ନୂଆଦିଲ୍ଲୀ: ଦକ୍ଷିଣ କୋଲକାତା ‘ଲ’ କଲେଜ ଛାତ୍ରୀ ଗଣଦୁଷ୍କର୍ମ ଘଟଣାକୁ ନେଇ ଜାତୀୟ ମହିଳା କମିଶନ ଗୁରୁତର ଅଭିଯୋଗ ଆଣିଛନ୍ତି। ମାମଲାରେ ଜାଣିଶୁଣି କିଛି ଲୁଚାଇବାକୁ ଚେଷ୍ଟା କରାଯାଉଛି ବୋଲି କମିଶନ ସଦସ୍ୟା ଅର୍ଚ୍ଚନା ମଜମୁଦାର ଅଭିଯୋଗ କରିଛନ୍ତି। ରବିବାର ତଦନ୍ତ ପାଇଁ ଅର୍ଚ୍ଚନା କଲେଜ୍ ଗସ୍ତ କରିଥିଲେ। ସେଠାରୁ ଫେରିବା ପରେ ସେ ଏଭଳି ଅଭିଯୋଗ ଆଣିଛନ୍ତି। ପୁଲିସ କମିଶନଙ୍କୁ ତଦନ୍ତରେ ସହଯୋଗ କରୁନଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି।
ମଜମୁଦାର କହିଛନ୍ତି “ ପୀଡ଼ିତାଙ୍କ ପରିବାର ପ୍ରବଳ ଚାପରେ ଅଛନ୍ତି। ସେମାନେ ଏବେ କେଉଁଠି ରହିଛନ୍ତି ତାହା ପୋଲିସ ଜାଣି ନାହିଁ। ସେମାନେ ଅପରାଧ ଦୃଶ୍ୟର ଭିଡିଓ ରେକର୍ଡ କରିବାକୁ ବାରଣ କରିଥିଲେ। ଆଇନ ଅନୁଯାୟୀ, କମିଶନ ଭିଡିଓ କରିପାରିବେ, ଯାଞ୍ଚ କରିପାରିବେ ଏବଂ ମାମଲାର ତଦନ୍ତ କରିପାରିବେ।” ତେବେ ଏନେଇ ସେ ସୋମବାର ଦିଲ୍ଲୀରେ କମିଶନ ଅଧ୍ୟକ୍ଷଙ୍କୁ ଭେଟି ରିପୋର୍ଟ ଦାଖଲ କରିବେ ବୋଲି କହିଛନ୍ତି।
କୋଲକାତା ଲ କଲେଜ ଦୁଷ୍କର୍ମ ମାମଲା ବର୍ଷେ ତଳେ ହୋଇଥିବା କୁଖ୍ୟାତ ଆରଜି କର ହସ୍ପିଟାଲ୍ ଦୁଷ୍କର୍ମ ଘଟଣାକୁ ମନେ ପକାଇ ଦେଇଛି। ୨୦୨୪ ଅଗଷ୍ଟ ୮ ଏବଂ ୯ ମଧ୍ୟ ରାତିରେ ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲ ଭିତରେ ଜଣେ ଦ୍ୱିତୀୟ ବର୍ଷର ପୋଷ୍ଟ ଗ୍ରାଜୁଏଟ୍ ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ କରି ହତ୍ୟା କରାଯାଇଥିଲା। ଯାହାକୁ ନେଇ ରାଜ୍ୟ ଓ ଦେଶରେ ତୀବ୍ର ଆନ୍ଦୋଳନ ତେଜିଥିଲା।
ତେବେ ଲ କଲେଜ ମାମଲାରେ ପୁଲିସ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି। ଘଟଣାରେ ମୁଖ୍ୟ ଅଭିଯୁକ୍ତ ମନୋଜିତ ମିଶ୍ର - ଜଣେ ତୃଣମୂଳ କଂଗ୍ରେସ ଛାତ୍ର ନେତା। ସେ ମଧ୍ୟ ଗତବର୍ଷ ଆରଜି କର ଘଟଣାରେ ସୋସିଆଲ ମିଡିଆ ଆକାଉଣ୍ଟରେ "ତୁରନ୍ତ ନ୍ୟାୟ" ଏବଂ "ଦୁଷ୍କର୍ମକାରୀଙ୍କୁ ମୃତ୍ୟୁଦଣ୍ଡ" ପାଇଁ ଆହ୍ୱାନ ଦେଇଥିଲା। ହେଲେ ଏବେ ସେ ନିଜ ଏଭଳି କାଣ୍ଡ ଘଟାଇଥିବା ଅଭିଯୋଗ ହୋଇଛି।
ଅନ୍ୟପଟେ କୋଲକାତା ପୋଲିସ ଲ’ କଲେଜ ଗଣଦୁଷ୍କର୍ମ ମାମଲାର ତଦନ୍ତ କରୁଥିବା ସ୍ୱତନ୍ତ୍ର ତଦନ୍ତ ଦଳ (SIT)ରେ ସଦସ୍ୟଙ୍କ ସଂଖ୍ୟା ୯କୁ ବୃଦ୍ଧି କରିଛି। ମାମଲାର ଗୁରୁତ୍ୱକୁ ବିଚାର କରି ଏବଂ ସମୟସୀମା ମଧ୍ୟରେ ତଦନ୍ତ ଶେଷ କରିବା ପାଇଁ, ଏସଆଇଟିରେ ୪ ଜଣ ଅତିରିକ୍ତ ସଦସ୍ୟଙ୍କୁ ନିଯୁକ୍ତି ଦେଇଛି। ମାମଲାରେ ସିସିଟିଭି ଫୁଟେଜ୍ ଓ ଡାକ୍ତରୀ ମାଇନା ରିପୋର୍ଟ ପୀଡ଼ିତାଙ୍କ ଅଭିଯୋଗକୁ ପ୍ରମାଣିତ କରିଛି। ସେପଟେ ମୁଖ୍ୟ ଅଭିଯୁକ୍ତ ମିଶ୍ର ବିରୁଦ୍ଧରେ ଏକ ହତ୍ୟା ଅଭିଯୋଗ ମଧ୍ୟ ରହିଛି। ମୁଖ୍ୟ ଅଭିଯୁକ୍ତ ମନୋଜିତ ମିଶ୍ରଙ୍କ ପୂର୍ବତନ ବନ୍ଧୁ ଏବଂ ସହପାଠୀ ତିତସ ମାନ୍ନା ଅଭିଯୋଗ କରିଛନ୍ତି ଯେ ମିଶ୍ର ବିରୁଦ୍ଧରେ ୨୦୧୩ ମସିହାରେ ଏକ ହତ୍ୟା ଉଦ୍ୟମରେ ସମ୍ପୃକ୍ତ ଥିବା ଅଭିଯୋଗରେ କାଲିଘାଟ ଥାନାରେ ଏକ ମାମଲା ରୁଜୁ ହୋଇଥିଲା। ଏହାପରେ ସେ ଘଟଣାସ୍ଥଳରୁ ନିଖୋଜ ହୋଇଯାଇଥିଲେ। କିନ୍ତୁ ୨୦୧୭ ମସିହାରେ ସେ କଲେଜକୁ ଫେରି ଆସିଥିଲା।