ଅହମ୍ମଦାବାଦ : ଗାନ୍ଧୀନଗରର କିରଣଭାଇ ପଟେଲଙ୍କର ଜୀବନରେ ରକ୍ଷା ବନ୍ଧନର ପର୍ବ ଏହିଥର ଖୁବ୍ ସ୍ୱତନ୍ତ୍ର ରହିଛି। ଦୁଇ ବର୍ଷ ପୂର୍ବେ କିଡନୀ ଫେଲ୍ ହେବା କାରଣରୁ ତାଙ୍କର ଜୀବନ ବିପଦରେ ଥିଲା। ଡାକ୍ତରମାନେ ସ୍ପଷ୍ଟ କରି ଦେଇଥିଲେ ଯେ,କିଡନୀ ଟ୍ରାନ୍ସପ୍ଲାଣ୍ଟ ହିଁ ଏକମାତ୍ର ବିକଳ୍ପ। ଏହି ସମୟରେ ପୂରା ପରିବାର ଖୁବ୍ ଚିନ୍ତାରେ ଥିଲା । ପୁଅ –ଝିଅ ଅଷ୍ଟ୍ରେଲିଆରେ ରହୁଥିଲେ ଏବଂ ପତ୍ନୀ ଭଗବାନଙ୍କୁ ପ୍ରାର୍ଥନା କରୁଥିଲେ। ଏହି ମୁସ୍କିଲ ସମୟରେ କିରଣ ଭାଇଙ୍କ ୪ଜଣ ବଡ଼ ଭଉଣୀ ତାଙ୍କ ପାଇଁ ସୁରକ୍ଷା କବଚ ସାଜି ଠିଆ ହୋଇଗଲେ।
କିରଣଭାଇ ଡାଏଲିସିସ୍ରେ ଥିଲେ ଏବଂ କିଡନୀ ଡୋନେଟ୍ ହେବାକୁ ଅପେକ୍ଷା କରିଥିଲେ। ଯେମିତି ହିଁ ଭଉଣୀମାନଙ୍କୁ ଖବର ମିଳିଲା, ସମସ୍ତେ କିଡନୀ ଡୋନେଟ୍ କରିବାକୁ ଇଚ୍ଛା ପ୍ରକାଶ କଲେ। ସବୁଠୁ ବଡ଼ ଭଉଣୀ କାନାଡାରୁ ଭାରସ ଆସିଲା ,ବୟସ ଓ ବ୍ଲଡ୍ ପ୍ରେସର ସମସ୍ୟା କାରଣରୁ ଡାକ୍ତରମାନେ ମନା କରିଦେଲେ। ୩ୟ ଭଉଣୀର ମେଡିକାଲ ଯାଞ୍ଚ କରାଯିବାରୁ ଜଣାପଡ଼ିଲା ଯେ, ସେ ଜନ୍ମରୁ ଗୋଟେ କିଡନୀ ସହ ଅଛନ୍ତି, ୪ର୍ଥ ଭଉଣୀ ଗୋଡ଼ ସମସ୍ୟାର କାରଣରୁ ଆଂଶିକ ଭାବେ ଦିବ୍ୟାଙ୍ଗ।
ଶେଷରେ, ଦ୍ୱିତୀୟ ସବୁଠୁ ବଡ଼ ଭଉଣୀ ସୁଶିଲାବେନଙ୍କ କିଡନୀ ମ୍ୟାଚ୍ ହେଲା ଏବଂ ତୁରନ୍ତ ଅସ୍ତ୍ରୋପଚାର ପାଇଁ ନିଷ୍ପତ୍ତି ନିଆଯାଇ ଥିଲା। କିରଣଭାଇ କୁହନ୍ତି ଯେ , ମୋ ଭିଣୋଇ ଭୂପେନ୍ଦ୍ରଭାଇ ସବୁବେଳେ ଭଉଣୀ ସହ ଆସୁଥିଲେ, ଆମକୁ ସାହସ ଦେଉ ଥିଲେ।ତାଙ୍କର ସହଯୋଗ କାରଣରୁ ଭଉଣୀ ମୋତେ କିଡନୀ ଦେଲେ। ସୁଶୀଲାବେନ କୁହନ୍ତି , ଜଣେ ଭଉଣୀ ନିଜ ଭାଇର ଯନ୍ତ୍ରଣାକୁ କେମିତି ଦେଖି ପାରିବ ? ଆମେ ଯେମିତି ଶୁଣିଲୁ , ଚାରି ଭଉଣୀ ପ୍ରସ୍ତୁତ ହୋଇଗଲୁ। ମୋର ଶ୍ୱଶୁରଘର ସମେତ ପୂରା ପରିବାର ମୋତେ ସହଯୋଗ କରିଥିଲେ।
ଅହମ୍ମଦାବାଦର ସରକାରୀ କିଡନୀ ହସ୍ପିଟାଲ (IKDRC) ରେ ସଫଳ ଅପରେସନ ପରେ କିରଣଭାଇ ଗତ ଦେଢ ବର୍ଷରୁ ସୁସ୍ଥ ଜୀବନ ନିର୍ବାହ କରୁଛନ୍ତି।ଗତ ତିନି ବର୍ଷରେ ଏହି ହସ୍ପିଟାଲରେ ପାଖାପାଖି ୨୦ ଜଣ ଭଉଣୀ ନିଜର ଭାଇଙ୍କୁ ଏବଂ ୩ ଜଣ ଭାଇ ନିଜର ଭଉଣୀଙ୍କୁ କିଡନୀ ଡୋନେଟ୍ କରିଛନ୍ତି। ଏହା କେବଳ ଅଙ୍ଗଦାନର ଏକ ଉଦାହରଣ ନୁହେଁ , ବରଂ ଭାଇ ଭଉଣୀଙ୍କ ସଂକର୍ପର ଅତୁଟ ପ୍ରେମ ଓ ତ୍ୟାଗର ପ୍ରମାଣ ମଧ୍ୟ। ରକ୍ଷା ବନ୍ଧନ ଦିନ ଯେତେବେଳେ ଭଉଣୀ ଭାଇର ହାତରେ ରାକ୍ଷୀ ବାନ୍ଧି ତାର ସୁରକ୍ଷା ପାଇଁ ପ୍ରତିଶ୍ରୁତି ଦିଅନ୍ତି, ସେତେବେଳେ ସୁଶୀଳାବେନ ଏହା ଠାରୁ ଆଉ ପାଦେ ଆଗକୁ ବଢି ନିଜ ଭାଇକୁ ଜୀବନ ଦାନ ଦେଇ ନିଆରା ରକ୍ଷାସୂତ୍ର ବାନ୍ଧି ଦେଇଥିଲେ।