ନୂଆଦିଲ୍ଲୀ: ମଙ୍ଗଳବାର ସକାଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ-ଇସ୍ରାଏଲ ମଧ୍ୟରେ ସମ୍ପୂର୍ଣ୍ଣ ଯୁଦ୍ଧବିରତି ଘୋଷଣା କରିବା ପରେ ବିଶ୍ୱବ୍ୟାପୀ ଅଶୋଧିତ ତୈଳ ମୂଲ୍ୟ ୨% ରୁ ଅଧିକ ହ୍ରାସ ପାଇଛି। ସକାଳ ପ୍ରାୟ ୮:୨୫ ସମୟରେ, ଇଣ୍ଟରକଣ୍ଟିନେଣ୍ଟାଲ ଏକ୍ସଚେଞ୍ଜରେ ବ୍ରେଣ୍ଟର ଅଗଷ୍ଟ କଣ୍ଟ୍ରାକ୍ଟ $୬୯.୯୮ ଟ୍ରେଡ୍ ହେଉଥିଲା। ସେହିପରି, NYMEX ରେ ୱେଷ୍ଟ ଟେକ୍ସାସ ଇଣ୍ଟରମିଡିଏଟର ଅଗଷ୍ଟ କଣ୍ଟ୍ରାକ୍ଟ ୨.୨୫% ହ୍ରାସ ପାଇ $୬୭.୦୬ ପ୍ରତି ବ୍ୟାରେଲ ହୋଇଥିଲା।
ପଢନ୍ତୁ- ଭାରତ ଟାରିଫ କିଂ ନୁହେଁ, ଶୁଳ୍କ ଯେତିକି ଦେଖାଯାଉଛି, ତା'ଠାରୁ ବହୁତ କମ୍: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
ଇରାନ-ଇସ୍ରାଏଲ ଯୁଦ୍ଧ ବନ୍ଦ ନେଇ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ୍ ସୋସିଆଲରେ ପୋଷ୍ଟ କରି ଟ୍ରମ୍ପ ଲେଖିଥିଲେ ଇରାନ ଓ ଇସ୍ରାଏଲ ମଧ୍ୟରେ ସମ୍ପୂର୍ଣ୍ଣ ଅସ୍ତ୍ରବିରତୀ ହୋଇଛି। ଏହାପରେ ସମସ୍ତଙ୍କୁ ବଧେଇ ଜଣାଇଥିଲେ ଟ୍ରମ୍ପ। ହେଲେ ଇରାନ କିନ୍ତୁ ଅସ୍ତ୍ରବିରତୀ ନେଇ କୌଣସି ଚୁକ୍ତି ହୋଇ ନାହିଁ ବୋଲି କହିଥିଲା। ହେଲେ ଏହାର କିଛି ସମୟ ପରେ ପୁଣି ଇରାନ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଯାଇଥିଲା।
ଜୁନ୍ ୧୩ ତାରିଖରେ ଇସ୍ରାଏଲ ଇରାନ ଉପରେ ଆକ୍ରମଣ କରିବା ପରେ ତୈଳ ମୂଲ୍ୟ ୧୦% ରୁ ଅଧିକ ବୃଦ୍ଧି ପାଇଥିଲା। ତେଣୁ ଏକ ବୃହତ ଆଞ୍ଚଳିକ ଯୁଦ୍ଧର ସମ୍ଭାବନା ଏବଂ ହର୍ମୁଜ୍ ପ୍ରଣାଳୀର ଅବରୋଧ ଆଶଙ୍କା ତେଲ ମୂଲ୍ୟକୁ ବୃଦ୍ଧି କରିଥିଲା। ତେଲ ମୂଲ୍ୟ ୧୨୦ ଟଙ୍କା ପର୍ଯ୍ୟନ୍ତ ହୋଇପାରେ ବୋଲି ଅନୁମାନ ପ୍ରକାଶ ପାଇଥିଲା। ହେଲେ ଏବେ ଯୁଦ୍ଧ ଥମି ଆସିବା ପରେ ତେଲ ମୂଲ୍ୟ କମିବା ଆରମ୍ଭ ହୋଇଛି।