କୁଆଡେ ହଜିଗଲେ ଦିଲ୍ଲୀର ୩ ବୃଦ୍ଧ, ଖୋଜିବାକୁ ଆଦେଶ ଦେଇଛନ୍ତି ହାଇକୋର୍ଟ, ଜାଣନ୍ତୁ କ’ଣ ସନ୍ଦେହ କରୁଛନ୍ତି ଝିଅ?

NEWS7
offer-these-things-on-shivling-on-mahashivratri-day

ନୂଆଦିଲ୍ଲୀ ୧୧।୧: ଦିଲ୍ଲୀର ବସନ୍ତ କୁଞ୍ଜରୁ ୩ ଜଣ ବୃଦ୍ଧ ପାଖାପାଖି ଏକମାସ ହେଲା ନିଖୋଜ ହୋଇଯାଇଛନ୍ତି। ଏବେ ହାଇକୋର୍ଟ ୩ ଜଣଙ୍କୁ ଖୋଜିବା ପାଇଁ ଦିଲ୍ଲୀ ପୋଲିସକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟଙ୍କ ବିଚାରପତି ଜଷ୍ଟିସ୍ ବିବେକ୍ ଚୌଧୁରୀ ଓ ଜଷ୍ଟିସ୍ ମନୋଜ ଜୈନଙ୍କ ଡିଭିଜନ ବେଞ୍ଚ ଝିଅ ଓନ୍ଦ୍ରିଲା ଦାସଗୁପ୍ତାଙ୍କ ପକ୍ଷରୁ ରୁଜୁ ପିଟିସନ ଉପରେ ନିଜର ରାୟ ଦେଇଛନ୍ତି। ଏହି ମାମଲାର ପରବର୍ତ୍ତି ଶୁଣାଣି ଜାନୁୟାରୀ ୧୩ ତାରିଖକୁ ଧାର୍ଯ୍ୟ କରିଛନ୍ତି।

ଘଟଣା ଅନୁସାରେ ଓନ୍ଦ୍ରିଲାଙ୍କ ମାତାପିତା ମିହର କୁମାର ଦାସଗୁପ୍ତା (୭୦) ଓ ଅନିନ୍ଦିତା ଦାସଗୁପ୍ତା (୬୦) ଓ କାକା ସମୀର ଦାସଗୁପ୍ତା (୭୫) ପୋଷା କୁକୁର ସହିତ ନିଖୋଜ ଅଛନ୍ତି। ଏମାନେ ୧୩ ଡିସେମ୍ବର ୨୦୨୫ ଅପରାହ୍ନ ସାଢେ ୨ଟା ବେଳେ ବସନ୍ତ କୁଞ୍ଜର ପକେଟ-ଏ, ସେକ୍ଟର-ଏ ସ୍ଥିତ ବାସଭବନରୁ ନିଖୋଜ ହୋଇଯାଇଛନ୍ତି। ତେବେ ଝିଅ ଓନ୍ଦ୍ରିଲା ଦାସ ଗୁପ୍ତା ଏହା ଅପହରଣ ଓ ଚୋରିର ମାମଲା ବୋଲି କହିଛନ୍ତି ଏବଂ ପୋଲିସ ଏହା ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ କରୁନଥିବାର ଅଭିଯୋଗ କରିଛନ୍ତି।

ଝିଅ ଓନ୍ଦ୍ରିଲା କହିଛନ୍ତି ଯେ ସେ ଅନେକବାର ତାଙ୍କ ମାତ-ପିତାଙ୍କୁ କଲ କରିଛନ୍ତି, ହେଲେ ସେମାନେ କଲ ରିସିଭ କରି ନାହାନ୍ତି। ଏହା ପରେ ସେହି ଦିନ ସଂଧ୍ୟାରେ ସେ ଘରକୁ ଯାଇଥିଲେ। ଦେଖିଥିଲେ ଯେ ପୁରା ଘର ଅସ୍ତବ୍ୟସ୍ତ ଥିଲା ଓ ଜିନିଷ ପତ୍ର ଏଣେତେଣେ ପଡିଥିଲା। ଏଣୁ ଘରୁ ଚୋରି ହୋଇଥିବାର ଆଶଙ୍କା କରାଯାଉଛି। ଏ ନେଇ ଓନ୍ଦ୍ରେଲା ସେହିଦିନ କିଶନଗଡ଼ ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ। ଏହାକୁ ପୋଲିସ ଡେଲି ଡାୟେରୀରେ ରେକର୍ଡ କରିଥିଲା।

ଝିଅଙ୍କ ଅଭିଯୋଗ ହେଉଛି ତାଙ୍କୁ ତାଙ୍କ ପୂର୍ବତନ ସ୍ୱାମୀ ଶାୟକ ସେନ୍ ଙ୍କ ଫୋନ ଆସିଥିଲା। ସେ କଥିତ ରୂପେ ବୃଦ୍ଧ ମାନଙ୍କ ଅପହରଣ କରିଥିବାର କହିଛନ୍ତି। ସେ ଏହା ବି କହିଛନ୍ତି ଯେ ତାଙ୍କର ପୂର୍ବତନ ପତି ଏଥି ପାଇଁ ତାଙ୍କୁ ପୋଲିସ ପାଖକୁ ନ ଯିବାକୁ ଓ ଏ ନେଇ କୌଣସି ଆଇନଗତ ପଦକ୍ଷେପ ନନେବାକୁ ଧମକାଇଥିଲେ। ଏହା ପରେ ଡିସେମ୍ବର ୧୪ ଓ ୧୫ ତାରିଖରେ ସପ୍ଲିମେଣ୍ଟାରୀ ଅଭିଯୋଗ ରୁଜୁ କରାଯାଇଥିଲା। କାରଣ ଓନ୍ଦ୍ରେଲାଙ୍କୁ ହ୍ୱାଟସଆପରେ ଆହୁରି ଅନେକ ଧମକ ମିଳିଥିଲା। ଏହି ଧମକରେ କଥିତ ରୂପେ ପରିବାରର ଅନ୍ୟ ସଦସ୍ୟଙ୍କର ମଧ୍ୟ ଏହି ଅପହରଣରେ ସାମିଲ ଥିବା କଥା କୁହାଯାଇଛି।

ଝିଅ ଦାବି କରିଛନ୍ତି ଯେ ୧୬ ଓ ୧୮ ଡିସେମ୍ବରରେ ସେ ବାରମ୍ବାର ପୋଲିସ ଷ୍ଟେସନ ଯାଇଥିବା ସତ୍ତ୍ୱେ ତାଙ୍କ ବାପା,ମାଆ ଓ କାକାଙ୍କୁ ଖୋଜିବା ପାଇଁ କୌଣସି ପଦକ୍ଷେପ ନିଆଯାଇନଥିଲା। ଏଣୁ ସେ ଭାରତୀୟ ନ୍ୟାୟ ସଂହିତା (ବିଏନଏସ) ୨୦୨୩ରେ ଅପହରଣ, ବନ୍ଧକ ରଖିବା, ଚୋରି, ଅପରାଧିକ ଧମକ ଓ ଅପରାଧିକ ଷଡ଼ଯନ୍ତ୍ର ଭଳି ଗୁରୁତର ଅପରାଧର ଅଭିଯୋଗ କରିଛନ୍ତି। ତେବେ ତିନିତିନିଥର ଲିଖିତ ଅଭିଯୋଗ କରିବା ପରେ ବି ପୋଲିସ ଏଫଆଇଆର ରୁଜୁ ନ ହେବାରୁ ଓନ୍ଦ୍ରେଲା ଆଡଭୋକେଟ ସୁମିତ ଗହଲୋତଙ୍କ ମାଧ୍ୟମରେ ସମ୍ବିଧାନର ଅନୁଚ୍ଛେଦ ୨୨୬ରେ ହାଇକୋର୍ଟଙ୍କ ଶରଣାପନ୍ନ ହୋଇଥିଲେ।

ଏହା ସହିତ ସେ ପାଟିୟାଲା ହାଉସକୋର୍ଟର ମୁଖ୍ୟ ବିଚାରବିଭାଗୀୟ ମାଜିଷ୍ଟ୍ରେଟ୍ ଙ୍କ ଇଜଲାସରେ ଏଫଆଇଆର ରୁଜୁ କରିବା ପାଇଁ ଦାବି କରି ଏକ ଆବେଦନ ମଧ୍ୟ ଦେଇଥିଲେ। ଏଥିରେ ମାଜିଷ୍ଟ୍ରେଟ୍ ୬ ଜାନୁୟାରୀ ୨୦୨୬ରେ ଦିଲ୍ଲୀ ପୋଲିସକୁ ଷ୍ଟାଟସ୍ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏବେ ହାଇକୋର୍ଟ ଓ ମାଜିଷ୍ଟ୍ରେଟଙ୍କ କୋର୍ଟ ଏହି ମାମଲାର ପରବର୍ତ୍ତି ଶୁଣାଣି ଜାନୁୟାରୀ ୧୩ରେ କରିବେ।