WPLରେ ୧୦୫୯ ଦିନ ଓ ୮୨ ମ୍ୟାଚ୍ ପରେ ପ୍ରଥମ ବ୍ୟକ୍ତିଗତ ଶତକ, ବ୍ରଣ୍ଟ ରଚିଲେ ଇତିହାସ

NEWS7
odisha-assembly-speaker-calls-all-party-meeting

ନୂଆଦିଲ୍ଲୀ: ମହିଳା ପ୍ରିମିୟର ଲିଗରେ ଇତିହାସ ସୃଷ୍ଟି ହୋଇଛି । ଇଂଲଣ୍ଡର ଷ୍ଟାର ଅଲରାଉଣ୍ଡର ନାଟ୍ ସ୍କିଭର-ବ୍ରଣ୍ଟ ଡବ୍ଲୁପିଏଲ୍ ଇତିହାସରେ ପ୍ରଥମ ଶତକ ହାସଲ କରି ଏକ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି । ଭଦୋଦରାର କୋଟମ୍ବି ଷ୍ଟାଡିୟମରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ଏହି ଐତିହାସିକ ସଫଳତା ହାସଲ କରିଛନ୍ତି । ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ସ୍କିଭର-ବ୍ରଣ୍ଟ ୩୨ ବଲରେ ତାଙ୍କର ଅର୍ଦ୍ଧଶତକ ପୂରଣ କରିଥିଲେ । ଏହା ପରେ ଗିୟର ବଦଳାଇ ୫୭ ବଲରେ ତାଙ୍କର ଐତିହାସିକ ଶତକ ପୂରଣ କରିଥିଲେ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଡବ୍ଲୁପିଏଲ୍ ଇତିହାସରେ ୧୦୫୭ ଦିନ ଏବଂ ୮୨ ମ୍ୟାଚ୍ ପରେ ପ୍ରଥମ ବ୍ୟକ୍ତିଗତ ଶତକ ଆସିଛି ।

ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ସ୍କିଭର-ବ୍ରଣ୍ଟ ଓପନର ହେଲି ମାଥ୍ୟୁସଙ୍କ ସହ ୭୩ ବଲରେ ୧୩୧ ରନର ଏକ ଚମତ୍କାର ଭାଗୀଦାରି କରିଥିଲେ । ତାଙ୍କର ଶତକ ବଳରେ ମୁମ୍ବାଇ ଇଣ୍ଡିଆନ୍ସ ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟରେ ୧୯୯ ରନ୍ର ବିଶାଳ ସ୍କୋର କରିବାରେ ସଫଳ ହୋଇଛି ।

ପୂର୍ବରୁ, ଡବ୍ଲୁପିଏଲ୍ ଇତିହାସରେ ସର୍ବାଧିକ ବ୍ୟକ୍ତିଗତ ସ୍କୋରର ରେକର୍ଡ ଅଷ୍ଟ୍ରେଲିଆର ଜର୍ଜିଆ ଭୋଲ୍ ଏବଂ ନ୍ୟୁଜିଲାଣ୍ଡର ସୋଫି ଡେଭାଇନଙ୍କ ନାଁରେ ଥିଲା । ଉଭୟ ୯୯ ରନ କରିଥିଲେ ଏବଂ ଶତକ ପାଇଁ ଗୋଟିଏ ରନ ପଛରେ ପଡ଼ିଯାଇଥିଲେ । ଆରସିବି ଅଧିନାୟକ ସ୍ମୃତି ମନ୍ଧାନା ମଧ୍ୟ ଏହି ସିଜନରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ୯୬ ରନ କରି ଏହି ରେକର୍ଡର ନିକଟତର ହୋଇଥିଲେ । ନାଟ୍ ସ୍କିଭର-ବ୍ରଣ୍ଟ ମଧ୍ୟ ଡବ୍ଲୁପିଏଲ୍ ଇତିହାସରେ ସର୍ବାଧିକ ବ୍ୟକ୍ତିଗତ ରନ୍ ସ୍କୋରର । ସେ ଏପର୍ଯ୍ୟନ୍ତ ୩୫ ଇନିଂସରେ ୫୦ରୁ ଅଧିକ ହାରରେ ପ୍ରାୟ ୧୪୫ ଷ୍ଟ୍ରାଇକ ରେଟରେ ୧୩୦୦ରୁ ଅଧିକ ରନ କରିଛନ୍ତି । ନାଟ୍ ସ୍କିଭର-ବ୍ରଣ୍ଟ ଡବ୍ଲୁପିଏଲ୍ ଇତିହାସରେ ୧୦୦୦ ରନ୍ ସ୍କୋର କରିବାରେ ପ୍ରଥମ ଖେଳାଳି ।

ଡବ୍ଲୁପିଏଲରେ ସର୍ବାଧିକ ରନ୍

ନାଟ୍ ସ୍କିଭର-ବ୍ରଣ୍ଟ – ୧୩୪୬

ମେଗ୍ ଲାନିଂ – ୧୧୫୯

ହରମନପ୍ରୀତ କୌର - ୧୧୧୧

ଶୈଫାଲି ବର୍ମା - ୧୦୩୦