ମାହାଙ୍ଗା ୦୫/୦୬: ଜାଳ ସଂଗ୍ରହ ପାଇଁ ତୋଟାକୁ ଯାଇଥିଲେ । ଗୋଡାଇ କାମୁଡି ଘାଇଲା କଲା ମହୁମାଛି । ଚିକିତ୍ସାଧୀନ ଅବସ୍ଥାରେ ହସ୍ପିଟାଲରେ ଚାଲିଗଲା ଜୀବନ । କଟକ ଜିଲ୍ଲା ମାହାଙ୍ଗା ବ୍ଲକ ରାହାଣିଆ ପଞ୍ଚାୟତ ଗୋକୁଳପୁର ଗାଁରୁ ଆସିଛି ଦୁଃଖଦ ଖବର । ମହୁମାଛି ଆକ୍ରମଣରେ ବୃଦ୍ଧାଙ୍କ ଜୀବନ ଯାଇଥିବାବେଳେ ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ।
ମୃତକ ସ୍ଥାନୀୟ ଅଞ୍ଚଳର ୬୫ ବର୍ଷୀୟ ପାଟ ଦେଇ । ବୁଧବାର ଜାଳ ସଂଗ୍ରହ ପାଇଁ ସେ ପାଖରେ ଥିବା ତୋଟାକୁ ଯାଇଥିଲେ । ଜାଳ ସଂଗ୍ରହ କରୁଥିବାବେଳେ ହଠାତ ଶହ ଶହ ମହୁମାଛି ଉଡି ଆସି ତାଙ୍କୁ ଆକ୍ରମଣ କରିଥିଲେ । ସେ ଜୀବନ ବଞ୍ଚାଇବା ପାଇଁ ଦୌଡି ପଳାଇବାକୁ ଚେଷ୍ଟା କରିଥିଲେ । ହେଲେ ଗୋଡାଇ ଗୋଡାଇ ବିନ୍ଧିଥିଲେ ମହୁମାଛି ।
ସ୍ଥାନୀୟ ଲୋକେ ତୋଟାରେ ପହଞ୍ଚି ପାଟଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ । ତେବେ ଗୁରୁବାର ସକାଳେ ତାଙ୍କର ମୃତ୍ୟୁ ହୋଇଯାଇଛି । ସେହି ପରି ଆଉ ଜଣେ ବ୍ୟକ୍ତି ବୀରେନ୍ଦ୍ର ଦାସ ମଧ୍ୟ ମହୁମାଛି ଆକ୍ରମଣରେ ଗୁରୁତର ହୋଇଛନ୍ତି । ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏ ଘଟଣା ପ୍ରଥମ ନୁହେଁ ପୂର୍ବରୁ ମଧ୍ୟ ତୋଟାରେ ଥିବା ମହୁମାଛି ଆକ୍ରମଣରେ ଅନେକ ଲୋକ ଆହତ ହୋଇଥିଲେ । ମହୁମାଛିକୁ ଘଉଡାଇବା ପାଇଁ ପ୍ରଶାସନ ପଦକ୍ଷେପ ନେବାକୁ ଦାବି କରିଛନ୍ତି ଗୋକୁଳପୁର ଗ୍ରାମବାସୀ ।