ନୂଆଦିଲ୍ଲୀ ୧୯।୭: ମାଇକ୍ରୋସଫ୍ଟ ‘ବ୍ଲୁ ସ୍କ୍ରିନ ଏରର’ ପଛର କାରଣ ପାଲଟିଥିବା ସାଇବର ସିକ୍ୟୁରିଟି ଫାର୍ମ କ୍ରାଉଡଷ୍ଟ୍ରାଇକ୍ ସେୟାରରେ ଶୁକ୍ରବାର ଜୋରଦାର ହ୍ରାସ ଦେଖାଯାଇଛି। ମାତ୍ର ଗୋଟିଏ ଦିନରେ ଏହି କମ୍ପାନୀ ନିଜର ୨୧ ପ୍ରତିଶତ ଭାଲ୍ୟୁ ହରାଇଛି। ଅନଅଫିସିଆଲ ଟ୍ରେଡିଂରେ କମ୍ପାନୀର ସେୟାର ୨୧ ପ୍ରତିଶତ ଡାଉନ ଥିଲା। ଏଥିରେ କ୍ରାଉଡଷ୍ଟ୍ରାଇକ୍ ର ଭାଲୁଏସନରେ ୧୬ ବିଲିୟନ ଡଲାର ଅର୍ଥାତ ୧୩.୩୯ ଟ୍ରିଲିୟନ ଟଙ୍କାର ହ୍ରାସ ହୋଇଛି।
ସାରା ବିଶ୍ୱରେ ମାଇକ୍ରୋସଫ୍ଟ ସର୍ଭରର ବୈଷୟିକ ଗଡବଡି ଯୋଗୁ ଶୁକ୍ରବାର ବିଭିନ୍ନ କମ୍ପାନୀ, ବ୍ୟାଙ୍କ, ସେୟାରବଜାର ଓ ଏୟାରପୋର୍ଟ ଗୁରୁତର ପ୍ରଭାବିତ ହୋଇଛି। ୟୁକ୍ରେନ ଅନଲାଇନ ବ୍ୟାଙ୍କ ମନୋବ୍ୟାଙ୍କର ସଂସ୍ଥାପକ ଓଲେଗ ଗୋରୋଖୋସ୍କ୍ୱିଙ୍କ ଅନୁସାରେ ଏହି ବୈଷୟିକ ତ୍ରୁଟି ‘କ୍ରାଉଡଷ୍ଟ୍ରାଇକ୍ ଆଣ୍ଟିଭାଇରସ’ ସଫ୍ଟୱେର ଓ ମାଇକ୍ରୋସଫ୍ଟ ୱିଣ୍ଡୋଜ ଅପରେଟିଂ ସିଷ୍ଟମ ମଧ୍ୟରେ ଏକ ଇଣ୍ଟରାକ୍ସନ କାରଣରୁ ହୋଇଛି। କ୍ରାଉଡଷ୍ଟ୍ରାଇକ ସିଇଓ ଜର୍ଜ କର୍ଟଜ କହିଛନ୍ତି ଯେ କମ୍ପାନୀ ୱିଣ୍ଡୋଜ ହୋଷ୍ଟ ନିମନ୍ତେ ସିଙ୍ଗଲ କଣ୍ଟେଣ୍ଟ ଅପଡେଟରେ ପାଇଥିବା ଦୋଷ ଯୋଗୁ ପ୍ରଭାବିତ ଗ୍ରାହକଙ୍କ ସହିତ ଏବେ ସକ୍ରିୟ ରୂପେ କାମ କରୁଛି।
ସେ କହିଛନ୍ତି ଯେ ଏହା ଯୋଗୁ ମ୍ୟାକ୍ସ ଓ ଲିନକ୍ସ ହୋଷ୍ଟ ପ୍ରଭାବିତ ହୋଇ ନାହିଁ। ଏହା କୌଣସି ସୁରକ୍ଷା ଘଟଣା ଅଥବା ସାଇବର ଆକ୍ରମଣ ନୁହେଁ। ସମସ୍ୟାକୁ ଚିହ୍ନଟ କରାଯାଇଛି ଓ ଏହାକୁ ଅଲଗା କରିଦିଆଯାଇଥିବା ବେଳେ ଏକ ଫିକ୍ସ ମୁତୟନ କରାଯାଇଛି। ଆମେ ନବୀନତମ ଅପଡେଟ୍ ନିମନ୍ତେ ଗ୍ରାହକଙ୍କୁ ସପୋର୍ଟ ପୋର୍ଟାଲକୁ ରେଫର କରୁଛୁ ସାଙ୍ଗକୁ ନିଜ ୱେବସାଇଟରେ ସମ୍ପୂର୍ଣ୍ଣ ଓ ନିରନ୍ତର ଅପଡେଟ ଦେଉଛୁ।
ମାଇକ୍ରୋସଫ୍ଟ ମଧ୍ୟ ବୈଷୟିକ ତ୍ରୁଟିକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି। କହିଛନ୍ତି ୱିଣ୍ଡୋଜ ଉପକରଣ ନିମନ୍ତେ ଖୁବ୍ ଶୀଘ୍ର ଏକ ସମାଧାନ ଅଣାଯିବ। ତେବେ ତ୍ରୁଟି ପାଇଁ କମ୍ପାନୀ ଥାର୍ଡ ପାର୍ଟିକୁ ଦାୟି କରିଛି। କମ୍ପାନୀ କହିଛି ଯେ ଆମେ ଏକ ଥାର୍ଡ ପାର୍ଟି ସଫ୍ଟୱେର ପ୍ଲାଟଫର୍ମରୁ ଅପଡେଟ କାରଣରୁ ୱିଣ୍ଡୋଜ ଉପକରଣଗୁଡିକୁ ପ୍ରଭାବିତ କରିଥିବା ସମସ୍ୟା ସମ୍ପର୍କରେ ଆମେ ଅବଗତ। ଆମେ ଆଶା କରୁଛୁ ଖୁବ୍ ଶୀଘ୍ର ଏହାର ସମାଧାନ ଆସିଯିବ।