ଭୁବନେଶ୍ବର: ସୋମବାର ଯାଏଁ ମୁଲତବୀ ହେଲା ବିଧାନସଭା। ଶୁକ୍ରବାର ବିଧାନସଭାର ଚଳିତ ବଜେଟ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଥିବାବେଳେ, ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଓ ହଙ୍ଗାମା କାରଣରୁ ଏହି ନିଷ୍ପତ୍ତି ନେଇଛନ୍ତି ବାଚସ୍ପତି ସୁରମା ପାଢ଼ୀ ।
ସୂଚନାଥାଉକି, ଚଳିତ ବଜେଟ ଅଧିବେଶନର ଦ୍ବିତୀୟ ପର୍ଯାୟର ପ୍ରଥମ କାର୍ଯ୍ୟ ଦିବସ ଆରମ୍ଭ ହେବା ମାତ୍ରେ ବିରୋଧୀ କଂଗ୍ରେସ ରାଜ୍ୟରେ ନାରୀ ନିର୍ଯାତନାକୁ ନେଇ ବିରୋଧ ପ୍ରଦର୍ଶନ କରୁଥିଲେ। ବିଜେଡି ମଧ୍ୟ ବିଜୁ ବାବୁଙ୍କ ପ୍ରତି ରାଜ୍ୟ ସରକାର ଅନ୍ୟାୟ ଓ ଅସମ୍ମାନ କରିଥିବା ଅଭିଯୋଗ ଆଣି ନାରାବାଜି କରିଥିଲେ । ଏପିରିକି ଗୃହର ମଧ୍ୟଭାଗକୁ ଆସି ବିରୋଧୀ ଦଳର ସଦସ୍ୟମାନେ ହୋହାଲ୍ଲା ଏବଂ ନାରାବାଜି କରିଥିଲେ । ହାତରେ ପ୍ଲାକାର୍ଡ ଧରି ନାରାବାଜି କରିଥିଲେ ।
ଫଳରେ ବାଚସ୍ପତି ସୁରମା ପାଢ଼ୀ ବାରମ୍ବାର ବିରୋଧୀ ସଦସ୍ୟମାନଙ୍କୁ ନିଜ ନିଜ ସିଟ୍ରେ ବସିବାକୁ କହିଥିଲେ । ହେଲେ କୌଣସି ସଦସ୍ୟ ଶୁଣିନଥିଲେ । ଶେଷରେ ବିଧାନସଭାକୁ ୧୨ଟା ଯାଏଁ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି। ମଧ୍ୟାହ୍ନ ୧୨ଟା ସମୟ ପରେ ପୁଣି ଥରେ ଆରମ୍ଭ ହୋଇଥିଲା ଗୃହ କାର୍ଯ୍ୟ । ହେଲେ ପୂର୍ବ ପରି ହୋଇଥିଲା ନାରାବାଜି ଏବଂ ହୋହାଲ୍ଲା । କଂଗ୍ରେସ ଏବଂ ବିଜେଡି ବିଧାୟକମାନେ ବାଚସ୍ପତିଙ୍କ ପୋଡିୟମ ଉପରକୁ ଚଢ଼ି ପ୍ରତିବାଦ କରିଥିଲେ । ଯାହାକୁ ଦୃଷ୍ଟିରେ ରଖି ବାଚସ୍ପତି ସୁରମା ପାଢୀ ବିଧାନସଭା କାର୍ଯ୍ୟକୁ ଅପରାହ୍ନ ୪ଟା ଯାଏଁ ମୁଲତବୀ ଘୋଷଣା କରିଥିଲେ। ହେଲେ ଏବେ ସୋମବାର ଯାଏଁ ଗୃହକୁ ମୁଲତବୀ କରାଯାଇଛି।
ଉଲ୍ଲେଖଯୋଗ୍ୟ, ଶୁକ୍ରବାରଠାରୁ ଚଳିତ ବଜେଟ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି। ଏହା ମାର୍ଚ୍ଚ ୭ରୁ ଏପ୍ରିଲ ୫ ତାରିଖ ପର୍ଯ୍ୟନ୍ତ ଚାଲିବା ନେଇ ଧାର୍ଯ୍ୟ କରାଯାଇଛି। ଏହି ଅଧିବେଶନରେ ବିଭିନ୍ନ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ସହ ବ୍ୟୟ ମଞ୍ଜୁରୀ ବିଧେୟକ ପାରିତ ହେବାର ମଧ୍ୟ କାର୍ଯ୍ୟକ୍ରମ ରହିଛି। ପୂର୍ବରୁ ଫେବ୍ରୁଆରୀ ୧୩ରୁ ୨୧ ତାରିଖ ପର୍ଯ୍ୟନ୍ତ ଚଳିତ ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଚାଲିଥିଲା।