ଭୁବନେଶ୍ୱର ୧୧/୦୭: ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନରେ ୩ ଦିନ ଧରି ଘାଣ୍ଟି ହେଉଛନ୍ତି ଓଡ଼ିଶାବାସୀ । ରାସ୍ତାରୁ ରୋଷେଇ ଘର ସବୁଠି କଲବଲ । ଯାତ୍ରୀବାହୀ ବସ୍ ସେବା ବନ୍ଦ ଯୋଗୁ ଗନ୍ତବ୍ୟସ୍ଥଳରେ ପହଞ୍ଚି ପାରୁନାହାନ୍ତି ହଜାର ହଜାର ଯାତ୍ରୀ । ବହୁ ଗୁରୁତର ରୋଗୀ ହସ୍ପିଟାଲକୁ ଯାଇ ପାରୁନାହାନ୍ତି । କର୍ମକ୍ଷେତ୍ରରେ ପହଞ୍ଚିବା କାଠିକର ପାଠ ହେଲାଣି । ଟ୍ରେନ୍ରେ ଯାତ୍ରା ବେଳେ ଠେଲାପେଲା ପରିସ୍ଥିତି ଉପୁଜିଲାଣି ।
ଖାଦ୍ୟ ସାମଗ୍ରୀ ଓ ପରିବା ବୋଝେଇ ଗାଡ଼ି ପହଞ୍ଚି ପାରୁନି । ଫଳରେ ପରିବା ଦର ବଢ଼ିଯାଉଛି । ଅବଶ୍ୟ, ୪ ତୈଳ ଡିପୋରୁ ଦିନକରେ ୪ଶହ ତୈଳ ଟ୍ୟାଙ୍କର ପେଟ୍ରୋଲ ପମ୍ପକୁ ପଠାଯାଉଛି । ବାହାର ରାଜ୍ୟର ଖାଉଟି ସାମଗ୍ରୀ ବୋଝେଇ କିଛି ଟ୍ରକ ଓଡ଼ିଶା ଭିତରକୁ ଛଡ଼ାଯାଉଛି । ପରିବା ବୋଝେଇ ଟ୍ରକ ବି ବଜାର ହାଟରେ ପହଞ୍ଚାଯାଉଛି । କିନ୍ତୁ ହାତଗଣତି ଟ୍ରକରେ ପଠାଯାଉଥିବା ପେଟ୍ରୋଲ ଓ ଖାଉଟି ସାମଗ୍ରୀ ରାଜ୍ୟବାସୀଙ୍କ ଚାହିଦା ମେଣ୍ଟାଇ ପାରିବନି ।
ପରିବହନ ବ୍ୟବସ୍ଥା ସମ୍ପୂର୍ଣ୍ଣ ନସୁଧୁରିଲେ, ଆଗକୁ ସଙ୍କଟ ଆହୁରି ଘନେଇବ ବୋଲି ଜଳଜଳ ଦିଶିଲାଣି । ଅନ୍ୟପଟେ ଜିଦ୍ରେ ଅଟଳ ଓଡ଼ିଶା ଡ୍ରାଇଭର ମହାସଂଘ । ଡ୍ରାଇଭରମାନେ ଆନ୍ଦୋଳନ ମଇଦାନ ଛାଡି଼ବାକୁ ନାରାଜ । ବରଂ ଦୁଇ ଦିନର ଶାନ୍ତିପୂର୍ଣ୍ଣ ଧାରଣା ସାଂଘାତିକ ରୂପ ନେଇଛି । ଡ୍ରାଇଭରମାନେ କିଛି ସ୍ଥାନରେ ଆଇନ୍କୁ ହାତକୁ ନେଇଛନ୍ତି । ଟିଟଲାଗଡ଼ ସଇଁତଳା ଲାଚୁଟ ଛକରେ ୪ଟି ତେଲ ଟ୍ୟାଙ୍କରକୁ ଅଟକାଇଛନ୍ତି ।
ଏନ୍ଏଚ୍ ନଂ ୫୭ର ବଲାଙ୍ଗିର-ସୋନପୁର ଟୋଲଗେଟ୍ରେ ଆନ୍ଦୋଳନ ବେଳେ ଷ୍ଟିଅରିଂ ଧରୁଥିବା ଡ୍ରାଇଭରମାନଙ୍କୁ ଆନ୍ଦୋଳନରତ ଡ୍ରାଇଭରମାନେ ପିଟିଛନ୍ତି । ବାରିପଦା ସହର ଉପକଣ୍ଠ ପାଲବଣିରେ ବସ୍, ଟ୍ରକ ସାମ୍ନାରେ ଧାରଣାରେ ବସିଥିଲେ । ଆଉ କିଛି ଆନ୍ଦୋଳନକାରୀମାନେ ଟ୍ରକ, ବସ୍କୁ ଅଟକାଉଛନ୍ତି । ସେମାନଙ୍କ ଗୋଡ଼ ଧରି ମୁଣ୍ଡିଆ ମାରିବା ସହ ଜୟ ଜଗନ୍ନାଥ କହୁଛନ୍ତି ।