ବହୁ ଚର୍ଚ୍ଚିତ ଅଙ୍କିତା ଭଣ୍ଡାରୀ ହତ୍ୟା ମାମଲା, ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରିଲେ ବିରୋଧୀ

NEWS7
one-person-died-in-plant-at--sonepur

ଡେରାଡୁନ: ଉତ୍ତରାଖଣ୍ଡର ଚର୍ଚ୍ଚିତ ଅଙ୍କିତା ଭଣ୍ଡାରୀ ହତ୍ୟା ମାମଲାକୁ ନେଇ ଜନସାଧାରଣଙ୍କ ଅସନ୍ତୋଷ ତୀବ୍ର ହୋଇଛି । ଲୋକଙ୍କ ଆକ୍ରୋଶ ଥମିବାର ନାଁ ଧରୁନାହିଁ । ବିରୋଧୀମାନେ ରବିବାର ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କରିଥିଲେ। ରାଜନୈତିକ ଦଳଗୁଡ଼ିକ ସହିତ ବହୁ ସଂଖ୍ୟକ ଜନସାଧାରଣ ପ୍ରତିବାଦରେ ଯୋଗ ଦେଇଥିଲେ। ପ୍ରତିବାଦକାରୀମାନେ ବ୍ୟାରିକେଡ୍ ଭାଙ୍ଗି ଆଗକୁ ବଢ଼ିଥିଲେ । କିନ୍ତୁ ପରବର୍ତ୍ତୀ ବ୍ୟାରିକେଡ୍ ପାଖରେ ପହଞ୍ଚିବା ପୂର୍ବରୁ ପୋଲିସ ସେମାନଙ୍କୁ ଅଟକାଇଥିଲା।

ଏହି ସମୟ ମଧ୍ୟରେ ପ୍ରତିବାଦକାରୀ ସ୍ଲୋଗାନ ଦେଇଥିଲେ, ‘ଅଙ୍କିତା ଭଣ୍ଡାରୀଙ୍କୁ ନ୍ୟାୟ ଦିଅ ଏବଂ ଭିଆଇପିମାନଙ୍କ ନାମ ପ୍ରକାଶ କର।’ ଲୋକମାନେ ଜୋରଦାର ପ୍ରତିବାଦ କରିଥିଲେ । ପ୍ରତିବାଦକାରୀ ଅସନ୍ତୋଷ ପ୍ରକାଶ କରିଥିଲେ । ଯଦି ଅଙ୍କିତା ହତ୍ୟା ମାମଲାରେ ସିବିଆଇ ତଦନ୍ତ କରା ନଯାଏ, ତେବେ ପ୍ରତିବାଦ ଆହୁରି ତୀବ୍ର ହେବ।

କଂଗ୍ରେସ, ଉତ୍ତରାଖଣ୍ଡ କ୍ରାନ୍ତି ଦଳ (ୟୁକେଡି), ମହିଳା ମଞ୍ଚ, ବାମପନ୍ଥୀ ଦଳ ଏବଂ ସାମାଜିକ ସଂଗଠନର କର୍ମୀମାନେ ଡେରାଡୁନର ପରେଡ ଗ୍ରାଉଣ୍ଡରେ ଏକତ୍ରିତ ହୋଇ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଅଭିମୁଖେ ଶୋଭାଯାତ୍ରାରେ ବାହାରିଥିଲେ । ହତ୍ୟା ମାମଲାରେ ସମ୍ପୃକ୍ତ "ଭିଆଇପି"ଙ୍କ ନାମ ପ୍ରକାଶ କରିବା ପାଇଁ ମାମଲାକୁ ସିବିଆଇକୁ ହସ୍ତାନ୍ତର କରିବାକୁ ଦାବି ଦୋହରାଇଥିଲେ।

ପ୍ରତିବାଦରେ ଯୋଗଦେବା ପାଇଁ ଲୋକଙ୍କୁ ଆହ୍ବାନ କରିଥିବା ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ-ଲେନିନବାଦୀ)ର ରାଜ୍ୟ ସମ୍ପାଦକ ଇନ୍ଦ୍ରେଶ ମୈଖୁରୀ କହିଛନ୍ତି ଯେ, ହତ୍ୟା ମାମଲାର ତଦନ୍ତ କରୁଥିବା ହରିଦ୍ୱାର ଏସ୍ପି (ଗ୍ରାମୀଣ) ଶେଖର ସୁୟାଲଙ୍କ ଅନୁସାରେ ଏହି ମାମଲାରେ କୌଣସି 'ଭିଆଇପି'ଙ୍କ ସମ୍ପୃକ୍ତି ନାହିଁ, ତାହା ଗ୍ରହଣୀୟ ନୁହେଁ।

ପାଉରି ଜିଲ୍ଲାର ଯମକେଶ୍ୱରର ବନ୍ତାରା ରିସର୍ଟରେ ରିସେପ୍ସନିଷ୍ଟ ଭାବରେ କାମ କରୁଥିବା ଅଙ୍କିତା ଭଣ୍ଡାରୀ (୧୯)ଙ୍କୁ ସେପ୍ଟେମ୍ବର ୧୮, ୨୦୨୨ରେ ହତ୍ୟା କରାଯାଇଥିଲା। ଏହି ମାମଲା ଜଣାପଡ଼ିବା ପରେ, ସ୍ଥାନୀୟ ଲୋକ ରାସ୍ତାକୁ ଓହ୍ଲାଇଥିଲେ । ଫଳରେ ରାଜ୍ୟ ସରକାର ଏହି ଘଟଣାର ତଦନ୍ତ ପାଇଁ ଏକ ସ୍ୱତନ୍ତ୍ର ତଦନ୍ତ ଦଳ (SIT) ଗଠନ କରିବାକୁ ବାଧ୍ୟ ହୋଇଥିଲେ। ପାଉରିରେ ଅତିରିକ୍ତ ପୋଲିସ ଅଧିକ୍ଷକ ଭାବରେ କାର୍ଯ୍ୟ କରୁଥିବା ଏବଂ SIT ର ସଦସ୍ୟ ଥିବା ଶେଖର ସୁୟାଲ ଶନିବାର କହିଛନ୍ତି ଯେ, ଏହି ମାମଲାରେ କୌଣସି 'ଭିଆଇପି' ଜଡିତ ନାହାଁନ୍ତି। ବର୍ତ୍ତମାନ, ଶେଖର ସୁୟାଲ ହରିଦ୍ୱାର ପୋଲିସ ଅଧୀକ୍ଷକ (ଗ୍ରାମୀଣ) ଅଛନ୍ତି ।

ଉତ୍ତରାଖଣ୍ଡର ପୂର୍ବତନ ବିଧାୟକ ସୁରେଶ ରାଠୋରଙ୍କ ପତ୍ନୀ ବୋଲି ଦାବି କରୁଥିବା ଅଭିନେତ୍ରୀ ଉର୍ମିଳା ସାନୱାର ସୋସିଆଲ ମିଡିଆରେ ନିଜର ଭିଡିଓ ଏବଂ ରାଠୋରଙ୍କ ସହ ତାଙ୍କର କଥିତ କଥାବାର୍ତ୍ତାର ଅଡିଓ ରେକର୍ଡିଂ ଜାରି କରି ଅଭିଯୋଗ କରିଥିଲେ ଯେ, ଅଙ୍କିତା ହତ୍ୟା ମାମଲାରେ ଜଡ଼ିତ 'ଭିଆଇପି' ହେଉଛନ୍ତି 'ଗଟ୍ଟୁ' ନାମକ ଜଣେ ବିଜେପି ନେତା । ଅନ୍ୟ ଏକ ଭିଡିଓରେ, ସନାୱାର ଗଟ୍ଟୁଙ୍କ ନାମ ମଧ୍ୟ ପ୍ରକାଶ କରିଥିଲେ । ତାଙ୍କର ଏହି ଦାବି ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି କରିଥିଲା।