ଦେଶର ୮୦% ଗାଁ ବାହ୍ୟ ମଳ ମୁକ୍ତ, ୫୪% ଗାଁକୁ ଓଡିଏଫ୍ ପ୍ଲସ୍ ମଡେଲ୍ ମାନ୍ୟତା

Published By : Prameya-News7 Bureau | July 02, 2025 IST

ନୂଆଦିଲ୍ଲୀ: ସ୍ୱଚ୍ଛ ଭାରତ ମିଶନ-ଗ୍ରାମୀଣ ଅଧୀନରେ ଚିହ୍ନଟ କରାଯାଇଥିବା ଗ୍ରାମଗୁଡ଼ିକ ମଧ୍ୟରୁ ୮୦ ପ୍ରତିଶତ ବାହ୍ୟ ମଳ ମୁକ୍ତ (ODF) ହୋଇଛି । ଏହାସହ କଠିନ ଏବଂ ତରଳ ବର୍ଜ୍ୟବସ୍ତୁ ପରିଚାଳନା ସୁବିଧା ଏହି ସବୁ ଗ୍ରାମରେ ଉପଲବ୍ଧ ରହିଛି । ତେବେ, ସରକାରଙ୍କ ଦ୍ୱାରା କେବଳ ୫୪ ପ୍ରତିଶତ ଗାଁକୁ ଆନୁଷ୍ଠାନିକ ଭାବରେ 'ODF ପ୍ଲସ୍ ମଡେଲ୍' ଭାବରେ ନାମିତ କରାଯାଇଛି । 

ବୁଧବାର ନୂଆଦିଲ୍ଲୀରେ ଅନୁଷ୍ଠିତ 'ଜାତୀୟ ଗ୍ରାମୀଣ ସ୍ୱଚ୍ଛତା କର୍ମଶାଳା'ରେ ଏହି ତଥ୍ୟ ଉପସ୍ଥାପନ କରାଯାଇଛି । ସରକାରୀ ରିପୋର୍ଟରେ କୁହାଯାଇଛି ଯେ ଜାତୀୟ ସ୍ତରରେ ଦୂଷିତ ପାଣି (ଧୂସର ଜଳ) ପରିଚାଳନାର କଭରେଜ୍ ୯୫ ପ୍ରତିଶତ ଗାଁରେ ପହଞ୍ଚିଛି । ୨୦ରୁ ଅଧିକ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଏହି କଭରେଜ୍ ୯୫ ପ୍ରତିଶତ ଅତିକ୍ରମ କରିଛି । ଏହା ବ୍ୟତୀତ, କଠିନ ବର୍ଜ୍ୟବସ୍ତୁ ପରିଚାଳନାର ୮୭ ପ୍ରତିଶତ ଗାଁରେ ପହଞ୍ଚିଛି । ସେହିପରି ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁ ପରିଚାଳନାରେ ୭୦ ପ୍ରତିଶତ ବ୍ଲକସ୍ତରୀୟ କଭରେଜ୍ ହାସଲ କରାଯାଇଛି ।

ସରକାରୀ ତଥ୍ୟ ଅନୁଯାୟୀ, ଲକ୍ଷ୍ୟ ରଖାଯାଇଥିବା ଗ୍ରାମ ମଧ୍ୟରୁ ୮୦% ODF ପ୍ଲସ୍ ମଡେଲ୍ ସ୍ଥିତି ହାସଲ କରିଛନ୍ତି । କିନ୍ତୁ କେବଳ ୫୪%କୁ ଆନୁଷ୍ଠାନିକ ମାନତ୍ୟା ଦିଆଯାଇଛି । ODF ପ୍ଲସ୍ ମଡେଲ୍ ଗାଁ ହେଉଛି, ଯେଉଁଠାରେ ଖୋଲାରେ ମଳ ତ୍ୟାଗ ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇସାରିଥିବ । ଏହାସହ  କଠିନ ଏବଂ ତରଳ ବର୍ଜ୍ୟ ପରିଚାଳନା ଉପଲବ୍ଧ, ପରିଷ୍କାର ପରିଚ୍ଛନ୍ନତା, ସାର୍ବଜନୀନ ସ୍ଥାନରେ କୌଣସି ଅଳିଆ ଏବଂ ପାଣି ଜମା ହେଉ ନଥିବ । 

ଜଳ ଶକ୍ତି ମନ୍ତ୍ରଣାଳୟ ଅଧିନରେ ଥିବା ପାନୀୟ ଜଳ ଓ ସ୍ୱଚ୍ଛତା ବିଭାଗ ଏବଂ ୟୁନିସେଫ୍ ଇଣ୍ଡିଆ ଦ୍ୱାରା ମିଳିତ ଭାବରେ ଏହି କର୍ମଶାଳା ଆୟୋଜନ କରାଯାଇଥିଲା । ଏଥିରେ ବିଭିନ୍ନ ରାଜ୍ୟର ମିଶନ ନିର୍ଦ୍ଦେଶକ, ସରକାରୀ ଅଧିକାରୀ, ବିଶେଷଜ୍ଞ ଏବଂ ବିକାଶ ସହଭାଗୀ ଯୋଗ ଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.