ମଧ୍ୟପ୍ରାଚ୍ୟ ସଂକଟରେ ୪୦୦ ମିଲିୟନ ବ୍ୟାରଲ ତୈଳ ଦେବେ IEA, ବିଶ୍ୱ ଲାଗି ହେବକି ପର୍ଯ୍ୟାପ୍ତ?

NEWS7
one-maobadi-died-in-police-encounter-2

  • ଆକ୍ରମଣର ୨ ସପ୍ତାହ ପରେ ଏବେ ତେହେରାନ ଆକ୍ରମଣ କରି ଜବାବୀ କାର୍ଯ୍ୟାନୁଷ୍ଠାନ କରୁଛି
  • ଇରାନ ହୋର୍ମୁଜ ପ୍ରଣାଳୀକୁ ବନ୍ଦ କରିବାକୁ ମଧ୍ୟ ଧମକ ଦେଇଛି
  • ବିଶ୍ୱରେ ଅଶୋଧିତ ତୈଳ ବ୍ୟାରଲ ପିଛା ଦର ୧୦୦ ଡଲାରରୁ ବି ଅଧିକ ହୋଇଗଲାଣି

ନୂଆଦିଲ୍ଲୀ ୧୪।୩: ମଧ୍ୟପ୍ରାଚ୍ୟ ଉତ୍ତେଜନା ଯୋଗୁ ବୈଶ୍ୱିକ ତୈଳ ବଜାରରେ ଅଭୂତପୂର୍ବ ସଂକଟ ସୃଷ୍ଟି ହୋଇଛି। ଆମେରିକା ଓ ଇସ୍ରାଏଲ ଦ୍ୱାରା ଇରାନ ଉପରେ ଆକ୍ରମଣର ୨ ସପ୍ତାହ ପରେ ଏବେ ତେହେରାନ ଇସ୍ରାଏଲ, ଆମେରିକା ସାମରିକ ଘାଟି ସମେତ ଉପସାଗରୀୟ କ୍ଷେତ୍ରର ପ୍ରମୁଖ ଶକ୍ତି ସ୍ରୋତ ଉପରେ ଆକ୍ରମଣ କରି ଜବାବୀ କାର୍ଯ୍ୟାନୁଷ୍ଠାନ କରୁଛି। ଏକ ନାଟକୀୟ ପଦକ୍ଷେପରେ ଇରାନ ହୋର୍ମୁଜ ପ୍ରଣାଳୀକୁ ବନ୍ଦ କରିବାକୁ ମଧ୍ୟ ଧମକ ଦେଇଛି। ଫଳରେ ବିଶ୍ୱରେ ଅଶୋଧିତ ତୈଳ ବ୍ୟାରଲ ପିଛା ଦର ୧୦୦ ଡଲାରରୁ ବି ଅଧିକ ହୋଇଗଲାଣି।

ସଂକଟରେ ଆଗକୁ ଆସିଲେ ଆଇଇଏ
ଅନ୍ତର୍ଜାତୀୟ ଏନର୍ଜୀ ଏଜେନ୍ସୀ (ଆଇଇଏ) ଉପୁଜିଥିବା ପରିସ୍ଥିତିରେ ରଣନୈତିକ ତୈଳ ଭଣ୍ଡାରରୁ ସବୁଠୁ ବଡ଼ ସମନ୍ୱିତ ରିଲିଜ ଘୋଷଣା କରିଛନ୍ତି। ଏଥିରେ ଆଇଏ ଜରୁରିକାଳୀନ ଷ୍ଟକରୁ ୪୦୦ ମିଲିୟନ ବ୍ୟାରଲ ଅଶୋଧିତ ତୈଳ ଜାରି କରିବେ ବୋଲି ଘୋଷଣା କରିଛନ୍ତି। ଏହା ଆଇଇଏଙ୍କ ୩୨ ସଦସ୍ୟ ଦେଶଙ୍କ ଦ୍ୱାରା ସାମୂହିକ ଗଛିତ ୧.୨ ବିଲିୟନ ବ୍ୟାରେଲର ପାଖାପାଖି ଏକ ତୃତୀୟାଂଶ। ତେବେ ଆଇଏଙ୍କ ଏହା ଏପରି ପ୍ରଥମ ପଦକ୍ଷେପ ନୁହେଁ ୨୦୨୨ ମସିହାରେ ଋଷିଆର ୟୁକ୍ରେନ ଆକ୍ରମଣ କାଳରେ ମଧ୍ୟ ଏଜେନ୍ସୀ ତୈଳ ରିଲିଜ କରିଥିଲେ। ହେଲେ ପୂ୍ର୍ବାପେକ୍ଷା ଏଥର ଅଧିକ ତୈଳ ରିଲିଜ କରାଯିବ।

ସବୁଠୁ ବଡ଼ ଯୋଗାଣ ସଂକଟ
ଆଇଇଏ ଏବେକା ସଂକଟକୁ ବୈଶ୍ୱିକ ତୈଳ ବଜାର ଇତିହାସର ସବୁଠୁ ବଡ଼ ଯୋଗାଣ ସଂକଟ ବୋଲି କହିଛନ୍ତି, ଚେତାବନୀ ଦେଇଛନ୍ତି ଯେ ବ୍ରେଣ୍ଟ କ୍ରୁଡ ଯାହା ପୂର୍ବରୁ ବ୍ୟାରଲ ପିଛା ୬୫ ଡଲାରରେ ବିକ୍ରି ହେଉଥିଲା ଯୁଦ୍ଧ ଆରମ୍ଭ ପରେ ଆହୁରି ବଢିପାରେ। ଏଥିରେ ଇରାନ ନେତାମାନେ ହୋର୍ମୁଜ ଦେଇ ତୈଳ ଯୋଗାଣ ବାଧିତ କରିବାକୁ ଚେତାବନୀ ଦେଇଛନ୍ତି। କହିଛନ୍ତି ବିଶ୍ୱରେ ତୈଳ ବ୍ୟାରଲ ପିଛା ମୂଲ୍ୟ ୨୦୦ ଡଲାରକୁ ପହଞ୍ଚିବ। ଆଇଇଏ ପ୍ରଥମେ ସ୍ୱଳ୍ପମାତ୍ରାରେ ତୈଳ ଯୋଗାଣ କରିବେ ଯାହାକୁ ପର୍ଯ୍ୟାୟକ୍ରମେ ବଢାଇବେ। ହୋର୍ମୁଜ ଦେଇ ଦୈନିକ ୨ କୋଟି ବ୍ୟାରେଲ ତୈଳ ଯାଇଥାଏ। ଏଥିରେ ଆଇଇଏଙ୍କ ହସ୍ତକ୍ଷେପ ସଂକଟକୁ କେବଳ ଆଂଶିକ ରୂପେ କମ କରିପାରେ।

ଆମେରିକାର ଯୋଗଦାନ
ବିଶ୍ୱର ସବୁଠୁ ବଡ଼ ସରକାରୀ ତୈଳଭଣ୍ଡାର ଥିବା ଦେଶ ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟ ଆଇଇଏଙ୍କ ସହ ଯୋଗ ଦେବ। ନିଜ ରଣନୈତିକ ତୈଳ ଭଣ୍ଡାରରୁ ୧୭୨ ମିଲିୟନ ବ୍ୟାରେଲ ତୈଳ ଜାରି କରିବ। ବର୍ତ୍ତମାନ ଆମେରିକା ନିକଟରେ ପାଖାପାଖି ୪୧୫ ମିଲିୟନ ବ୍ୟାରଲ ତୈଳ ଗଛିତ ରହିଛି। ମଞ୍ଜୁରି ମିଳିବା ପରେ ପାଖାପାଖି ୨ ସପ୍ତାହରେ ଯୋଗାଣ ଆରମ୍ଭ ହୋଇଯିବ। ଏହି ପୁରା ଯୋଗାଣ ୧୨୦ ଦିନର ତୈଳ ଆବଶ୍ୟକତା ପୂରଣ କରିବ ଓ ଆଗାମୀ ବର୍ଷ ୨୦୦ ମିଲିୟନ ବ୍ୟାରଲ ତୈଳ ଭରଣାର ଯୋଜନା ରହିଛି।

ଭାରତରକାମରେ ଆସିବନି ଆମେରିକା ତୈଳ
ଆମେରିକା ତୈଳ ଭଣ୍ଡାରରେ କମ ସଲଫରର ତୈଳ ‘ସ୍ୱିଟ୍’ ଓ ଅଧିକ ସଲଫରର ‘ସୋର’ ତୈଳ ମଧ୍ୟ ରହିଛି। ଦେଶର ଘରୋଇ ରିଫାଇନାରୀ ଏହି ତୈଳ ସୋଧନ କରିବାକୁ ସକ୍ଷମ ତେବେ ଭାରତ ଭଳି ଆମଦାନୀକାରୀ ଦେଶ ସୋର କ୍ରୁଡ ସୋଧନ କରିବାକୁ ଅକ୍ଷମ। ଏଣୁ ଏପରି ତୈଳ ଭାରତ ସମେତ ଅବଶିଷ୍ଟ ବିଶ୍ୱର ଆବଶ୍ୟକତା ପୂରଣ କରିପାରିବ ନାହିଁ।

ଏଥିରେ ଦୂର ହୋଇଯିବ କି ଅଭାବ?
ବିଶେଷଜ୍ଞଙ୍କ ଅନୁସାରେ ଆଇଇଏଙ୍କ ପଦକ୍ଷେପ କେବଳ ଏକ ଅସ୍ଥାୟୀ ଉପାୟ, ତେବେ ଏହା ଦୀର୍ଘକାଳୀକ ସମାଧାନ ନୁହେଁ। ଯଦି ବି ସଦସ୍ୟ ଦେଶମାନେ ତୈଳ ଜାରି କରିବା ସହ ଉତ୍ପାଦନ ବଢାଇ ଦିଅନ୍ତି ଏଥି ଯୋଗୁ ଦୈନିକ କେବଳ ୧୨ଲକ୍ଷ ବ୍ୟାରଲ ବୃଦ୍ଧି ହୋଇ ପାରିବ, ଯାହା ହୋର୍ମୁଜ ବନ୍ଦ ହେବା ଯୋଗୁ ବନ୍ଦ ପଡିଥିବା ଦୈନିକ ୨୦ ମିଲିୟନ ବ୍ୟାରଲର ଏକ ଅଂଶମାତ୍ର ହେବ।

ବୈଶ୍ୱିକ ବାଜି
ତୈଳ ଯୋଗାଣର ସମୟ ଓ ଏହାର ପରିମାଣ ଏସିଆ ଓ ୟୁରୋପର ଆମଦାନୀ ଉପରେ ନିର୍ଭର ଅର୍ଥବ୍ୟବସ୍ଥାଙ୍କ ଲାଗି ସବୁଠୁ ଅଧିକ ଗୁରୁତ୍ୱପୂର୍ଣ୍ଣ, ଯେଉଁଠି ପୂର୍ବରୁ ଯୋଗାଣ କମ୍ ଥିଲା। ଏଣୁ ସାମୁଦ୍ରିକ ପରିବହନ ମାର୍ଗରେ ସ୍ଥିରତା ଫେରିବା ଅଥବା ବିକଳ୍ପ ଯୋଗାଣ ସୁନିଶ୍ଚିତ ହେବା ପର୍ଯ୍ୟନ୍ତ ତୈଳ ମୂଲ୍ୟ ଉଚ୍ଚ ରହିପାରେ। ଯଦିଓ ଆଇଇଏ ଓ ଆମେରିକା ହସ୍ତକ୍ଷେପ ନିର୍ଣ୍ଣାୟକ କାର୍ଯ୍ୟାନୁଷ୍ଠାନର ସଂକେତ ଦେଉଛନ୍ତି ତଥାପି ବ୍ୟବଧାନର ବ୍ୟାପକତା ଦୃଷ୍ଟିରୁ ଦୀର୍ଘ ସମୟ ପର୍ଯ୍ୟନ୍ତ ତୈଳ ବଜାର ଅସ୍ଥିରତାର ସମ୍ମୁଖୀନ ହେବା ଏବେ ନିଶ୍ଚିତ ହୋଇଯାଇଛି। ଏଣୁ ଉପଭୋକ୍ତା ଓ ସରକାରଙ୍କୁ ପରିସ୍ଥିତି ଚିନ୍ତାରେ ପକାଇବ।