ଆଉ ଜଣେ ଅଗ୍ନିବୀରଙ୍କ ଆତ୍ମହତ୍ୟା, ଏପର୍ଯ୍ୟନ୍ତ ହେଲାଣି ୨୦ ଜଣକ ମୃତ୍ୟୁ: ରିପୋର୍ଟ

Published By : Prameya-News7 Bureau | July 07, 2024 IST

ନୂଆଦିଲ୍ଲୀ: ଆଉ ଜଣେ ଅଗ୍ନିବୀରଙ୍କ ଆତ୍ମହତ୍ୟା । ଗତ ମଙ୍ଗଳବାର ଆଗ୍ରାରେ ଆଉ ଜଣେ ଅଗ୍ନିବୀରଙ୍କ ଆତ୍ମହତ୍ୟା ଘଟଣା ସାମ୍‌ନାକୁ ଆସିଛି। ସେ ବାୟୁସେନାରେ ନିୟୋଜିତ ହୋଇଥିଲେ।ଏହା ସହ ଗତ ବର୍ଷ ଠାରୁ ଅଗ୍ନିବୀରଙ୍କ ମୃତ୍ୟୁ ସଂଖ୍ୟା ୨୦ରେ ପହଞ୍ଚିଛି। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଆଗ୍ରାରେ ଏୟାରଫୋର୍ସରେ ପ୍ରଥମ ଥର ଜଣେ ଅଗ୍ନିବୀରଙ୍କ ମୃତ୍ୟୁ ହୋଇଛି।

ଏହି ୨୨ ବର୍ଷୀୟ ଅଗ୍ନିବୀରଙ୍କ ନାଁ ଶ୍ରୀକାନ୍ତ ଚୌଧୁରୀ। ସେ ଏୟାରଫୋର୍ସ ଫେସିଲିଟିରେ ନିଜ ସର୍ଭିସ ରାଇଫଲରେ ହିଁ ନିଜକୁ ଗୁଳି ମାରିଛନ୍ତି। ଅବଶ୍ୟ ସ୍ଥାନୀୟ ପୋଲିସଙ୍କୁ କୌଣସି ସୁଇସାଇଡ ନୋଟ୍‌ ମିଳିନାହିଁ। ଏମିତିରେ ସେ କାହିଁକି ଆତ୍ମହତ୍ୟା କରିଛନ୍ତି ତାହା ଜଣାପଡ଼ିନାହିଁ। ଘଟଣାରେ ଏୟାରଫୋର୍ସ ତରଫରୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଆହୁରି ମଧ୍ୟ ରିପୋର୍ଟରେ କୁହାଯାଇଛି ଯେ, ପ୍ରଥମ ଅଗ୍ନିବୀରଙ୍କ ମଧ୍ୟ ଏଭଳି ଆତ୍ମହତ୍ୟା କରିଥିଲେ। 

ସୂଚନାଥାଉକି, ୨୦୨୨ରେ ସରକାର ଅଗ୍ନିବୀର ସ୍କିମର ଘୋଷଣା କରିଥିଲା। ଏହା ଅନୁଯାୟୀ, ୧୭.୫ ବର୍ଷରୁ ୨୧ ବର୍ଷର ଆଶାୟୀଙ୍କୁ ଭାରତୀୟ ସେନା, ବାୟୁ ସେନା ଏବଂ ଭାରତୀୟ ନାଭିରେ ଚାରି ବର୍ଷର ଚୁକ୍ତି ଅନୁଯାୟୀ ଭର୍ତ୍ତି ହୋଇଥାନ୍ତି। ଶେଷରେ ଏକ ଚତୁର୍ଥାଂଶ ଅଗ୍ନିବୀରଙ୍କୁ ସେନାରେ ଭର୍ତ୍ତି କରାଯାଇଥିବାବେଳେ ଅନ୍ୟମାନଙ୍କୁ ବିନା ପେନସନରେ ସେବାନିବୃତ୍ତ କରାଯାଇଥାଏ। 

ଏହା ପୂର୍ବରୁ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟରେ ଏହି ପ୍ରସଙ୍ଗକୁ ନେଇ ତର୍କ ହୋଇଥିଲା। ରାହୁଲ କହିଥିଲେ ଜମ୍ମୁ-କଶ୍ମୀରରେ ଲ୍ୟାଣ୍ଡ୍‌ମାଇନ୍‌ ବିସ୍ଫୋରଣରେ ପ୍ରାଣ ହରାଇଥିଲେ ଆଉ ତାଙ୍କୁ ସରକାରୀ ସହାୟତା ମଧ୍ୟ ମିଳିନାହିଁ। ପ୍ରତିଜବାବରେ ରାଜନାଥ ସିଂହ କହିଥିଲେ ଡ୍ୟୁଟିରେ ଥିବାବେଳେ ମୃତ ଅଗ୍ନିବୀରଙ୍କୁ ୧ କୋଟିର ଆର୍ଥିକ ସହାୟତା ଦିଆଯାଇଛି। ଯେତେବେଳେକି ରାହୁଲ କହିଛନ୍ତି ଏହି ଅର୍ଥ ଅଗ୍ନିବୀରଙ୍କ ପରିବାର ତରଫରୁ କରାଯାଇଥିବା ବୀମା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.