ଅପରେସନ ମିଡ୍‌ନାଇଟ୍ ହାମର୍: ୧୨୫ ଯୁଦ୍ଧ ବିମାନ, ୧୪ ବଙ୍କର୍ ବଷ୍ଟର୍ ବୋମା; ଇରାନର ପରମାଣୁ ଠିକଣା ଧ୍ୱଂସ

Published By : Prameya-News7 Bureau | June 22, 2025 IST

ନୂଆଦିଲ୍ଲୀ: ଇରାନ ବିରୁଦ୍ଧରେ ଆମେରିକାର ଗୁପ୍ତ ଏବଂ ବଡ଼ ସାମରିକ ଆକ୍ରମଣ ସଫଳ ହୋଇଛି । ଏହି ସୈନ୍ୟ ଅଭିଯାନକୁ 'ଅପରେସନ୍ ମିଡ୍‌ନାଇଟ୍ ହାମର୍' ନାମ ଦିଆଯାଇଛି । ଆମେରିକାର ସୈନ୍ୟ ମୁଖ୍ୟାଳୟ ପେଣ୍ଟାଗନ୍ ଅନୁଯାୟୀ, ଏହି ଅଭିଯାନରେ ୧୨୫ରୁ ଅଧିକ ଆମେରିକୀୟ ଯୁଦ୍ଧ ବିମାନ ଏବଂ କ୍ଷେପଣାସ୍ତ୍ର ସାମିଲ ଥିଲା । ଜଏଣ୍ଟ ଚିଫ୍ ଅଫ୍ ଷ୍ଟାଫ୍ ଅଧ୍ୟକ୍ଷ ଜେନେରାଲ ଡାନ୍ କେନ୍ କହିଛନ୍ତି, ଏହି ଆକ୍ରମଣ ଇରାନର ଦୁଇଟି ପ୍ରମୁଖ ପରମାଣୁ କେନ୍ଦ୍ର - ଫୋର୍ଡୋ ଏବଂ ନଟାଞ୍ଜ ଉପରେ କରାଯାଇଥିଲା । ଏହା ସହିତ, ଇସ୍ଫହାନ ସହର ଉପରେ ମଧ୍ୟ କ୍ଷେପଣାସ୍ତ୍ର ମାଡ଼ କରାଯାଇଥିଲା । ଜେନେରାଲ ଡାନ୍ କେନ୍ କହିଛନ୍ତି, 'ଆମେ ଇରାନର ସେହି ଘାଟିଗୁଡ଼ିକୁ ଟାର୍ଗେଟ୍ କରିଥିଲୁ ଯାହା ସିଧାସଳଖ ପରମାଣୁ କାର୍ଯ୍ୟକ୍ରମ ସହିତ ଜଡିତ ଥିଲା । ଏହି ଅଭିଯାନରେ ସାଧାରଣ ନାଗରିକଙ୍କୁ କୌଣସି କ୍ଷତି ପହଞ୍ଚାଯାଇ ନ ଥିଲା।'

ଏହି ସୈନ୍ୟ ଅଭିଯାନରେ ଆମେରିକାର ୧୨୫ରୁ ଅଧିକ ଯୁଦ୍ଧ ବିମାନ ସାମିଲ ଥିଲା । ଏଥିରେ ବୋମ୍ୱର୍ସ, ଲଢ଼ୁଆ ବିମାନ, ଟ୍ୟାଙ୍କର୍ (ଇନ୍ଧନ ଭର୍ତ୍ତି କରୁଥିବା ବିମାନ) ଏବଂ ଗୁପ୍ତଚର ବିମାନ ଥିଲା । ମିସୌରୀରୁ ଉଡ଼ାଣ କରିଥିବା B-୨ ଷ୍ଟିଲ୍ଥ ବୋମ୍ୱର ବିମାନ ବ୍ୟବହାର କରାଯାଇଥିଲା । ପ୍ରତ୍ୟେକ ବୋମ୍ୱର ୩୦,୦୦୦ ପାଉଣ୍ଡ ଓଜନର ବଙ୍କର୍-ବଷ୍ଟର୍ ବୋମା ପକାଇଥିଲେ । ଏହି ବୋମାଗୁଡ଼ିକ ଭୂର୍ଭଗରେ ଥିବା ଗୁପ୍ତ ପ୍ରତିଷ୍ଠାନ ଧ୍ୱଂସ କରିବାରେ ସକ୍ଷମ । ଆକ୍ରମଣ ସ୍ଥାନୀୟ ସମୟ ସନ୍ଧ୍ୟା ୬.୪୦ ରେ ଆରମ୍ଭ ହୋଇଥିଲା ଏବଂ ସାତଟା ସୁଦ୍ଧା ସମସ୍ତ ବିମାନ ଇରାନ ବାୟୁସୀମା ଛାଡ଼ି ସୁରକ୍ଷିତ ଫେରିଥିଲେ ।

ଆମେରିକାର ପ୍ରତିରକ୍ଷା ମନ୍ତ୍ରୀ ପିଟ୍ ହାଗସେଥ୍ କହିଛନ୍ତି, ଏହି ସୈନ୍ୟ କାର୍ଯ୍ୟାନୁଷ୍ଠାନ ଆମେରିକାର ସୁରକ୍ଷା ଏବଂ ପଶ୍ଚିମ ଏସିଆରେ ଶାନ୍ତି ବଜାୟ ରଖିବା ପାଇଁ ଜରୁରି ଥିଲା । ସେ କହିଛନ୍ତି, 'ଯଦି ଇରାନ ଶାନ୍ତିର ରାସ୍ତା ନବାଛେ, ତେବେ ଆମେରିକା ଆହୁରି କଠୋର ପଦକ୍ଷେପ ନେବାକୁ ପଛାଇବ ନାହିଁ । ଏହା ପୂର୍ବରୁ ହ୍ୱାଇଟ୍ ହାଉସରୁ ଏକ ବିବୃତ୍ତିରେ କହିଥିଲେ ଯେ 'ଆମେ ଇରାନର ପରମାଣୁ ସ୍ଥାନଗୁଡ଼ିକୁ ସମ୍ପୂର୍ଣ୍ଣ ଭାବରେ ଧ୍ୱଂସ କରିଦେଇଛୁ । ଆମେରିକା ଯୁଦ୍ଧ ଚାହୁଁନି, କିନ୍ତୁ ଇରାନରୁ ଆସୁଥିବା ବିପଦକୁ ଅଣଦେଖା କରାଯାଇପାରିବ ନାହିଁ ।'

ଆମେରିକାର ପ୍ରତିରକ୍ଷା ମନ୍ତ୍ରୀ ପିଟ୍ ହେଗସେଥ୍ କହିଛନ୍ତି, 'ଗତକାଲି ରାତିରେ, ରାଷ୍ଟ୍ରପତି ଟ୍ରମ୍ପଙ୍କ ନିର୍ଦ୍ଦେଶରେ, ଆମେରିକାର କେନ୍ଦ୍ରୀୟ କମାଣ୍ଡ ମଧ୍ୟରାତ୍ରିରେ ତିନୋଟି ଇରାନୀ ପରମାଣୁ ପ୍ରତିଷ୍ଠାନ, ଫୋର୍ଡୋ, ନଟାଞ୍ଜ ଏବଂ ଇସ୍ଫହାନ ଉପରେ ଆକ୍ରମଣ କରିଥିଲା, ଯାହା ଦ୍ୱାରା ଇରାନର ପରମାଣୁ କାର୍ଯ୍ୟକ୍ରମକୁ ନଷ୍ଟ କିମ୍ବା ଗୁରୁତର ଭାବରେ କ୍ଷତି ପହଞ୍ଚାଯାଇଛି । ଏହା ଅବିଶ୍ୱସନୀୟ ଏବଂ ବଡ଼ ସଫଳତା ଥିଲା । ଏହି ଅଭିଯାନ ଇରାନୀ ସୈନିକ କିମ୍ବା ଇରାନୀ ଲୋକଙ୍କୁ ଟାର୍ଗେଟ୍ କରି ନଥିଲା।' ପିଟ୍ ହେଗସେଥ୍ କହିଛନ୍ତି, ଇସ୍ରାଏଲ ମଧ୍ୟ ଏହି ଅପରେସନ୍ ପ୍ରସ୍ତୁତିରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା । ଜେନେରାଲ ଡାନ୍ କହିଛନ୍ତି, '୧୮ ଘଣ୍ଟା ଲମ୍ୱା ଉଡ଼ାଣ, ଆକାଶରେ ଅନେକ ଥର ଇନ୍ଧନ ଭର୍ତ୍ତି କରିବା, ଠିକ୍ ସମୟରେ ଫର୍ମେସନ୍ ଗଠନ କରିବା - ବିଶ୍ୱର ଅନ୍ୟ କୌଣସି ସେନା ଏସବୁ କରିପାରିବ ନାହିଁ । ଏହି ଆକ୍ରମଣରେ ଏତେ ଗୁପ୍ତତ ଥିଲା ଯେ ଇରାନ ପ୍ରତିରକ୍ଷା ପ୍ରଣାଳୀ ଆକ୍ରମଣ କଥାକୁ ଜାଣିପାରି ନଥିଲା । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.