LIVE TV

ଆର ବର୍ଷରୁ ବଦଳିଯିବ ଆପଣଙ୍କ ଆୟ ଓ ଖର୍ଚ୍ଚର ହିସାବ, ସରକାର କରୁଛନ୍ତି ବଡ଼ ଯୋଜନା

NEWS7
one-mruta-in-basudevpur-2

ନୂଆଦିଲ୍ଲୀ ୨୩।୧୦:  ଆଗାମୀ ବର୍ଷରୁ ଭାରତର ଆର୍ଥିକ ଛବି ବଦଳି ଯିବ। ଏହି ପରିବର୍ତ୍ତନ ପାଇଁ ସରକାର ପ୍ରସ୍ତୁତି ଆରମ୍ଭ କରିସାରିଲେଣି। ଏଥିରେ ଲୋକଙ୍କ ଆୟ ଓ ଖର୍ଚ୍ଚକୁ ଏବେ ନୂଆ ଉପାୟରେ ମପାଯିବ। ଏହି ପରିବର୍ତ୍ତନରେ ଜିଡିପି, ମୁଦ୍ରାସ୍ପିତି, ଔଦ୍ୟୋଗିକ ଉତ୍ପାଦନ ଭଳି ବଡ଼ ଆର୍ଥିକ ତଥ୍ୟକୁ ଅପଡେଟ୍ କରାଯିବ, ଯାହା ଦ୍ୱାରା ତଥ୍ୟ ଏବେକା ସମୟ (ରିୟଲ ଟାଇମ)ର ଛବି ଦେଖାଇ ପାରିବ। ତେବେ ଖାସ କଥା ଯାହା ତାହା ହେଉଛି ଏବେ ଏକ ନୂଆ ଇଣ୍ଡେକ୍ସ ଆସିବ, ଯାହା ଦ୍ରୁତ ଅଭିବୃଦ୍ଧି କରୁଥିବା ସର୍ଭିସ ସେକ୍ଟରକୁ ଟ୍ରାକ୍ କରିବ।

ଏବେ ଯାହାବି ଆର୍ଥିକ ତଥ୍ୟ ଆସୁଛି ତାହା ୨୦୧୧-୧୨ ବେସ୍ ଇୟର ଆଧାରରେ ଆସୁଛି। ସେତେବେଳେ ଲୋକଙ୍କ ଖର୍ଚ୍ଚ କରିବାର ଅଭ୍ୟାସ ଆଜିକା ଲୋକଙ୍କ ଠାରୁ ଭିନ୍ନ ଥିଲା। ସେତେବେଳେ ଲୋକେ ଖାଇବା, ପିଇବା ଉପରେ ଅଧିକ ଖର୍ଚ୍ଚ କରୁଥିଲେ। ଏବେ ସ୍ମାର୍ଟଫୋନ, ଇଣ୍ଟରନେଟ୍ ଓ ଡିଜିଟାଲ ସେବା ଆମ ଜୀବନର ଅଂଶବିଶେଷ ପାଲଟି ଯାଇଛି। ଏଣୁ ସରକାର ଏବେ ବେସ୍ ଇୟରକୁ ଅପଡେଟ୍ କରିବାକୁ ଚାହୁଁଛନ୍ତି, ଯାହା ଦ୍ୱାରା ନୂଆ ତଥ୍ୟ ସତ୍ୟ ଓ ବାସ୍ତବିକ ସ୍ଥିତିକୁ ଦର୍ଶାଇବ।

୨୭ ଫେବୃଆରୀ ୨୦୨୬ରେ ନୂଆ ଜିଡିପି ତଥ୍ୟ ଜାରି ହେବ, ଯାହା ୨୦୨୨-୨୩ ମୂଲ୍ୟ ଉପରେ ଆଧାରିତ ହେବ। ଏହା ପୂର୍ବରୁ ଜାନୁୟାରୀ ୭ ତାରିଖରେ ଯେଉଁ ବଜେଟ ଅନୁମାନ ଆସିବ ତାହା ଏବେକା ପୁରୁଣା ବେସ୍ ଇୟର ଆଧାରରେ ହେବ। ଫେବୃଆରୀରେ ମୁଦ୍ରାସ୍ପିତିର ନୂଆ ତଥ୍ୟ ମଧ୍ୟ ଆସିବ, ଯାହା ୨୦୨୩-୨୪ର ମୂଲ୍ୟକୁ ଧ୍ୟାନରେ ରଖିବ। ଭାରତୀୟ ଅର୍ଥ ବ୍ୟବସ୍ଥାରେ ସର୍ଭିସ ସେକ୍ଟରର ଭୂମିକା ସବୁଠୁ ବଡ଼। ହେଲେ ଏପର୍ଯ୍ୟନ୍ତ ଏହାକୁ ଅଲଗା ମାପିବା ପାଇଁ କୌଣସି ଉପାୟ ନଥିଲା। ଏଥର ପ୍ରଥମ ଥର ନୂଆ ସର୍ଭିସ ଇଣ୍ଡେକ୍ସ ଆସିବ।

ଏହି ଇଣ୍ଡେକ୍ସ ଡିଜିଟାଲ, ଲଜିଷ୍ଟିକ୍ ଓ ଅନ୍ୟ ଦ୍ରୁତ ଅଭିବୃଦ୍ଧି କରୁଥିବା କ୍ଷେତ୍ରକୁ ଟ୍ରାକ୍ କରିବ। ଏହି ପରିବର୍ତ୍ତନ ଏଥି ପାଇଁ ଜରୁରି ଯେ ଆଜିର ସମୟରେ ଏହି ସେକ୍ଟର ଦେଶର ଆର୍ଥିକ ବିକାଶର ବଡ଼ ଅଂଶ ପାଲଟିଯାଇଛି। ସରକାର କେବଳ ଜିଡିପି ପର୍ଯ୍ୟନ୍ତ ସୀମିତ ନାହାନ୍ତି ମୁଦ୍ରାସ୍ପିତି କୁ ମାପିବା ପାଇଁ ଉପଭୋକ୍ତା ମୂଲ୍ୟ ସୂଚକାଙ୍କ (ସିପିଆଇ)ରେ ମଧ୍ୟ ସୁଧାର କରୁଛନ୍ତି। ଏ ପର୍ଯ୍ୟନ୍ତ ଯେଉଁ ମୂଲ୍ୟ ଓ ସାମଗ୍ରୀର ଓଜନ ନିର୍ଦ୍ଧାରଣ କରାଯାଉଥିଲା ସେଥିରେ ମଧ୍ୟ ପରିବର୍ତ୍ତନ ହେବ। ଖାସ କରି ସାର୍ବଜନିକ ବିତରଣ ପ୍ରଣାଳୀରେ ମିଳୁଥିବା ଖାଦ୍ୟଶସ୍ୟ ଖର୍ଚ୍ଚ କୁ ମଧ୍ୟ ଉପଯୁକ୍ତ ଭାବେ ତଥ୍ୟରେ ସାମିଲ କରାଯିବ। ଏହାର ଅର୍ଥ ହେଉଛି ମୁଦ୍ରାସ୍ପିତିର ଅସଲ ଅର୍ଥ ଓ ଏହାର ପ୍ରଭାବକୁ ଭଲ ଭାବେ ବୁଝା ଯାଇ ପାରିବ।

ଏହି ପରିବର୍ତ୍ତନ ଯୋଗୁ ସରକାରଙ୍କୁ ଦେଶର ଆର୍ଥିକ ସ୍ଥିତି ସମ୍ପର୍କରେ ସଠିକ ଓ ଅପଡେଟ୍ ତଥ୍ୟ ମିଳିପାରିବ। ଏହା ଦ୍ୱାରା ନୀତି ନିର୍ଦ୍ଧାରଣ କରିବା ସହଜ ହେବା ସହ ମୁଦ୍ରାସ୍ପିତି ଓ ଜିଡିପି ତଥ୍ୟ ସଠିକ ରହିବ। ଏହା ଦ୍ୱାରା ସରକାର ସଠିକ ନିଷ୍ପତ୍ତି ନେଇ ପାରିବେ ଓ ଦେଶର ବିକାଶକୁ ନୂଆ ଗତି ମିଳିବ।