ନୂଆଦିଲ୍ଲୀ: ବାଂଲାଦେଶ ବାୟୁସେନାର F-7 ଲଢ଼ୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏକ କଲେଜ କ୍ୟାମ୍ପସ୍ ଉପରେ ବିମାନଟି ପଡିଯାଇଥିଲା। ଏହି ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ଦୁର୍ଘଟଣା ସମୟରେ ମାଇଲଷ୍ଟୋନ୍ ସ୍କୁଲ ଏବଂ କଲେଜରେ ପିଲାମାନେ ଉପସ୍ଥିତ ଥିଲେ।
ବାଂଲାଦେଶ ସେନାର ଜନସମ୍ପର୍କ କାର୍ଯ୍ୟାଳୟ କହିଛି ଯେ ଢାକାର ଉତ୍ତରା ଅଞ୍ଚଳର ଦିଆବାରି ଅଞ୍ଚଳର ମାଇଲଷ୍ଟୋନ୍ ସ୍କୁଲ୍ ଆଣ୍ଡ୍ କଲେଜ୍ କ୍ୟାମ୍ପସ୍ରେ ବାୟୁସେନାର ବିମାନ F-7 BGI ଦୁର୍ଘଟଣାଗ୍ରସ୍ତ ହୋଇଛି। ଅଗ୍ନିଶମ ଅଧିକାରୀ ଲିମା ଖାନ କହିଛନ୍ତି ଯେ ଏହି ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି ଏବଂ ୪ ଜଣ ଆହତ ହୋଇଛନ୍ତି।
ଅଧିକାରୀମାନେ କହିଛନ୍ତି ଯେ ଲଢ଼ୁଆ ବିମାନଟି ଅପରାହ୍ନ ପ୍ରାୟ ୧:୦୬ରେ ଉଡ଼ାଣ ଭରିଥିଲା। ଉଡ଼ାଣ ଭରିବା ପରେ ତୁରନ୍ତ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣା ପରେ ବିମାନଟିରେ ନିଆଁ ଲାଗିଯାଇଥିଲା। ନିଆଁ ଲିଭାଇବା ପାଇଁ ଆଠଟି ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲା।
ମାଇଲଷ୍ଟୋନ୍ ସ୍କୁଲ୍ ଆଣ୍ଡ୍ କଲେଜର ମୁଖପାତ୍ର କହିଛନ୍ତି ଯେ ବିମାନଟି ସ୍କୁଲ୍ ଗେଟ୍ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଯେଉଁ ସ୍କୁଲ୍ କ୍ୟାମ୍ପସ୍ରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା ସେଠାରେ କ୍ଲାସ ଚାଲିଥିଲା। ଆହତମାନଙ୍କୁ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଉଛି।