ଭୁବନେଶ୍ୱର ୨୧।୬: ଓଡ଼ିଶା ଖଣି ନିଗମ ପକ୍ଷରୁ ଏହାର ସମସ୍ତ ଆଞ୍ଚଳିକ ଖଣି କାର୍ଯ୍ୟାଳୟ ପରିସରଠାରେ "ଏକ ପୃଥିବୀ, ଏକ ସ୍ୱାସ୍ଥ୍ୟ ପାଇଁ ଯୋଗ" ଶୀର୍ଷକ ବାର୍ତ୍ତା ସହ ଅନ୍ତର୍ଜାତୀୟ ଯୋଗ ଦିବସ ୨୦୨୫ ପାଳିତ ହୋଇଯାଇଛି । ନିଗମ ଅଧିନସ୍ଥ ସମସ୍ତ ଖଣି ୟୁନିଟ୍, ମୁଖ୍ୟ କାର୍ଯ୍ୟାଳୟ ଏବଂ ଆଞ୍ଚଳିକ କାର୍ଯ୍ୟାଳୟରେ ଆନୁଷଙ୍ଗିକ ଭାବେ ଚଳିତ ବର୍ଷର ଶୀର୍ଷକ ବାର୍ତ୍ତା ସହିତ ସମନ୍ୱିତ ରକ୍ଷା କରି ଯୋଗ ଦିବସ ୨୦୨୫ ପାଳିତ ହୋଇଯାଇଛି ।
ଯୋଗ ଦିବସ ପାଳନ କରିବା ପାଇଁ ସକାଳୁ ଓଡ଼ିଶା ଖଣି ନିଗମ ଅଧିନସ୍ଥ ବିଭିନ୍ନ ଖଣି ଅଞ୍ଚଳରେ କାର୍ଯ୍ୟରତ କର୍ମଚାରୀମାନେ ତାଲିମପ୍ରାପ୍ତ ପ୍ରଶିକ୍ଷକଙ୍କ ନେତୃତ୍ୱରେ ଯୋଗ ଏବଂ ଏହାର ବିଭିନ୍ନ ଆସନ ମାନ କରି ନିଜର ଦିନର ଆରମ୍ଭ କରିଥିଲେ । ଅଂଶଗ୍ରହଣକାରୀ ମାନେ ନିଜର ବ୍ୟସ୍ତବହୁଳ କର୍ମମୟ ଜୀବନରେ କିଭଳି ଚାପକୁ ହ୍ରାସ କରିବେ ତା ବିଷୟରେ ସଚେତନ ବାର୍ତ୍ତା ଦେବା ସହିତ ସଠିକ୍ ଶ୍ୱାସକ୍ରିୟା ଚାଳନ ଏବଂ ଆସନ ସମ୍ପର୍କିତ ବିଭିନ୍ନ ବିଷୟରେ ସଚେତନ କରାଯାଇଥିଲା ।
ଏଥିସହ ଭୁବନେଶ୍ୱର ମୁଖ୍ୟ କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ ଯୋଗ ଅଧିବେଶନରେ ଆଲୋକ କୁମାର ପାଲ, ନିର୍ଦ୍ଦେଶକ (ମାନବ ସମ୍ବଳ)ଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଏବଂ କର୍ମଚାରୀମାନେ ବହୁ ସଂଖ୍ୟାରେ ଅଂଶଗ୍ରହଣ କରିଥିଲେ ।
ସୂଚନା ଅନୁଯାୟୀ, ଓଏମସି ପକ୍ଷରୁ ନିଜର ଅଧିନସ୍ଥ ସମସ୍ତ ଖଣି କ୍ଷେତ୍ର ଓ ୟୁନିଟ୍ ରେ ଯୋଗ ଦିବସ ପାଳନ କରାଯିବା ସହିତ ନିଜର ଖଣି ଅଞ୍ଚଳର ପାର୍ଶ୍ଵବର୍ତ୍ତୀ ଗ୍ରାମୀଣ ଅଞ୍ଚଳ ଏବଂ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ମଧ୍ୟ ଏହି ଦିବସକୁ ପାଳନ କରିବା ପାଇଁ ସ୍ବତନ୍ତ୍ର ଆୟୋଜନ କରିଥିଲା । ସ୍ଥାନୀୟ ଲୋକ ବିଶେଷ କରି ଯୁବସମାଜକୁ ସୁସ୍ଥ ଅଭ୍ୟାସ ପ୍ରତି ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ଓଡ଼ିଶା ମାଇନିଂ ଆଦର୍ଶ ବିଦ୍ୟାଳୟ, ଓଏମସି- ଡିଏଭି ସ୍କୁଲ ଏବଂ ସ୍ଥାନୀୟ ଗୋଷ୍ଠୀ କେନ୍ଦ୍ରଗୁଡ଼ିକରେ ସ୍ୱତନ୍ତ୍ର ଯୋଗ ଅଧିବେଶନ ଅନୁଷ୍ଠିତ ହୋଇଥିଲା ।
ଉଲ୍ଲେଖଯୋଗ୍ୟ ଯେ, ଓଏମସି ସବୁବେଳେ ନିଜ କର୍ମଚାରୀଙ୍କ ସାମଗ୍ରିକ ବିକାଶ ଓ କଲ୍ୟାଣ କୁ ଗୁରୁତ୍ୱାରୋପ କରିଆସୁଛି । ଯୋଗର ନୀତିଗୁଡ଼ିକୁ ଦୈନନ୍ଦିନ ଜୀବନ ଏବଂ କାର୍ଯ୍ୟରେ ସାମିଲ କରି, ଓଡ଼ିଶା ଖଣି ନିଗମ ଚଳିତ ବର୍ଷର ଯୋଗ ଦିବସର ମୂଳବାର୍ତ୍ତାକୁ ପ୍ରତିଫଳିତ କରି ସାମୂହିକ ଭାବେ ଜନ କଲ୍ୟାଣ ମୂଳକ ପଦକ୍ଷେପ ଗୁଡ଼ିକୁ ତ୍ବରାନ୍ବିତ କରିବାରେ ପ୍ରତିବଦ୍ଧତା ପ୍ରକାଶ କରିଛି ।