Ashes Test : ୧୧୬ ବର୍ଷ ପରେ ପ୍ରଥମ ଦିନରେ ପଡ଼ିଲା ୨୦ ୱିକେଟ୍, ଗିଲକ୍ରିଷ୍ଟଙ୍କ ରେକର୍ଡ ଭାଙ୍ଗିଲେ ହ୍ୟାରି ବ୍ରୁକ୍

NEWS7
odisha-govt-reduced-covid-19-rt-pcr-test-price-to-rs-400

ମେଲବୋର୍ଣ୍ଣ: ଆସେସ୍ ୨୦୨୫-୨୦୨୬ର ବକ୍ସିଂ ଡେ’ ଟେଷ୍ଟର ପ୍ରଥମ ଦିନରେ ୨୦ ୱିକେଟ୍ ପଡ଼ିଛି । ସିରିଜରେ ୦-୩ରେ ପଛରେ ଥିବା ଇଂଲଣ୍ଡ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଜୋଶ ଟଙ୍ଗର ଦମଦାର ବୋଲିଂ ବଳରେ ଅଷ୍ଟ୍ରେଲିଆକୁ ୧୫୨ ରନରେ ଆଉଟ୍ କରିବାରେ ସଫଳ ହୋଇଥିଲା । ସେପଟେ ମାଇକେଲ ନେସରଙ୍କ ବୋଲିଂ ବଳରେ ଇଲଣ୍ଡକୁ ୧୧୦ ରନରେ ଆଉଟ୍ କରି ୪୨ ରନ୍ ଲିଡ୍ ହାସଲ କରିଥିଲା ।

ଆସେସରେ ୧୧୬ ବର୍ଷ ପରେ ପ୍ରଥମ ଦିନରେ ୨୦ ୱିକେଟ୍ ପଡ଼ିଛି । ଏହା ପୂର୍ବରୁ ୧୯୦୯ରେ ଓଲ୍ଡ ଟ୍ରାଫର୍ଡରେ ଏପରି ହୋଇଥିଲା । ଷଷ୍ଠ ଥର ପାଇଁ ଆସେସ୍ ଟେଷ୍ଟ ସିରିଜରେ ପ୍ରଥମ ଦିନରେ ୨୦ରୁ ଅଧିକ ୱିକେଟ୍ ପଡ଼ିଛି । ମେଲବୋର୍ଣ୍ଣରେ ଚତୁର୍ଥ ଥର ପ୍ରଥମ ଦିନରେ ୨୦ କିମ୍ୱା ତା’ଠାରୁ ଅଧିକ ୱିକେଟ୍ ପଡ଼ିଛି । ଇଂଲଣ୍ଡ ପାଇଁ ପ୍ରଥମ ଇନିଂସରେ ହ୍ୟାରି ବ୍ରୁକ୍ ସବୁଠୁ ଅଧିକ ୪୧ ରନ୍ କରିଥିଲେ । ସେ ଟେଷ୍ଟରରେ ୩୪୬୮ ବଲରେ ୩୦୦୦ ରନ ପୂରଣ କରିଥିଲେ ।

ଗିଲକ୍ରିଷ୍ଟଙ୍କ ଭାଙ୍ଗିଲା ରେକର୍ଡ

ବ୍ରୁକ୍ ଟେଷ୍ଟ କ୍ରିକେଟରେ ସବୁଠୁ କମ ବଳରେ ୩,୦୦୦ ରନ୍ ପୂରଣ କରିଥିବା ଖେଳାଳି ହୋଇଛନ୍ତି । ଏପରି କରି ସେ ଆଡାମ୍ ଗିଲକ୍ରିଷ୍ଟଙ୍କ ୩,୬୧୦ ବଲ୍ ରେକର୍ଡ ଭାଙ୍ଗିଛନ୍ତି । ଇଂଲଣ୍ଡର ଦ୍ରୁତ ବୋଲର ଜୋଶ୍ ଟଙ୍ଗ ମଧ୍ୟ ଇତିହାସ ରଚିଥିଲେ । ଟଙ୍ଗ୍ ଏକବିଂଶ ଶତାବ୍ଦୀରେ ମେଲବୋର୍ଣ୍ଣରେ ଗୋଟିଏ ଟେଷ୍ଟ ମ୍ୟାଚରେ ପାଞ୍ଚ ୱିକେଟ୍ ନେବାରେ ପ୍ରଥମ ଇଂଲଣ୍ଡ ବୋଲର ହୋଇଥିଲେ । ଡାରେନ୍ ଗଫ୍ ଏବଂ ଡିନ୍ ହାଡଲି ଶେଷ ଥର ପାଇଁ ୧୯୯୮ ମସିହାରେ ଏହି ସଫଳତା ହାସଲ କରିଥିଲେ ।

ଅଷ୍ଟ୍ରେଲିଆ ୧୫୨ ରନରେ ଅଲଆଉଟ୍

ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୧୫୨ ରନରେ ଅଲଆଉଟ୍ ହୋଇଥିଲା । ୨୦୦୦ ପରଠାରୁ ଘରୋଇ ମାଟିରେ ଆସେସ୍ ଟେଷ୍ଟରେ ଏହା ଅଷ୍ଟ୍ରେଲିଆର ଚତୁର୍ଥ ସର୍ବନିମ୍ନ ସ୍କୋର । ଏହା ପୂର୍ବରୁ ୨୦୧୦/୧୧ରେ ଦଳ ମେଲବୋର୍ଣ୍ଣରେ ୯୮ ରନରେ ଅଲଆଉଟ୍ ହୋଇଥିଲା । ଗତ ମାସରେ ପର୍ଥରେ ୧୩୨ ରନରେ ଏବଂ ୨୦୧୭/୧୮ରେ ଆଡିଲେଡରେ ଦଳ ୧୩୮ ରନରେ ଅଲଆଉଟ୍ ହୋଇଥିଲା । ୨୦୦୦ ପରେ ତୃତୀୟ ଥର ପାଇଁ ଘରୋଇ ମାଟିରେ ଆସେସ୍ ଟେଷ୍ଟରେ ଅଷ୍ଟ୍ରେଲିଆ ୫୦ ଓଭର ମଧ୍ୟରେ ଅଲଆଉଟ୍ ହୋଇଥିଲା । ପୂର୍ବରୁ ୨୦୧୦ରେ ସମାନ ଗ୍ରାଉଣ୍ଡରେ, ୪୨.୫ ଓଭରରେ ୯୮ ରନରେ ଅଲଆଉଟ୍ ହୋଇଥିଲା ।

ଇଂଲଣ୍ଡ ୧୧୦ ରନରେ ଅଲଆଉଟ୍ । ୨୦୦୦ ପରଠାରୁ ଅଷ୍ଟ୍ରେଲିଆରେ ଆସେସ୍ ଟେଷ୍ଟରେ ଏହା ସେମାନଙ୍କର ତୃତୀୟ ସର୍ବନିମ୍ନ ସ୍କୋର । ପୂର୍ବରୁ ୨୦୨୧ରେ ମେଲବୋର୍ଣ୍ଣରେ ୬୮ ଏବଂ ୨୦୦୨ରେ ଗାବାରେ ୭୯ ରନ କରିଥିଲା । ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଆସେସ୍ ଟେଷ୍ଟରେ ଇଂଲଣ୍ଡ ଚତୁର୍ଥ ଥର ପାଇଁ ୩୦ ଓଭରରୁ କମ୍ (୨୯.୫) ଅଲଆଉଟ୍ ହୋଇଥିଲା ।