LIVE TV

୧୧ ବର୍ଷର କ୍ରିକେଟ୍ କ୍ୟାରିୟରରେ ପିନ୍ଧି ପାରି ନଥିଲେ ଟିମ୍ ଇଣ୍ଡିଆ ଜର୍ସି, ମହିଳା ଟିମ୍‌କୁ ବିଶ୍ୱ ଚାମ୍ପିଅନ କରାଇଥିବା କୋଚଙ୍କ କାହାଣୀ

NEWS7
odisha-pavilion-won-silver-medal-india-international-trade-fair

ନୂଆଦିଲ୍ଲୀ: ମହିଳା ବିଶ୍ୱକପ୍ ଜିତିବା ପରେ ଭାରତୀୟ ମହିଳା ଟିମରେ ସବୁ ଖେଳାଳିଙ୍କ ଆଖିରେ ଥିଲା ଖୁସିର ଲୁହ । ମହିଳା ଟିମ୍ ଦୀର୍ଘ ଦଶନ୍ଧି ଧରି ଏହି ମୁହୂର୍ତ୍ତରୁ ଅପେକ୍ଷା କରି ରହିଥିଲା । ଖେଳାଳିଙ୍କ ବ୍ୟତୀତ ଆଉ ଜଣେ ବ୍ୟକ୍ତି ମଧ୍ୟ ଏହି ମୁହୂର୍ତ୍ତ ପାଇଁ ନିଜର ସବୁ କିଛି ବାଜିରେ ଲଗାଇ ଦେଇଥିଲେ । ସେ ବ୍ୟକ୍ତି ଆଉ କେହି ନୁହନ୍ତି, ବରଂ ଟିମର ହେଡ୍ କୋଚ୍ ଅମୋଲ ମଜୁମଦାର । ସେ ଟିମ୍ ଇଣ୍ଡିଆର ଜର୍ସି କେବେ ପିନ୍ଧି ନାହାନ୍ତି, କିନ୍ତୁ ଯାହା କରି ଦେଖାଇଲେ, ତାହା ଦେଶ ପାଇଁ ଖେଳିଥିବା ଖେଳାଳି ବି କରିପାରି ନାହାନ୍ତି । ଟିମ୍ ଇଣ୍ଡିଆକୁ ଚାମ୍ପିଅନ କରାଇବାରେ ମୁମ୍ୱାଇର ଏହି ପୂର୍ବତନ ରଣଜୀ ଖେଳାଳିଙ୍କ ରହିଛି ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ।

ଭାରତୀୟ ମହିଳା ଟିମ୍ ୨୦୦୫ ଓ ୨୦୧୭ ଦିନିକିଆ ବିଶ୍ୱକପ ଫାଇନାଲରେ ପହଞ୍ଚିଥିଲେ, କିନ୍ତୁ କେବେ ବି ଚାମ୍ପିଅନ ହୋଇପାରି ନଥିଲେ । ଏଥର ଟିମର ଲକ୍ଷ୍ୟ ଥିଲା କିଛି ଅଲଗା । ଅମୋଲ ମଜୁମଦାରଙ୍କ କୋଚିଂରେ ମହିଳା ଟିମ୍ ଇତିହାସ ରଚିଛି ଓ ୫୨ ବର୍ଷର ଅପେକ୍ଷାର ଅନ୍ତ ଘଟାଇଛି । ଭାରତୀୟ ମହିଳା ଟିମର ମୁଖ୍ୟ କୋଚ୍ ଅମୋଲ ମଜୁମଦାରଙ୍କ ପାଇଁ ଏପରି କରିବା ସହଜ ନଥିଲା । ସେ ଖେଳାଳିଙ୍କ ସହ କଠିନ ପରିଶ୍ରମ କରିଥିଲେ । ଖେଳାଳିଙ୍କ ଦୁର୍ବଳତାକୁ ଚିହ୍ନଟ କରି ଦୂର କରିଥିଲେ ଓ ସେମାନଙ୍କ ମଧ୍ୟରେ ଜିତିବାର ଆତ୍ମବିଶ୍ୱାସ ସୃଷ୍ଟି କରିଥିଲେ ।

ଭାରତୀୟ ଟିମରେ ଖେଳିବାର ସୁଯୋଗ ନମିଳିବା ପରେ ଅମୋଲ ମଜୁମଦାର ୨୦୧୪ରେ କ୍ରିକେଟରେ ଅବସର ନେଇଥିଲେ । ଏହା ପରେ କୋଚିଂରେ ଆରମ୍ଭ କରିଥିଲେ ନୂଆ ଇନିଂସ । ନେଦରଲାଣ୍ଡ, ସାଉଥ୍ ଆଫ୍ରିକା ଓ ରାଜସ୍ଥାନ ରୟାଲ ପରି ଟିମ ସହ କାମ କରିଥିଲେ । ଏହି ସମୟରେ ନିଜ ପରିଚୟକୁ ନୂଆ ରୂପ ଦେଲେ । ସେ ଏପରି କୋଚ୍ ଭାବେ ପରିଚୟ ପାଇଲେ, ଯିଏ କଥା କମ ଓ କାମରେ ଅଧିକ ବିଶ୍ୱାସ କରେ । ଯିଏ ଗଭୀରରୁ ସବୁ କଥାକୁ ବୁଝିପାରେ ।

୨୦୨୩ ଅକ୍ଟୋବର ତାଙ୍କୁ ଭାରତୀୟ ମହିଳା ଟିମର ମୁଖ୍ୟ କୋଚ୍ ନିଯୁକ୍ତ କରାଗଲା । ସେହି ସମୟରେ ଅନେକ ଲୋକ ଏହା ଉପରେ ପ୍ରଶ୍ନ ଉଠାଇଥିଲେ । ସେମାନଙ୍କ ଯୁକ୍ତି ଥିଲା, ଯିଏ ଦେଶ ପାଇଁ କେବେ ଖେଳିନି, ସିଏ କିପରି କୋଚ୍ ହେବ ? ବିଶ୍ୱକପରେ ବି ଲଗାତାର ତିନି ପରାଜୟ ପରେ ତାଙ୍କ କୋଚିଂ ଉପରେ ପ୍ରଶ୍ନ ଉଠିଥିଲା । କିନ୍ତୁ ଏବେ ଅମୋଲ ନିଜ କାମରେ ସେମାନଙ୍କ ମୁହଁ ବନ୍ଦ କରି ଦେଇଛନ୍ତି ।

ଏକ ସାକ୍ଷାତକାରରେ କ୍ୟାପ୍ଟେନ ହରମନପ୍ରୀତ କୌର କହିଥିଲେ, ଅଷ୍ଟ୍ରେଲିଆ ବିପକ୍ଷ ସେମିଫାଇନାଲ ପୂର୍ବରୁ ଅମୋଲ ଡ୍ରେସିଂ ରୁମ ହ୍ୱାଇଟବୋର୍ଡରେ କେବଳ ଗୋଟିଏ ଲାଇନ୍ ଲେଖିଥିଲେ, "ଆମକୁ ଫାଇନାଲରେ ପହଞ୍ଚିବା ପାଇଁ ତାଙ୍କଠାରୁ ଅଧିକ ରନ୍ ଦରକାର, ବାସ୍ ଏତିକି । ଏହି ଲାଇନ୍ ସାଧାରଣ ଲାଗିପାରେ, କିନ୍ତୁ ଏହା ଆମର ମନରେ ଛାପି ଯାଇଥିଲା ।"

ଫାଇନାଲରେ ଦକ୍ଷିଣ ଆଫ୍ରିକା ବିପକ୍ଷ ବିଜୟ ପରେ ଟିମର ଖେଳାଳି ଖୁବ ସେଲିବ୍ରେସନ କରିଥିଲେ । କିନ୍ତୁ ଅମୋଲ ମଜୁମଦାର ନିଶବ୍ଦ ଥିଲେ । ତାଙ୍କ ଆଖିରେ ଲୁହ ଓ ଚେହେରା ଶାନ୍ତ ଥିଲା । ସେ କୌଣସି ସେଲିବ୍ରେସନ କରିନଥିଲେ । ତାଙ୍କ ପାଇଁ ଏହା କେବଳ ଗୋଟିଏ ବିଜୟ ନଥିଲା ବରଂ ଏକ ଏପରି ସ୍ୱପ୍ନ ଥିଲା, ଯାହାକୁ ପ୍ରତ୍ୟେକ କ୍ରିକେଟର ଦେଖିଥାନ୍ତି । ଅନ୍ତର୍ଜାତୀୟ କ୍ରିକେଟ୍ ନଖେଳିବାର ସବୁ ଦୁଃଖକୁ ଭାରତୀୟ ମହିଳା ଟିମକୁ ଚାମ୍ପିଅନ କରି ଭୁଲାଇ ଦେଇଛନ୍ତି । ନଭି ମୁମ୍ୱାଇର ଡିୱାଇ ପାଟିଲ ଷ୍ଟାଡିୟମରେ ଫାଇନାଲର ସବୁଠୁ ସୁନ୍ଦର ଫଟୋ ଥିଲା, ଯେତେବେଳେ ହରମନପ୍ରୀତ କୋର କୋଚ୍ ଅମୋଲ ମଜୁମଦାରଙ୍କ ପାଦ ଛୁଇଁଥିଲେ । ଏହା ତାଙ୍କ ପ୍ରତି ଖେଳାଳିଙ୍କ ସମ୍ମାନକୁ ଦର୍ଶାଇଥିଲା ।

ଅମୋଲ ମଜୁମଦାର ୧୯୯୩ରେ ମୁମ୍ୱାଇ ଟିମ୍ ପାଇଁ ନିଜ ପ୍ରଥମ ଶ୍ରେଣୀ କ୍ୟାରିୟର ଆରମ୍ଭ କରିଥିଲେ । ପ୍ରଥମ ମ୍ୟାଚରେ ହିଁ ସେ ହରିୟାଣା ବିରୁଦ୍ଧରେ ୨୬୦ ରନ୍ କରିଥିଲେ । ଦୁଇ ଦଶନ୍ଧିରୁ ଅଧିକ ସମୟର ଲମ୍ୱା କ୍ୟାରିୟରରେ ମଜୁମଦାର ୧୭୧ ଫର୍ଷ୍ଟ କ୍ଲାସ୍ ମ୍ୟାଚରେ ୧୧,୦୦୦ରୁ ଅଧିକ ରନ୍ କରିଛନ୍ତି । ତାଙ୍କ ନାଁରେ ୩୦ ଶତକ ରହିଛି । ଏତେ ରେକର୍ଡ ସତ୍ତ୍ୱେ କେବେ ବି ଟିମ୍ ଇଣ୍ଡିଆ ପାଇଁ ଖେଳିପାରି ନଥିଲେ । ହେଲେ ଆଜି ସେ ମହିଳା ଟିମ୍ ଇଣ୍ଡିଆର ବିଜୟର ସୂତ୍ରଧର ।