ନୂଆଦିଲ୍ଲୀ : କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ରାଜ୍ୟସଭା ସାଂସଦ ସୋନିଆ ଗାନ୍ଧୀ ନିଜର ଓକିଲ ଅଭିଷେକ ମନୁ ସିଂଘଭିଙ୍କ ମାଧ୍ୟମରେ ଶୁକ୍ରବାର ନ୍ୟାସନାଲ ହେରାଲ୍ଡ କେସ୍ରେ , ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଅଭିଯୋଗକୁ ଖଣ୍ଡନ କରିଥିଲେ। ଏହାକୁ ବାସ୍ତବରେ ଏକ ଅଜବ ଓ ଅଦ୍ଭୁତ ମାମଲା ବୋଲି କହି ଥିଲେ। ତାଙ୍କର ଓକିଲ କହି ଥିଲେ ଯେ, ଏହି ଅଜବ ମାମଲାରେ ମନି ଲଣ୍ଡରିଂ ଅପରାଧର ଆବଶ୍ୟକ ତତ୍ତ୍ୱ ହିଁ ନାହିଁ। ସିଂଘଭି କୋର୍ଟରେ ନିଜର ଖଣ୍ଡନ ସେତେବେଳେ ପ୍ରଦାନ କରିଥିଲେ, ଯେତେବେଳେ ଇଡିର ପ୍ରତିନିଧିତ୍ୱ କରୁଥିବା ଅତିରିକ୍ତ ସଲିସିଟର ଜେନେରାଲ ଏସଭି ରାଜୁ ମାମଲାରେ ଦାଏର ଅଭିଯୋଗ ପତ୍ରର ବିଚାର ସଂପର୍କରେ ୩ ଜୁଲାଇରେ ନିଜର ଦଲିଲ ଶେଷ କରି ଥିଲେ।
ଏହି ମାମଲାରେ ସୋନିଆ ଗାନ୍ଧୀ ନମ୍ୱର ୱାନ ଅଭିଯୁକ୍ତ ହୋଇଥିବା ବେଳେ ତାଙ୍କର ସାଂସଦ ପୁଅ ରାହୁଲ ଗାନ୍ଧୀ ନମ୍ୱର ଟୁ ଅଭିଯୁକ୍ତ ଅଟନ୍ତି। ସିଂଘଭି ଶୁକ୍ରବାର ଇଡିର ଅଭିଯୋଗର ଭିତ୍ତିଭୂମିକୁ ନେଇ ପ୍ରଶ୍ନ କରିଛନ୍ତି , କହିଛନ୍ତି , ଏହା ବାସ୍ତବିକ ଏକ ଅଜବ ମାମଲା। ଅଜବ ଠାରୁ ଆହୁରି ଅଜବ। ଅଦ୍ଭୁତ । ଏହା ମନି ଲଣ୍ଡରିଂର ଏକ କଥିତ ମାମଲା , ଯେଉଁଥିରେ କୌଣସି ସଂପତ୍ତି ନାହିଁ , ସଂପତ୍ତିର ବ୍ୟବହାର ବା ପ୍ରକ୍ଷେପଣ ନାହିଁ।
କାହା କାହା ଉପରେ ଅଭିଯୋଗ ?
ଇଡି ସୋନିଆ ଓ ରାହୁଲ ଗାନ୍ଧୀଙ୍କ ବ୍ୟତୀତ ଦିବଙ୍ଗତ କଂଗ୍ରେସ ନେତା ମୋତିଲାଲ ଭୋରା ଓ ଅସ୍କର ଫର୍ଣ୍ଣାଣ୍ଡିସଙ୍କ ସମେତ ସୁମନ ଦୁବେ , ସାମ୍ ପିଟ୍ରୋଡା ଓ ଘରୋଇ କମ୍ପାନୀ ୟଙ୍ଗ ଇଣ୍ଡିଆନରେ ନ୍ୟାସନାଲ ହେରାଲ୍ଡ ଖବର କାଗଜ ପ୍ରକାଶିତ କରୁଥିବା ଆସୋସିଏଟେଡ୍ ଜର୍ଣ୍ଣାଲ୍ସ ଲିମିଟେଡ୍ (ଏଜିଏଲ) ର ୨୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସଂପତ୍ତିର ଜାଲିଆତି ଅଧିଗ୍ରହଣରେ ଷଡ଼ଯନ୍ତ୍ର ଓ ମନି ଲଣ୍ଡରିଂର ଅଭିଯୋଗ ଲଗାଯାଇଛି।
ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଅଭିଯୋଗ ଯେ ,ଗାନ୍ଧୀ ପରିବାର ପାଖରେ ୟଙ୍ଗ ଇଣ୍ଡିଆନର ୭୬ ପ୍ରତିଶତ ସେୟାର ଥିଲା ,ଯିଏକି ୯୦ କୋଟି ଟଙ୍କାର ଋଣ ବଦଳରେ ଜାଲିଆତିରେ ଏଜେଏଲର ସଂପତ୍ତି ହଡ଼ପ କରିଥିଲେ। ହେଲେ , ସିଂଘଭି କହିଛନ୍ତି ଯେ ଏହି କାର୍ଯ୍ୟ ଏଜେଏଲ୍କୁ ଋଣ ମୁକ୍ତ କରିବାକୁ କରାଯାଇ ଥିଲା।