LIVE TV

ଅଦିନିଆ ରଥଯାତ୍ରା ପ୍ରସଙ୍ଗ : ‘ଗଜପତିଙ୍କ ଚିଠି ପରେ ଇସ୍କନର ଚିନ୍ତା ଚୈତନ୍ୟ ଉଦୟ ହେଉ ବୋଲି ଆଶା’

NEWS7
one-mruta-in-chandabali-2

ଭୁବନେଶ୍ବର ୧୦: ଗଜପତିଙ୍କ ଚିଠି ପରେ ଇସ୍କନର ଚିନ୍ତା ଚୈତନ୍ୟ ଉଦୟ ହେଉ ବୋଲି ଆଶା ପ୍ରକଟ କରିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଅଦିନିଆ ରଥଯାତ୍ରା ପ୍ରସଙ୍ଗରେ ଆଇନ ମନ୍ତ୍ରୀ ଏଭଳି ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ଗଜପତି ଚିଠିରେ ରଥଯାତ୍ରା ପାଇଁ ରୀତିନୀତି କଣ ସ୍ପଷ୍ଟ ଭାବେ ଦର୍ଶାଇଛନ୍ତି କୌଣସି ସ୍ଥାନରେ ମହାପ୍ରଭୁଙ୍କ ରୀତିନୀତି ଭଙ୍ଗ କରିବାକୁ ଦିଆଯିବନାହିଁ ଇସ୍କନ କଣ ଉତ୍ତର ଦେଉଛନ୍ତି ଅପେକ୍ଷା କରିଛୁ । ନହେଲେ ଆଇନଗତ ପଦକ୍ଷେପ ନେବୁ ବୋଲି ସେ କହିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ମହାପ୍ରଭୁ ଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ପରମ୍ପରାକୁ ଇସ୍କନ କର୍ତ୍ତୃପକ୍ଷ ବାରମ୍ବାର ଅଣଦେଖା କରୁଛନ୍ତି । ଏହା କୋଟିକୋଟି ଜଗନ୍ନାଥପ୍ରେମୀଙ୍କୁ ଗଭୀର ଆଘାତ ଦେଉଛି । ଏ ନେଇ ପୂର୍ବରୁ ଗଜପତି ମହାରାଜା ଦିବ୍ୟସିଂହ ଦେବ ଅନେକ ଥର ଇସ୍କନ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିସାରିଛନ୍ତି । ଏହା ସତ୍ତ୍ବେ ଇସ୍କନ ଅଦିନିଆ ରଥଯାତ୍ରା ଆୟୋଜନ କରୁଛି । ତେବେ ଇସ୍କନର ଏଭଳି ପଦକ୍ଷେପ ନେଇ ଗଜପତି ମହାରାଜା ପୁଣି ଚିଠି ଲେଖିଛନ୍ତି । ସେ ଇସ୍କନ ଗଭର୍ଣ୍ଣିଂ ବଡି କମିସନ (ଜିବିସି) ଅଧ୍ୟକ୍ଷ ଗୋବର୍ଦ୍ଧନ ଦାସଙ୍କୁ ଚିଠି ଲେଖିଛନ୍ତି । ଏ ନେଇ ଗଜପତି ମହାରାଜାଙ୍କ ବ୍ୟକ୍ତିଗତ ସଚିବ ରାଧାକୃଷ୍ଣ ପଣ୍ଡା ଗଣମାଧ୍ୟମକୁ ପ୍ରେସ୍‌ ବିଜ୍ଞପ୍ତି ଜରିଆରେ ସୂଚନା ଦେଇଛନ୍ତି ।

ବିଜ୍ଞପ୍ତିରେ ଉଲ୍ଲେଖ ରହିଛି ଯେ, ଶ୍ରୀଗଜପତି ମହାରାଜାଙ୍କ ନିର୍ଦ୍ଦେଶାନୁସାରେ ମୁଁ ଆପଣଙ୍କୁ ସୂଚନା ଦେଉଛି ଯେ ଗତ ସେପ୍ଟେମ୍ବର ୬ ତାରିଖରେ ଶ୍ରୀଗଜପତି ମହାରାଜା ପଶ୍ଚିମବଙ୍ଗରେ ଅବସ୍ଥିତ ମାୟାପୁର ଇସ୍କନ ଗଭର୍ଣ୍ଣିଂ ବଡି କମିଶନ ଅଧ୍ୟକ୍ଷ ଗୋବର୍ଦ୍ଧନ ଦାସଙ୍କୁ ଜଣାଇଥିଲେ ଯେ, ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି (ପୁରୀ)ର ଚୂଡ଼ାନ୍ତ ନିଷ୍ପତି କ୍ରମେ ବିଶ୍ଵର ବିଭିନ୍ନ ଦେଶରେ ଅବସ୍ଥିତ ଇସ୍କନ ମନ୍ଦିରମାନେ ଶାସ୍ତ୍ର ଓ ପାରମ୍ପରିକ ରୀତିରେ ନିର୍ଦ୍ଦିଷ୍ଟ ତିଥ୍ୟ ଅନୁଯାୟୀ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ସ୍ନାନଯାତ୍ରା ଓ ରଥଯାତ୍ରା ପାଳନ କରିବେ ।

ଇସ୍କନ ଗଭର୍ଣ୍ଣିଂ ଅଧ୍ୟକ୍ଷ ତାଙ୍କ ଗତ ୧୯ ତାରିଖ ପତ୍ର ମାଧ୍ୟମରେ ଶ୍ରୀଗଜପତି ମହାରାଜାଙ୍କୁ ଉତ୍ତର ଦେଇଛନ୍ତି ଯେ, ଇସ୍କନ ଭାରତ ଏବଂ ବିଦେଶର ସମସ୍ତ ମନ୍ଦିରରେ ଶାସ୍ତ୍ରୋକ୍ତ ତିଥି (ଜ୍ୟେଷ୍ଠ ପୂର୍ଣ୍ଣିମା)ରେ ସ୍ନାନଯାତ୍ରା ପାଳନ କରିବାକୁ ସମ୍ମତ ହୋଇଥିଲେ ମଧ୍ୟ ସେମାନେ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟିଙ୍କର ଶାସ୍ତ୍ର ଓ ପାରମ୍ପରିକ ନିର୍ଦ୍ଧାରିତ ତଥ୍ୟ ଅନୁଯାୟୀ ଅର୍ଥାତ୍‌ ଆଷାଢ ଶୁକ୍ଳ ଦ୍ଵିତୀୟା ତିଥି ଠାରୁ ଆରମ୍ଭ ହେଉଥ‌ିବା ୯ଦିନ ମଧ୍ୟରେ ଭାରତ ବାହାରେ ରଥଯାତ୍ରାର ପାଳନ କରିବାର ନିଷ୍ପତ୍ତି ସହିତ ସହମତ ହୋଇ ପାରୁନାହାନ୍ତି ।

ଉପରୋକ୍ତ ଇସ୍କନ GBC ଅଧ୍ୟକ୍ଷଙ୍କ ପତ୍ରର ଉତ୍ତର ଦେଇ ଶ୍ରୀ ଗଜପତି ମହାରାଜା GBC ଅଧ୍ୟକ୍ଷଙ୍କୁ ଏକ ପତ୍ର ଲେଖୁ ସେମାନଙ୍କ ସିଦ୍ଧାନ୍ତର ପୁର୍ନବିଚାର କରିବାକୁ ଓ ପବିତ୍ର ଶାସ୍ତ୍ର ଏବଂ ପୁରାତନ ପାରମ୍ପରିକ ରୀତିର ସମ୍ମାନ ରଖୁ ସମସ୍ତ ଦେଶର ଇସ୍କନ ମନ୍ଦିରମାନେ ଆଷାଢ଼ ଶୁକ୍ଳ ଦ୍ଵିତୀୟା ତିଥି ଠାରୁ ଆରମ୍ଭ ହେଉଥ‌ିବା ୯ ଦିନ ମଧ୍ୟରେ ରଥଯାତ୍ରା ପାଳନ କରିବା ନିମନ୍ତେ ଦିଗ୍‌ଦର୍ଶନ ଦେଇଛନ୍ତି ।​​​​​​