୫ ବର୍ଷର ୟୁକେଜି ଛାତ୍ରଟି ବସ୍‌ ଭିତରେ କାନ୍ଦୁଥିଲା ୭ ଘଣ୍ଟା, ଶୁଣିପାରୁ ନଥିଲେ କେହି… କାହିଁକି, କିପରି ଆଉ ହେଲା କ’ଣ ?

NEWS7
operation-sindoor-complete-in-86-hours-full-timeline

ନୂଆଦିଲ୍ଲୀ ୨୭।୨: ବେଳେ ବେଳେ କିଛି କର୍ମଚାରୀଙ୍କ ଦାୟିତ୍ବହୀନତାରୁ ଏମିତି ଅଘଟଣ ଘଟେ ଯେ, ତାହା କେବଳ ଚିନ୍ତାଜନକ ନୁହଁ ବେଦନା ଦାୟକ ବି ହୋଇଥାଏ । ଠିକ୍ ସେମିତି ଘଟଣାଟିଏ ଘଟିଛି ରାଜଧାନୀ ଦିଲ୍ଲୀରେ । ମାତ୍ର ୫ ବର୍ଷର ଶିଶୁଟିଏ କାନ୍ଦି କାନ୍ଦି ହାଲିଆ ହୋଇଯାଇଛି, ଭୋକ-ଶୋଷରେ ଆଉଟୁ ପାଉଟୁ ହୋଇଛି, କିନ୍ତୁ ତାର ଚିତ୍କାର ଶୁଣିପାରିନାହାନ୍ତି କେହି । କିଛି ମିନିଟ୍ ବା ଘଣ୍ଟାଏ ନୁହେଁ ୭ ଘଣ୍ଟା ଶିଶୁଟି ବିକଳ ହୋଇଛି । କିନ୍ତୁ ତାର କାନ୍ଦ ତ ଦୂରର କଥା ଶବ୍ଦ ବି କାହା କାନରେ ବାଜି ପାରିନି । ବିଚରା ପିଲାଟି ତାର ସ୍କୁଲ ବସ୍ ଭିତରେ କାନ୍ଦି ଚାଲିଛି ଭୋକ ଶୋଷରେ । ଦିଲ୍ଲୀର ଏକ ନାମକରା ଘରୋଇ ସ୍କୁଲ୍ର ୟୁକେଜି ଛାତ୍ରଟି ସେ ଯିଏ ବସ୍ ଭିତରେ କାନ୍ଦୁଥିଲା ପ୍ରାୟ ୭ ଘଣ୍ଟା । କିନ୍ତୁ ବସ୍ରେ ନଥିଲେ କେହି । ସ୍କୁଲ୍ଠୁ ୨୫ କିଲୋମିଟର ଦୂରରେ ବସ୍କୁ ପାର୍କିଂ କରି ଡ୍ରାଇଭର, କ୍ଲିନର ଚାଲିଯାଇଥିଲେ । ଏପଟେ ଶିଶୁଟିର ପରିବାର ତାକୁ ସ୍କୁଲ୍ରୁ ରାସ୍ତାଘାଟ, ପଡ଼ିଶା ସବୁଠି ଖୋଜି ଚାଲିଥିଲେ । ଗତ ସୋମବାର ଘଟିଥିଲା ଏହି ଘଟଣା ।

କିପରି ଏପରି ହେଲା ?

ସବୁଦିନ ପରି ଶିଶୁଟି ଅପରାହ୍ନରେ ଘରେ ନପହଞ୍ଚିବାରୁ ଘରଲୋକେ ଖୋଜା ଖୋଜି ଆରମ୍ଭ କଲେ । ସ୍କୁଲ୍କୁ ଫୋନ୍ କରିବାରୁ ଶିଶୁଟି ସ୍କୁଲ୍ ଆସିନଥିବା ଉତ୍ତର ଆସିଲା । ବଡ ଆଶ୍ଚର୍ଯ୍ୟ । ରାଜଧାନୀ ଦିଲ୍ଲୀର ଏକ ଘରୋଇ ଇଣ୍ଟରନ୍ୟାସନାଲ ସ୍କୁଲ୍ ର ଏହି ଘଟଣା । ଶିଶୁଟି କିନ୍ତୁ ସକାଳେ ବସ୍ରେ ଘରୁ ସ୍କୁଲ ଯାଇଥିଲା । ତେବେ ସେ ଗଲା କୁଆଡେ ? ଖୋଜାଖୋଜି ପରେ ଜଣାପଡିଲା, ବସ୍ ସ୍କୁଲ୍ରେ ପହଞ୍ଚିବା ସମୟରେ ଶିଶୁଟି ଓହ୍ଲାଇ ନଥିଲା । କାରଣ ସେ ତାର ସିଟ୍ରେ ଶୋଇ ପଡିଥିଲା । ଆଉ ବସ୍ ଡ୍ରାଇଭର, କ୍ଲିନର ତାହା ଯାଞ୍ଚ କରିନଥିଲେ କିମ୍ବା ଜାଣିପାରି ନଥିଲେ । ସେମାନେ ଅନ୍ୟ ସବୁ ପିଲା ଓହ୍ଲାଇ ଯିବା ପରେ ବସ୍କୁ ସ୍କୁଲ୍ଠାରୁ ୨୫ କିଲୋମିଟର ଦୂର ଏକ ସ୍ଥାନରେ ପାର୍କିଂ କରିଥିଲେ । ଡୋର ଲକ୍ କରି ଚାଲିଯାଇଥିଲେ । ଏପଟେ ନିଦ ଭାଙ୍ଗିବା ପରେ ପିଲାଟି ବସ୍ ଭିତରେ କାନ୍ଦୁଥିଲା । ଭୋକ, ଶୋଷରେ ତାର କାନ୍ଦ ବନ୍ଦ ହେଉ ନଥିଲା , କିମ୍ବା ତାର କାନ୍ଦ ଶୁଣି ଆସୁନଥିଲେ କେହି ।

କିପରି ପିଲାକୁ ପାଇଲେ ପରିବାର ?

ଶିଶୁଟି ଘରକୁ ନଫେରିବାରୁ ବ୍ୟସ୍ତ ପରିବାର ଲୋକେ ସ୍କୁଲ୍ କର୍ତ୍ତୃପକ୍ଷଙ୍କ ସହ ଯୋଗଯୋଗ କଲେ । ଅଥଚ ଶିଶୁଟି ସ୍କୁଲ୍ରେ ଅନୁପସ୍ଥିତ ଥିବା ଖବର ବଢାଇଦେଲା ସେମାନଙ୍କ ସନ୍ଦେହ । ବସ୍ରେ ସ୍କୁଲ ଯାଇଥିବା ପିଲାଟି କୁଆଡେ ଗଲା ? ଏହି ପ୍ରଶ୍ନ ଆନ୍ଦୋଳିତ କରିବା ପରେ ସ୍କୁଲ୍ ବସ୍କୁ ଖୋଜା ପଡିଲା । କିନ୍ତୁ ବସ୍ଟି ୨୫ କିଲୋମିଟର ଦୂରରେ ଥୁଆ ହୋଇଥିଲା । ସେଥିରେ ନଥିଲେ ଡ୍ରାଇଭର କିମ୍ବା କର୍ମଚାରୀ । ଶିଶୁର ଆତ୍ମୀୟ ସେଠାରେ ପହଞ୍ଚିଥିଲେ ଏବଂ ବସ୍ ଭିତରେ ଶିଶୁଟିକୁ କାନ୍ଦି କାନ୍ଦି ହାଲିଆ ହୋଇ ଯାଇଥିବା ଅବସ୍ଥାରେ ପାଇଥିଲେ । ସେହି ମିଳନ ତ ଅନେକ ମଧୁର ହୋଇଥାଇପାରେ, କିନ୍ତୁ ଚିନ୍ତାଜନକ ସ୍କୁଲ୍ ବସ୍ର କର୍ମଚାରୀଙ୍କ ଦାୟିତ୍ବହୀନତା । ସେମାନେ କାହିଁକି ସବୁ ପିଲା ଓହ୍ଲାଇଲେ କି ନାହିଁ ତାର ଯାଞ୍ଚ କରିନଥିଲେ ? ବସ୍ ଲକ୍ ପୂର୍ବରୁ ବସ୍ ଭିତର ଯାଞ୍ଚ କରିନେବା ସେମାନଙ୍କ ଦାୟିତ୍ବ ନୁହେଁ କି ? ସ୍କୁଲ୍ କର୍ତ୍ତୃପକ୍ଷଙ୍କ ଦାୟିତ୍ବକୁ ନେଇ ମଧ୍ୟ ପ୍ରଶ୍ନ । ଛାତ୍ର ଛାତ୍ରୀଙ୍କ ଅନୁପସ୍ଥିତି ସଂପର୍କରେ ପ୍ରଥମ ପିରିୟଡରୁ ବା ପ୍ରଥମ ଭାଗରେ ସେମାନଙ୍କ ପରିବାରକୁ ଜଣାଇବା ବି ଜରୁରୀ । ତାହାର ନିଶ୍ଚିତତା ମଧ୍ୟ ଦରକାର । ଯଦି ପିଲାଟିର କିଛି ଘଟିଥାନ୍ତା, ତେବେ କ’ଣ ହୋଇଥାନ୍ତା ? ତାର ମାନସିକ ଓ ଶାରିରୀକ ଅବସ୍ଥାର ଯତ୍ନ ବି ଦରକାର ନୁହେଁ କି ?