୀ ଫିଲ୍ମସ ଓ କଣ୍ଟେଣ୍ଟ୍ ଇଞ୍ଜିନିୟର ମିଳିତ ଭାବେ ‘ଅପରେସନ୍ ସିନ୍ଦୂର’ ନାମକ ଫିଲ୍ମ ନିର୍ମାଣର ଘୋଷଣା କରିଥିଲେ । ଏହାର ଏକ ଏଆଇ ପୋଷ୍ଟର୍ ମଧ୍ୟ ଶେୟାର କରିଥିଲେ । ଏଥିରେ ଲେଖାଯାଇଛି- ଭାରତ ମାତା କୀ ଜୟ, ଅପରେସନ୍ ସିନ୍ଦୂର । ଏହା ପରେ ସୋସିଆଲ ମିଡିଆ ୟୁଜର୍ ଖୁବ୍ ରାଗିଯାଇଛନ୍ତି । ନିଜର ଫାଇଦା ପାଇଁ ଫିଲ୍ମ ନିର୍ମାଣ ଲାଗି ସମସ୍ତେ ଆଗେଇ ଆସିଛନ୍ତି ବୋଲି ୟୁଜର କହୁଛନ୍ତି । ଯୁଦ୍ଧ ସ୍ଥିତିରେ ନିଜକୁ ଓ ଦେଶକୁ ଲଜ୍ଜିତ କରିବା ବନ୍ଦ କରିବାକୁ ଜଣେ ୟୁଜର୍ ଲେଖିଛନ୍ତି । ଏହି ଫିଲ୍ମର ନିର୍ଦ୍ଦେଶକ ଉତ୍ତମ ମାହେଶ୍ୱରୀ ମଧ୍ୟ ଲୋକଙ୍କ ସମାଲୋଚନା ପରେ କ୍ଷମା ମାଗିଛନ୍ତି । ସୋସିଆଲ ମିଡିଆରେ ସେ ପୋଷ୍ଟ୍ ସେୟାର କରି ଲେଖିଛନ୍ତି, ଭାରତୀୟ ସୈନ୍ୟଙ୍କ ବୀରତ୍ୱ ଦ୍ୱାରା ପ୍ରେରିତ ଫିଲ୍ମ ‘ଅପରେସନ୍ ସିନ୍ଦୂର’ ଘୋଷଣା ପାଇଁ ମୁଁ କ୍ଷମା ମାଗୁଛି । କାହାର ଭାବନାକୁ ଆଘାତ ଦେବା ଏହାର ଉଦ୍ଦେଶ୍ୟ ନ ଥିଲା । ଆମ ଯବାନଙ୍କ ସାହସ, ବଳିଦାନ ଓ ଶକ୍ତିରେ ମୁଁ ଖୁବ୍ ପ୍ରଭାବିତ ହେଲି ।
ଏହି କାହାଣୀକୁ କେବଳ ସମସ୍ତଙ୍କ ସାମ୍ନାକୁ ଆଣିବାକୁ ଚାହୁଁଥିଲି । ଅନ୍ୟପକ୍ଷେ, ଶିବସେନା ସାଂସଦ ପ୍ରିୟଙ୍କା ଚତୁର୍ବେଦୀ ‘ଅପରେସନ୍ ସିନ୍ଦୂର’ ନାଁରେ ଫିଲ୍ମ ପଞ୍ଜିକୃତ କରିବା ପାଇଁ ଲାଗିଥିବା ରେସ୍କୁ ନେଇ ବଲିଉଡ୍ ନିର୍ମାତା ଓ ପ୍ରଯୋଜନା ସଂସ୍ଥାଙ୍କୁ ଖୁବ୍ ସମାଲୋଚନା କରିଛନ୍ତି । ଏମାନଙ୍କୁ ଅଲଜ୍ଜା ଶାଗୁଣା ବୋଲି ସେ କହିଛନ୍ତି ।