ଏଲଓସିରେ ଉଡ଼ିଲା ପାକିସ୍ତାନୀ ଡ୍ରୋନ୍ ! ହାଇ ଆଲର୍ଟରେ ଭାରତୀୟ ସେନା

NEWS7
odia-film-sanatani-dispute

ଶ୍ରୀନଗର: ଜମ୍ମୁକାଶ୍ମୀରର ରାଜୌରୀ ଜିଲ୍ଲାରେ ନିୟନ୍ତ୍ରଣ ରେଖା (LoC) ନିକଟରେ ଦୁଇଟି ଡ୍ରୋନ୍ ଦେଖାଯାଇଛି । ଭାରତୀୟ ସେନା ମୁଖ୍ୟ ଉପେନ୍ଦ୍ର ଦ୍ୱିବେଦୀ ଅସ୍ତ୍ରବିରତି ଉଲ୍ଲଂଘନ ଏବଂ ସୀମାପାର ଉତ୍ତେଜନା ଉପରେ ପାକିସ୍ତାନକୁ କଡ଼ା ଚେତାବନୀ ଦେବାର କିଛି ଘଣ୍ଟା ପରେ ଏହି ଘଟଣା ଘଟିଛି।

ସୂତ୍ର ଅନୁସାରେ, ରାଜୌରୀ ସେକ୍ଟରରେ ନିୟନ୍ତ୍ରଣ ରେଖା ନିକଟରେ ଡ୍ରୋନ୍ ଦେଖାଯାଇଛି । ଫଳରେ ଭାରତୀୟ ସେନା ଆକ୍ସନ ନେଇଛି । ଡ୍ରୋନଗୁଡ଼ିକୁ ଗୁଳି କରି ଖସାଇ ଦେଇଛି ସେନା । ଅଞ୍ଚଳରେ ସତର୍କତା ବୃଦ୍ଧି କରାଯାଇଛି ଏବଂ ପରିସ୍ଥିତି ଉପରେ ନଜର ରଖାଯାଇଛି।

ସୂଚନାଯୋଗ୍ୟ ଯେ, ସୋମବାର ଏଲଓସି ନିକଟରେ ଅନେକ ପାକିସ୍ତାନୀ ଡ୍ରୋନ ମଧ୍ୟ ଦେଖାଯାଇଥିଲା। ରାଜୌରୀ ସେକ୍ଟରର ଡୁଙ୍ଗାଲା-ନାବଲା ଅଞ୍ଚଳ ନିକଟରେ ଅନେକ ପାକିସ୍ତାନୀ ଡ୍ରୋନ୍ ଦେଖାଯାଇଥିଲା। ଏହା ପରେ, ନିୟନ୍ତ୍ରଣ ରେଖା (LoC) ରେ ଥିବା ନିୟମ ଅନୁଯାୟୀ ଭାରତୀୟ ସେନା ଡ୍ରୋନଗୁଡ଼ିକ ଉପରେ ଗୁଳି ଚଳାଇଥିଲା।

ଡ୍ରୋନ୍ ଅନୁପ୍ରବେଶର ସୂଚନା ପାଇବା ପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ବର୍ତ୍ତମାନ ଏହି ଅଞ୍ଚଳରେ କଡ଼ା ନଜର ରଖିଛି ସେନା ଏବଂ ସୁରକ୍ଷା ବାହିନୀ ହାଇ ଆଲର୍ଟରେ ଅଛନ୍ତି। ଏହା ସହିତ, ରାଜୌରୀ ଜିଲ୍ଲାର ଅନ୍ୟ ଏକ ଅଞ୍ଚଳରେ ଆଉ ଏକ ଡ୍ରୋନ୍ ଦେଖାଯାଇଛି । ରାଜୌରୀ ଏବଂ ନିକଟବର୍ତ୍ତୀ ପୁଞ୍ଚ ଜିଲ୍ଲାର ଏଲଓସି ପାଖରେ ଥିବା ଅଞ୍ଚଳଗୁଡ଼ିକରେ ସୁରକ୍ଷା ବାହିନୀ ଏକ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଛି ।