ଦେଶ ବଡ଼ ନା ପଇସା? ଭାରତୀୟ ସେନାକୁ ଅପମାନିତ କରିଥିବା ପାକିସ୍ତାନୀ ଖେଳାଳିଙ୍କ ଉପରେ କୋଟିଏରୁ ଉର୍ଦ୍ଧ୍ୱ ଟଙ୍କା ବର୍ଷା କଲେ କାବ୍ୟା ମାରାନ!

NEWS7
omar-abdullah-staked-claim-to-form-the-government-in-j-and-k

ନୂଆଦିଲ୍ଲୀ: ଆଇପିଏଲ୍ ଗ୍ୟାଲେରିରେ ନିଜର ସୁନ୍ଦର ହସ ଏବଂ ଭିନ୍ନ ଭିନ୍ନ ପ୍ରତିକ୍ରିୟା ପାଇଁ ସବୁବେଳେ ସୋସିଆଲ ମିଡିଆରେ ଭାଇରାଲ୍ ହେଉଥିବା 'ସନରାଇଜର୍ସ ହାଇଦ୍ରାବାଦ'ର ମାଲିକାଣୀ କାବ୍ୟା ମାରାନ ଏବେ ଏକ ବଡ଼ ବିବାଦରେ ଫସିଛନ୍ତି। ନିଜର ଏକ ନିଷ୍ପତ୍ତି ପାଇଁ ସେ ପୂୂରା ଦେଶର କ୍ରିକେଟ୍ ପ୍ରେମୀଙ୍କ ଆକ୍ରୋଶର ଶିକାର ହୋଇଛନ୍ତି। ଭାରତୀୟ ସେନାକୁ ଗାଳି ଦେଇଥିବା ଜଣେ ପାକିସ୍ତାନୀ ଖେଳାଳିଙ୍କୁ ନିଜ ଦଳରେ ସାମିଲ କରି କାବ୍ୟା ଏବେ ନିଆଁ ସହ ଖେଳିଛନ୍ତି ବୋଲି ଚର୍ଚ୍ଚା ହେଉଛି।

ଣ ଏହି ପୂରା ବିବାଦ?

କଥାଟା ହେଉଛି, ଇଂଲଣ୍ଡରେ ଖେଳାଯାଉଥିବା 'ଦି ହଣ୍ଡ୍ରେଡ୍' (The Hundred) ଲିଗ୍ ପାଇଁ ନିକଟରେ ଖେଳାଳି ନିଲାମ ଚାଲିଥିଲା। ସେଠାରେ 'ସନ୍ ଟିଭି' ମାଲିକାନାରେ ଥିବା କାବ୍ୟାଙ୍କ ଦଳ 'ସନରାଇଜର୍ସ ଲିଡ୍ସ' ଜଣେ ପାକିସ୍ତାନୀ ଲେଗ୍-ସ୍ପିନର ଅବରାର ଅହମ୍ମଦଙ୍କୁ ୧ ଲକ୍ଷ ୯୦ ହଜାର ପାଉଣ୍ଡ (ମାନେ ପ୍ରାୟ ୨ ଲକ୍ଷ ୫୫ ହଜାର ଡଲାର ବା କୋଟିଏରୁ ଉର୍ଦ୍ଧ୍ୱ ଭାରତୀୟ ଟଙ୍କା) ଦେଇ କିଣିନେଇଛି।

ଆପଣ ଭାବୁଥିବେ, ବିଦେଶୀ ଲିଗ୍ ରେ ପାକିସ୍ତାନୀ ଖେଳାଳିଙ୍କୁ କିଣିବାରେ ଅସୁବିଧା କଣ? ଅସୁବିଧା ଏହା ଯେ, ଏହି ଅବରାର ଅହମ୍ମଦ ହେଉଛନ୍ତି ସେହି ବ୍ୟକ୍ତି, ଯିଏ ଗତ ବର୍ଷ 'ଅପରେସନ୍ ସିନ୍ଦୂର' ବେଳେ ଭାରତୀୟ ସେନା ଏବଂ ବାୟୁସେନାକୁ ନେଇ ଅତି ଖରାପ ତଥା ଅପମାନଜନକ ମନ୍ତବ୍ୟ ଦେଇଥିଲେ। ଯେଉଁ ଖେଳାଳି ଆମ ଦେଶର ସେନାକୁ ପରିହାସ କଲା, ତାକୁ ଏକ ଭାରତୀୟ ମାଲିକାନା ଥିବା ଟିମ୍ କିପରି ଏତେ ଟଙ୍କା ଦେଇ କିଣିଲା, ତାହାକୁ ନେଇ ସୋସିଆଲ ମିଡିଆରେ ତୀବ୍ର ବିରୋଧ ଦେଖାଦେଇଛି। ରାଗିଥିବା ଫ୍ୟାନ୍ସମାନେ କାବ୍ୟା ମାରାନଙ୍କୁ ଟ୍ରୋଲ୍ କରିବା ସହ "ଦେଶ ଆଗ ନା କ୍ରିକେଟ୍ ପଇସା" ବୋଲି ପ୍ରଶ୍ନ କରୁଛନ୍ତି।

ବିସିସିଆଇର ପ୍ରତିକ୍ରିୟା ଏବଂ ନିରୁପାୟତା

ଏତେ ବଡ଼ ବିବାଦ ପରେ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (BCCI) କଣ କରୁଛି ବୋଲି ପ୍ରଶ୍ନ ଉଠିଛି। ତେବେ ବିସିସିଆଇର ଉପାଧ୍ୟକ୍ଷ ରାଜୀବ ଶୁକ୍ଳା ଏହି ପ୍ରସଙ୍ଗରେ ନିଜର ଅକ୍ଷମତା ପ୍ରକାଶ କରିଛନ୍ତି। ଗଣମାଧ୍ୟମକୁ ସେ କହିଛନ୍ତି ଯେ, "ଏହା ଆମ ଆଇପିଏଲ୍ ପରିସରଭୁକ୍ତ ନୁହେଁ। ବିଦେଶୀ ଲିଗ୍ ରେ କିଏ କାହାକୁ କିଣିବ, ସେଇଟା ଫ୍ରାଞ୍ଚାଇଜ୍ ର ନିଷ୍ପତ୍ତି। ଏଥିରେ ଆମେ କିଛି କରିପାରିବୁ ନାହିଁ।"

ସୂଚନାଯୋଗ୍ୟ ଯେ, ଭାରତରେ ପାକିସ୍ତାନୀ ଖେଳାଳିଙ୍କୁ ୨୦୦୮ ରୁ ବ୍ୟାନ୍ କରାଯାଇଛି ସତ, ହେଲେ ବିଦେଶ ମାଟିରେ ଭାରତୀୟ କମ୍ପାନୀମାନେ ସେମାନଙ୍କ ଉପରେ କୋଟି କୋଟି ଟଙ୍କା ଉଡ଼ାଇବେ ଆଉ ବୋର୍ଡ ଚୁପ୍ ରହିବ, ତାହା ଅନେକଙ୍କୁ ହଜମ ହେଉନାହିଁ।

ସନରାଇଜର୍ସର'ଲକ୍ଷ୍ମଣ ରେଖା'ପାର୍

ସନ୍ ଟିଭି ଗତ ବର୍ଷ ପ୍ରାୟ ୧୦୦ ନିୟୁତ ପାଉଣ୍ଡ ଦେଇ ଏହି ଇଂଲିଶ୍ ଟିମ୍ କୁ କିଣିଥିଲା। ଆଇପିଏଲ୍ ରେ ଏମାନଙ୍କର 'ସନରାଇଜର୍ସ ହାଇଦ୍ରାବାଦ' ଦଳ ଅଛି। ଆଜିଯାଏଁ କୌଣସି ଆଇପିଏଲ୍ ମାଲିକ ବିଦେଶୀ ଲିଗ୍ ରେ ବି ପାକିସ୍ତାନୀ ଖେଳାଳିଙ୍କୁ କିଣୁନଥିଲେ। ହେଲେ ସନରାଇଜର୍ସ ଏହି ଲକ୍ଷ୍ମଣ ରେଖା ପାର୍ କରିଦେଇଛି। ଖାଲି ସେତିକି ନୁହେଁ, ଅନ୍ୟ ଏକ ଦଳ 'ବର୍ମିଂହାମ’ ମଧ୍ୟ ଆଉ ଜଣେ ପାକିସ୍ତାନୀ ଖେଳାଳି ଉସ୍ମାନ ତାରିକ୍ଙ୍କୁ କିଣିଛି।

ତେବେ ଫ୍ରାଞ୍ଚାଇଜ୍ କ୍ରିକେଟ୍ ନାଁରେ ଦେଶର ସମ୍ମାନ ସହ ଏଭଳି ଖେଳ କେତେ ଦୂର ଠିକ୍? କାବ୍ୟା ମାରାନଙ୍କ ଏହି ନିଷ୍ପତ୍ତିକୁ ବିଜନେସ୍ ଦୃଷ୍ଟିକୋଣରୁ ଦେଖାଯିବ ନା ଜାତୀୟତାବୋଧ ଦୃଷ୍ଟିକୋଣରୁ, ତାହା ଏବେ ଏକ ବଡ଼ ପ୍ରଶ୍ନ। ଭାରତୀୟ ସେନାକୁ ଗାଳି ଦେଇଥିବା ଖେଳାଳିଙ୍କୁ ଦଳରୁ ବାହାର କରିବା ଦରକାର କି ନୁହେଁ, ସେ ନେଇ ଦେଶବାସୀ ମତାମତ ଲୋଡ଼ିଛନ୍ତି।