ଭୁବନେଶ୍ବର: ବନ୍ୟଜନ୍ତୁ ଆକ୍ରମଣରେ ମୃତ୍ୟୁ ହେଲେ ମିଳୁଥିବା ସହାୟତା ରାଶିକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ସୋମବାର ଏହି ସହାୟତା ରାଶି ବୃଦ୍ଧି କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଏହି ବୃଦ୍ଧି ପରେ ଏଣିକି ସହାୟତା ରାଶି ୧୦ ଲକ୍ଷ ଟଙ୍କାରେ ପହଞ୍ଚିଛି। ପୂର୍ବରୁ ବନ୍ୟଜନ୍ତୁ ଆକ୍ରମଣରେ ମୃତ୍ୟୁକାଳୀନ ସହାୟତା ରାଶି ୬ ଲକ୍ଷ ଟଙ୍କା ଥିଲା।
ସୂଚନାଥାଉକି, ଜଙ୍ଗଲ ପାର୍ଶ୍ୱବର୍ତ୍ତୀ ଗ୍ରାମ ଗୁଡ଼ିକରେ ସାଧାରଣତଃ ବନ୍ୟଜନ୍ତୁ ଆକ୍ରମଣର ନଜିର ଅଧିକ ରହିଥାଏ। ବନ୍ୟଜନ୍ତୁ ଆକ୍ରମଣରେ ଧନଜୀବନ ନଷ୍ଟ ହୋଇଥାଏ। ଏସବୁକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ କ୍ଷତିଗ୍ରସ୍ତ ଲୋକଙ୍କ ସହାୟତା ରାଶି ବୃଦ୍ଧି କରିଛନ୍ତି।
ଏହା ସହ ଯଦି ବନ୍ୟଜନ୍ତୁଙ୍କ କାରଣରୁ ବାସଗୃହ କ୍ଷତିଗ୍ରସ୍ତ ହୋଇଥାଏ ତେବେ ଏଥିପାଇଁ ମଧ୍ୟ ଆର୍ଥିକ ସହାୟତା ପ୍ରଦାନ କରାଯିବ। ରୋଷେଇ ଘର, ଧାନ ସଂରକ୍ଷଣ ଗୃହ କିମ୍ବା ଛେଳି ଗୁହାଳ କ୍ଷତିଗ୍ରସ୍ତ ହେଲେ ୩ ହଜାର ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରାଯିବ। ସେହିଭଳି ପକ୍କା ପାଚେରୀ, କମ୍ପାଉଣ୍ଡ ୱାଲ୍ କ୍ଷତିଗ୍ରସ୍ତ ହେଲେ ପ୍ରତି ମିଟର ପିଛା ୫ ହଜାର ତଥା ସର୍ବାଧିକ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରାଯିବ।