ନୂଆଦିଲ୍ଲୀ: ପହଲଗାମ ଆତଙ୍କୀ ହମଲା ପରେ ପାକିସ୍ତାନର ଆତଙ୍କବାଦୀ ଠିକଣାରେ ପ୍ରଚଣ୍ଡ ପ୍ରହାର କରିଥିବା ଭାରତ । ଏଥିରେ ବାଉଳା ହୋଇଯାଇଥିଲା ପଡ଼ୋଶୀ ଦେଶ । ଆଉ ଭାରତକୁ ପରମାଣୁ ବୋମାର ଧମକ ଦେଇ ଡ୍ରୋନ୍ ଆକ୍ରମଣ କରିଥିଲା । ଏହାର ପ୍ରତି ଜବାବରେ ଭାରତୀୟ ସେନା ପାକ୍ର ୫ଟି ଏୟାରବେସ୍କୁ ଉଡ଼ାଇ ଦେଇଥିଲା । ତେବେ ୮୬ ଘଣ୍ଟାର ଯୁଦ୍ଧ ଘନଘୋଟା ପରେ ପାକିସ୍ତାନ ଚେତା ପଶିଛି ଯେ ତିକ୍ତତା ବଢ଼ିଲେ ଆଗକୁ ଭୀଷଣ ଯୁଦ୍ଧ ହେବ । ଯାହାକୁ ପାକ୍ ପକ୍ଷେ ସମ୍ଭାଳିବା ଅସମ୍ଭବ ହୋଇଯିବ । ତେଣୁ ଆମେରିକା ମାଧ୍ୟମରେ ସିଜଫାୟାର ଅପିଲ୍ କରି ‘ଅପରେସନ ସିନ୍ଦୂର’କୁ ଅଟକାଇଛି । ଏପଟେ ସର୍ତ୍ତ ସହିତ ଅସ୍ତ୍ରବିରତିରେ ରାଜି ହୋଇଛି ଭାରତ । ତେଣୁ ମେ’ ୧୦ ତାରିଖ ସଂଧ୍ୟା ୫ଟାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ସଂଘର୍ଷ ବିରାମ ଲାଗୁ ହୋଇଛି । ଆସନ୍ତା ମେ’ ୧୨ ତାରିଖରେ ଦୁଇ ଦେଶର ଡିଜିଏମଓ ସ୍ତରୀୟ ବୈଠକ ବସିବ ।
‘ଆମେ ଶାନ୍ତି ଚାହୁଁ, ଏହା ଦୁନିଆ ଦେଖିଲା...ଏବେ ବିଶ୍ବ ଦେଖିବ ଆମେ ଶାନ୍ତିର ରକ୍ଷା ପାଇଁ କିପରି ଶକ୍ତି ପ୍ରଦର୍ଶନ ହେଉଛି’ । ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଭାଷଣର ପଂକ୍ତି ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଛି । କାରଣ ପାକିସ୍ତାନ ପାଳି ଥିବା ଆତଙ୍କବାଦୀଙ୍କ ବିରୋଧରେ ଭାରତୀୟ ସେନା ଯେଉଁ ‘ଅପରେସନ ସିନ୍ଦୂର’ ଆରମ୍ଭ କରିଥିଲା, ତାହା ଏବେ ଆଇନାରେ ନଜର ଆସୁଛି । ପହଲଗାମ ଆତଙ୍କବାଦୀ ହମଲାର ପ୍ରତି ଜବାବରେ ଭାରତୀୟ ସେନା ଅପରେସନ ସିନ୍ଦୂର ଆରମ୍ଭ କରିଥିଲା । ମାତ୍ର ପାକିସ୍ତାନକୁ ଏହା ହଜମ ହୋଇନଥିଲା । ଆତଙ୍କବାଦୀଙ୍କ ପାଇଁ ଭାରତ ବିରୋଧରେ ସୈନ୍ୟ ଆକ୍ସନ ନେଇଥିଲା ।
ଏହା ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଥିଲା । ପାକିସ୍ତାନ ପ୍ରଥମେ ସୀମାବର୍ତ୍ତୀ ଅଞ୍ଚଳକୁ ଟାର୍ଗେଟ୍ କରି ଡ୍ରୋନ ଆକ୍ରମଣ କରିଥିଲା । ପ୍ରାୟ ୪ଶହରୁ ଅଧିକ ଡ୍ରୋନ ହମଲା କରିଥିଲା । ମାତ୍ର ଏହାକୁ ଭାରତର ଏୟାର ଡିଫେନ୍ସ ସିଷ୍ଟମ ନଷ୍ଟ କରି ଦେଇଥିଲା । ଶନିବାର ଭାରତୀୟ ସେନା ପାଲଟା ଆକ୍ରମଣ କରି ପାକିସ୍ତାନର ୫ଟି ଏୟାରବେସର ନଷ୍ଟ କରିବା ପରେ ମୁଣ୍ଡ ନୁଆଁଇଛି ପଡ଼ୋଶୀ ଦେଶ । ତେବେ ୭ ତାରିଖରୁ ଆରମ୍ଭ ହୋଇଥିବା ଅପରେସନ ସିନ୍ଦୂର ୮୬ ଘଣ୍ଟା ପରେ ୧୦ ତାରିଖରେ ଶେଷ ହୋଇଛି । ପାକିସ୍ତାନ ଅପିଲ୍ ଓ ଆମେରିକାର ମଧ୍ୟସ୍ଥତା ପରେ ଅସ୍ତ୍ରବିରତିରେ ରାଜି ହୋଇଛି ଭାରତ ।