ନୂଆଦିଲ୍ଲୀ: ଆତଙ୍କବାଦୀଙ୍କ ସଫେଇ ପାଇଁ ପାକିସ୍ତାନରେ ଭାରତ ଅପରେସନ ସିନ୍ଦୂର ଏବେ ବି ଜାରି ରହିଛି। ଏନେଇ କେନ୍ଦ୍ର ମନ୍ତ୍ରୀ କିରେନ ରିଜିଜୁ ସୂଚନା ଦେଇଛନ୍ତି। ସବୁଠାରୁ ବଡ଼ କଥା ହେଲା ଅପରେସନରେ କେତେ ଜଣ ଆତଙ୍କବାଦୀଙ୍କର ମୃତ୍ୟୁ ହୋଇଛି ସେ ନେଇ ମଧ୍ୟ କେନ୍ଦ୍ର ସରକାର ସୂଚନା ଦେଇଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସର୍ବଦଳୀୟ ବୈଠକରେ ବୁଧବାର ପାକିସ୍ତାନୀ ଆତଙ୍କବାଦୀ ଶିବିର ଉପରେ ହୋଇଥିବା ଆକ୍ରମଣରେ ୧୦୦ ଜଣ ଆତଙ୍କବାଦୀ ନିହତ ହୋଇଥିବା କଥା କହିଛନ୍ତି।
ପ୍ରଥମ ଥର ପାଇଁ ସରକାର ସୀମାପାର ଆକ୍ରମଣରେ ମୃତ୍ୟୁ ସଂଖ୍ୟା ବଷୟରେ ସୂଚନା ଦେଇଛନ୍ତି। ଏନେଇ ଜାତୀୟ ଗଣମାଧ୍ୟମ ଇଣ୍ଡିଆଟୁଡେରେ ଖବର ପ୍ରକାଶ ପାଇଛି। ତେବେ ଯଦିଓ ସର୍ବଦଳୀୟ ବୈଠକରେ ସରକାର ଏପରି ସୂଚନା ଦେଇଥିବା କୁହାଯାଉଛି ହେଲେ ସର୍ବସାଧାରଣରେ ସରକାର ମୃତ୍ୟୁ ସଂଖ୍ୟା ନେଇ ସ୍ପଷ୍ଟ କରି ନାହାନ୍ତି। ଗୁରୁବାର ସରିଥିବା ସର୍ବଦଳୀୟ ବୈଠକ ଶେଷ ହେବା ପରେ ସାମ୍ବାଦିକମାନଙ୍କୁ ପ୍ରତିକ୍ରିୟା ଦେଇ କେନ୍ଦ୍ରମନ୍ତ୍ରୀ ରିଜିଜୁ କହିଛନ୍ତି, "ପ୍ରତିରକ୍ଷା ମନ୍ତ୍ରୀ ନେତାମାନଙ୍କୁ ସୂଚନା ଦେଇଛନ୍ତି ଯେ ଯେହେତୁ ଅପରେସନ ଜାରି ରହିଛି ତେଣୁ ସେ ଟେକ୍ନିକାଲ ସୂଚନା ଦେଇପାରିବେ ନାହିଁ।"
ସର୍ବଦଳୀୟ ବୈଠକ ପରେ ରିଜିଜୁ କହିଛନ୍ତି ଯେ ଦଳୀୟ ସୀମାରୁ ଉର୍ଦ୍ଧ୍ୱ ନେତାମାନେ ଅପରେସନ ସିନ୍ଦୂରର ସଫଳତା ପାଇଁ ସର୍ବସମ୍ମତିକ୍ରମେ ସଶସ୍ତ୍ର ବାହିନୀକୁ ଅଭିନନ୍ଦନ ଜଣାଇଥିଲେ ଏବଂ ସରକାରଙ୍କୁ ପୂର୍ଣ୍ଣ ସମର୍ଥନ ପ୍ରଦାନ କରିବାର ପ୍ରତିଶ୍ରୁତି ଦେଇଥିଲେ।
ସେପଟେ ପାକିସ୍ତାନ ଭାରତରେ ୧୫ଟି ସାମରିକ ଲକ୍ଷ୍ୟସ୍ଥଳ ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରି ବିଫଳ ହୋଇଛି। ଜବାବରେ ଗୁରୁବାର ଭାରତୀୟ ସଶସ୍ତ୍ର ବାହିନୀ ପାକିସ୍ତାନର ଅନେକ ସ୍ଥାନରେ ଥିବା ବାୟୁ ପ୍ରତିରକ୍ଷା ରାଡାରକୁ ଟାର୍ଗେଟ କରିଛନ୍ତି। ଏଥିରେ ଲାହୋରରେ ଥିବା ସିଷ୍ଟମକୁ ନଷ୍ଟ କରି ଦିଆଯାଇଛି। ବାୟୁ ସେନା ଏସ୍-୪୦୦ ସୁଦର୍ଶନ ଚକ୍ର ପ୍ରତିରକ୍ଷା ପ୍ରଣାଳୀ ମାଧ୍ୟମରେ ପାକିସ୍ତାନ ମିସାଇଲକୁ ଧ୍ୱଂସ କରିଛି । ଭାରତ ପ୍ରଥମ ଥର ପାଇଁ ଏସ୍-୪୦୦ ଡିଫେନ୍ସ ସିଷ୍ଟମକୁ ବ୍ୟବହାର କରିଛି ।
ରୁଷରୁ କିଣିଥିବା ଅତ୍ୟାଧୁନିକ ଏସ୍-୪୦୦ ଏୟାର ଡିଫେନ୍ସି ମିସାଇଲ୍ ସିଷ୍ଟମକୁ ଭାରତ ନିଜ ସୀମାରେ ମୁତୟନ କରିଛି। ପାକିସ୍ତାନ ପଟୁ ଆକ୍ରମଣ ହେବା କ୍ଷଣି, ଭାରତ ଏସ୍-୪୦୦ ମିସାଇଲକୁ ଆକ୍ଟିଭ କରିଛି । ଏହା ଜରିଆରେ ଶତ୍ରୁର ମିସାଇଲକୁ ଆକାଶରେ ଧ୍ୱଂସ କରାଯାଇଛି । ଭାରତ ଏହି ସିଷ୍ଟମକୁ ସୁଦର୍ଶନ ଚକ୍ର ନାଁ ଦେଇଛି, ଯାହା ଭଗବାନ ଶ୍ରୀକୃଷ୍ଣଙ୍କ ଦିବ୍ୟ ଚକ୍ରକୁ ପ୍ରେରିତ ।
ସର୍ବଦଳୀୟ ବୈଠକରେ କ’ଣ ହେଲା ?
ଇଣ୍ଡିଆଟୁଡେରେ ପ୍ରକାଶିତ ଖବର ଅନୁସାରେ, ସର୍ବଦଳୀୟ ବୈଠକରେ ରାଜନାଥ ସିଂହ କହିଛନ୍ତି ଯେ ପାକିସ୍ତାନ ଏବଂ ପାକ୍ ଅଧିକୃତ କାଶ୍ମୀର (ପିଓକେ)ରେ ୯ଟି ଆତଙ୍କବାଦୀ ଆଡ୍ଡା ଉପରେ ଭାରତର ସଠିକ୍ ଆକ୍ରମଣରେ ୧୦୦ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ତଥାପି, ସେ ସ୍ପଷ୍ଟ କରିଛନ୍ତି ଯେ ପାକିସ୍ତାନ ପ୍ରତିଶୋଧ ନେଲେ ଭାରତ ପଛକୁ ହଟିବ ନାହିଁ। ମିଡିଆ ରିପୋର୍ଟ ଅନୁସାରେ ସର୍ବଦଳୀୟ ବୈଠକରେ ରାଜନାଥ ୫ ମିନିଟ୍ ପାଇଁ ଭାଷଣ ଦେଇଥିବା ବେଳେ, ଅନ୍ୟ ନେତାମାନଙ୍କୁ ସେମାନଙ୍କ ମତାମତ ବାଣ୍ଟିବା ପାଇଁ ପ୍ରତ୍ୟେକଙ୍କୁ ୪-୫ ମିନିଟ୍ ସମୟ ଦିଆଯାଇଥିଲା। ବିରୋଧୀ ଦଳଗୁଡ଼ିକ ସଶସ୍ତ୍ର ବାହିନୀର ପ୍ରଶଂସା କରିଥିଲେ। ଏବଂ ସରକାରଙ୍କୁ ସମର୍ଥନ କରିଥିଲେ। ହେଲେ ଏଥର ବି ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ ଅନୁପସ୍ଥିତ ଥିବାରୁ କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡ଼ଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅନୁପସ୍ଥିତି ଉପରେ ପ୍ରଶ୍ନ ଉଠାଇଥିଲେ।
ବୈଠକରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ମଧ୍ୟ ସରକାରଙ୍କୁ ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି। ସେ କହିଛନ୍ତି "ଆମେ ଏଠାରେ ଏକାଠି ଅଛୁ ଏବଂ ଆରମ୍ଭରୁ ଆମେ ସରକାରଙ୍କ ସହିତ ଅଛୁ।" ଯଦିଓ ପ୍ରଧାନମନ୍ତ୍ରୀ ମୋଦି ବୈଠକରେ ଯୋଗ ଦେଇ ନଥିଲେ,ତଥାପି ସେ ବିରୋଧୀଙ୍କୁ ଏକ ବାର୍ତ୍ତା ଦେଇଥିଲେ: ପ୍ରତ୍ୟେକ ଭାରତୀୟ ନାଗରିକଙ୍କୁ ଏକତ୍ରିତ ହେବାକୁ ପଡିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।
ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ମଧ୍ୟ ରାଜନାଥ ସିଂହଙ୍କ କଥା ଦୋହରାଇଛନ୍ତି। ପାକିସ୍ତାନ ଯଦି ଭାରତ ଉପରେ ଯେକୌଣସି ସାମରିକ ଆକ୍ରମଣ କଲା ତେବେ ଏହାର ଦୃଢ଼ ଜବାବ ଦିଆଯିବ। ଇରାନର ବୈଦେଶିକ ମନ୍ତ୍ରୀ ଆବାସ ଆରାଘଚିଙ୍କ ସହ ସାକ୍ଷାତ ସମୟରେ ଜୟଶଙ୍କର ଏହି ମନ୍ତବ୍ୟ ଦେଇଛନ୍ତି।