ବେଙ୍ଗାଲୁରୁ: କେଏଲ ରାହୁଲଙ୍କ ଲଢୁଆ ଦମଦାର ଇନିଂସ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ ଆଇପିଏଲ୍ ୨୦୨୫ର ୨୪ତମ ମ୍ୟାଚ୍ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ୬ ଓ୍ଵିକେଟ୍ରେ ହରାଇଛି। ଏଥିସହ ଚଳିତ ସିଜିନରେ ଦିଲ୍ଲୀ କ୍ୟାପିଟାଲ୍ସର ବିଜୟ ଅଭିଯାନ ଜାରି ରହିଛି। ୪ଟି ମ୍ୟାଚ୍ରେ ୪ ବିଜୟ ସହ ପଏଣ୍ଟ ଟେବୁଲର ଦ୍ଵିତୀୟ ସ୍ଥାନରେ ରହିଛି ଦିଲ୍ଲୀ। ଅନ୍ୟପଟେ ନିଜର ପଞ୍ଚମ ମ୍ୟାଚ୍ରୁ ଦ୍ଵିତୀୟ ପରାଜୟ ଭୋଗି ତୃତୀୟ ସ୍ଥାନରେ ରହିଛି ବେଙ୍ଗାଲୁରୁ। ଆରସିବି ଦ୍ଵାରା ଧାର୍ଯ୍ୟ ୧୬୪ ରନର ବିଜୟ ଲକ୍ଷ୍ୟକୁ ଦିଲ୍ଲି ୧୭.୫ ଓଭରରେ ୪ ଓ୍ଵିକେଟ୍ ହରାଇ ସହଜରେ ହାସଲ କରି ନେଇଛି। କେଏଲ ରାହୁଲ ୯୩ ରନର ଅପରାଜିତ ଇନିଂସ ଖେଳି ଦଳକୁ ନିଜ ଦମରେ ଜିତାଇଛନ୍ତି। ଟ୍ରିଷ୍ଟନ ଷ୍ଟବ୍ସ ୩୮ ରନ କରି କେଏଲଙ୍କୁ ଉତ୍ତମ ସହଯୋଗ କରିଛନ୍ତି। ଚଳିତ ସିଜିନରେ ଆରସିବି ନିଜର ଘରୋଇ ମଇଦାନରେ ଦ୍ଵିତୀୟ ପରାଜୟ ଭୋଗିଛି।
Also read: ୪ କୋଟି ଟଙ୍କାର କ୍ୟାସ୍ ଅଫର୍ ବାଛିଲେ ଭିନେଶ ଫୋଗାଟ, ଚାକିରି ଓ ପ୍ଲଟ୍କୁ କଲେ ମନା
୧୬୪ ରନର ବିଜୟ ଲକ୍ଷ୍ୟକୁ ପିଛା କରିଥିବା ଦିଲ୍ଲୀ କ୍ୟାପିଟାଲ୍ସର ଆରମ୍ଭ ନିରାଶଜନକ ଥିଲା। ୯ ରନ ସ୍କୋରରେ ଫାଫ ଡୁ ପ୍ଲେସିସ୍(୨ ରନ) ଆଉଟ୍ ହୋଇଥିଲେ। ପୁଣି ଜେକ ଫ୍ରେଜର ମ୍ୟାକଗର୍ଗ ବ୍ୟକ୍ତିଗତ ୭ ରନ କରି ବେପରୁଆ ସଟ୍ ଖେଳି ଶସ୍ତାରେ ପାଭିଲିୟନ ଫେରିଥିଲେ। ପୁଣି ଅଭିଷେକ ପୋରେଲ ମଧ୍ୟ ସମାନ ଢଙ୍ଗରେ ନିଜର ଓ୍ଵିକେଟ୍ ଫିଙ୍ଗିଥିଲେ। ଅଧିନାୟକ ଅକ୍ଷର ପଟେଲ୍ ୧୫ ରନ କରି ଆଉଟ୍ ହେବା ଦିଲ୍ଲୀ କ୍ୟାପିଟାଲ୍ସକୁ ବଡ଼ ଝଟକା ଲାଗିଥିଲା।ଅନ୍ୟପଟେ କ୍ରିଜରେ ତିଷ୍ଠି ଥିଲେ କେଏଲ ରାହୁଲ।
୫୮ ରନରେ ୪ ଓ୍ଵିକେଟ୍ ହରାଇ ମୁସ୍କିଲ ସ୍ଥିତିରେ ଥିବା ଦିଲ୍ଲୀ ଇନିଂସକୁ ସମ୍ଭାଳିଥିଲେ କେଏଲ ରାହୁଲ। ଆଉ ତାଙ୍କୁ ଉତ୍ତମ ସହାୟତା ଦେଇଥିଲେ ଟ୍ରିଷ୍ଟନ ଷ୍ଟବ୍ସ। ଦୁହେଁ ପ୍ରଥମେ ଧୈର୍ଯ୍ୟର ସହ ବ୍ୟାଟିଂ କରିଥିଲେ। କ୍ରିଜରେ ଜମିବା ପରେ ହାତ ଖୋଲା ସଟ୍ ଖେଳିଥିଲେ। ଏହି ଯୋଡ଼ିକୁ ଭାଙ୍ଗିବାରେ ବିଫଲ ହୋଇଥିଲେ ବେଙ୍ଗାଲୁରୁ ବୋଲର। ଦୁଇ ବ୍ୟାଟର ଅବିଭାଜିତ ପଞ୍ଚମ ଓ୍ଵିକେଟ୍ରେ ୧୧୧ ରନ ଯୋଡ଼ି ଦଳକୁ ସହଜ ବିଜୟ ଦେଇଛନ୍ତି। କେଏଲ ରାହୁଲ ୫୩ ବଲରୁ ୭ ଚୌକା ଓ ୬ ଛକା ସହ ୯୩ ରନର ମ୍ୟାଚ୍ ବିଜୟୀ ଇନିଂସ ଖେଳିଛନ୍ତି। ଟ୍ରିଷ୍ଟନ ଷ୍ଟବ୍ସ ୩୮ ରନ କରି ଅପରାଜିତ ଥିଲେ। ବୋଲିଂରେ ଆରସିବି ପକ୍ଷରୁ ଭୁବନେଶ୍ଵର କୁମାର ୨୬ ରନ ଦେଇ ୨ଟି ଓ୍ଵିକେଟ୍ ଅକ୍ତିକାର କରିଛନ୍ତି।
ଆରସିବି ଇନିଂସ
ପ୍ରଥମେ ବ୍ୟାଟିଂ କରି ଆରସିବି ୨୦ ଓଭରରେ ୭ ୱିକେଟ୍ ହରାଇ ୧୬୩ ରନ୍ କରିଥିଲା । ଓପନିଂ ଯୋଡ଼ି ଫିଲ୍ପ ସଲ୍ଟ ଏବଂ ବିରାଟ କୋହଲି ଦୃଢ଼ ଆରମ୍ଭ କରିଥିଲେ । ସଲ୍ଟ ମାତ୍ର ୧୭ଟି ବଲ୍ ଖେଳି ୩୭ ରନ୍ କରି ରନ୍ ଆଉଟ୍ ହୋଇଥିଲେ। ଏଥିରେ ୪ ଚୌକା ଓ ୩ ଛକା ରହିଛି । ପରେ ଦେବଦତ୍ତ ପାଡିକ୍କଲ ୮ ବଲ୍ ରେ କେବଳ ଗୋଟିଏ ରନ୍ କରି ମୁକେଶ କୁମାରଙ୍କ ଶିକାର ହୋଇଥିଲେ । ଏହାପରେ ବିରାଟ୍ କୋହଲି ୧୪ ବଲ୍ରେ ୨୨ ରନ୍ କରି ଡଗଆଉଟ୍ ଫେରିଥିଲେ । ଲିଆମ୍ ଲିଭିଙ୍ଗଷ୍ଟନ ଜିତେଶ ଶର୍ମା ମଧ୍ୟ ସେତେଟା ଖାସ୍ କିଛି କରିପାରିନଥିଲେ । ଅଧିନାୟକ ରଜତ୍ ପାଟ୍ଟୀଦାର ୨୩ ବନରେ ମାତ୍ର ୨୫ ରନ କରିବାରେ ସକ୍ଷମ ହୋଇଥିଲେ । ଶେଷ ଓଭରେ ଟିମ୍ ଡେଭିଡ୍ ୨୦ ରନ ସଂଗ୍ରହ କରି ଦଳୀୟ ସ୍କୋରକୁ ୧୬୩ ପର୍ଯ୍ୟନ୍ତ ନେଇଯାଇଥିଲେ । ଫଳରେ ଦିଲ୍ଲୀ କ୍ୟାପିଟାଲ୍ସ ସାମ୍ନାରେ ୧୬୪ ରନ୍ର ଟାର୍ଗେଟ୍ ରଖିଥିଲା।